ବୋହୂକୁ ମାରିବା ପାଇଁ ଶାଶୁ,ଶ୍ୱଶୁରଙ୍କ ଅଭିନବ ଉପାୟ, ଜାଣନ୍ତୁ କିପରି

ସାକ୍ଷୀଗୋପାଳ : ବୋହୂକୁ ମାରିବା ପାଇଁ ଶାଶୂ, ଶ୍ୱଶୁର ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସତ୍ୟବାଦୀ ଥାନାରେ ବୋହୂ ନିଜେ ଅଭିଯୋଗ କରିଛି | ତାଙ୍କୁ ମାରିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରାଯାଇଥିଲା |
ସୂଚନା ଅନୁଯାୟୀ,  ଇନ୍ଦିପୁର ନଡ଼ାଖଣ୍ଡ ଗ୍ରାମର ପ୍ରଗତି ମହାନ୍ତି(୨୪) ସତ୍ୟବାଦୀ ବ୍ଲକ୍‌ର ନୂଆସୋମେଶ୍ୱରପୁର ପଞ୍ଚାୟତର ବନମାଳୀପୁର ଡିପି ଗ୍ରାମର ଶରତ ମହାନ୍ତିଙ୍କ ପୁଅ ପର୍ଶୁରାମ ମହାନ୍ତିଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା । ତେବେ ପ୍ରଗତି କିଛିଦିନ ଭଲରେ ଶାଶୂଘରେ ଚଳିବା ପରେ ତାଙ୍କ ଉପରେ ଶାଶୂ ଓ ଶ୍ୱଶୁର ଅଧିକ ଯୌତୁକ ଦାବି କରି ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଉଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ତେବେ ବୁଧବାର ସକାଳେ ଶାଶୂ ଓ ଶ୍ୱଶୁର ତୁରନ୍ତ ବାପଘରୁ ଟଙ୍କା ଆଣିବା ପାଇଁ କହିଥିଲେ ଓ ଏଥିରେ ପ୍ରଗତି ରାଜି ନହେବାରୁ ତାଙ୍କୁ କନିଅର ମଞ୍ଜି ବଟା ଜବରଦସ୍ତି  ପିଆଇ ଦେଇଥିବା ଅଭିଯୋଗ ହୋଇଛି । ପ୍ରଗତି କୌଣସି ପ୍ରକାର ସେଠାରୁ ଖସିଆସି ଥାନାରେ ଏ ସମ୍ପର୍କରେ ଜଣାଇଥିଲେ । ସତ୍ୟବାଦୀ ଥାନା ଆଇଆଇସି ଶକୁନ୍ତଳା ପତି ତୁରନ୍ତ ପ୍ରଗତିଙ୍କୁ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ଏବେ ପ୍ରଗତି ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।