ମଜୁରୀ ନମିଳିବାରୁ ଆଦିବାସୀଙ୍କ ବିକ୍ଷୋଭ

ଗଞ୍ଜାମ: ଦିଗପହଣ୍ଡି ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଦିବାସୀ ଶ୍ରମିକ । ସେମାନେ ଜଙ୍ଗଲ ବିଭାଗ ଅଧିନସ୍ଥ ଲୁଣ୍ଡୁରୀଗୁଡା ଓ କନ୍ଦାଳବନ୍ଦ ଗ୍ରାମର ବୋଲି ଜଣାପଡିଛି । ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଦୀର୍ଘ ୬ମାସ ଶ୍ରମଦାନ କରିଥିଲେ ମଧ୍ୟ ଆଜି ସୁଦ୍ଧା ସେମାନଙ୍କ ମଜୁରି ମିଳିନଥିବା ଯୋଗୁଁ ଦିଗପହଣ୍ଡି ଜଙ୍ଗଲବିଭାଗ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭରେ ଲୁଣ୍ଡୁରୀଗୁଡା ଓ କନ୍ଦାଳବନ୍ଦ ଆଦିବାସୀ ଗ୍ରାମର ଝିଲି ମଳିକ, ନନ୍ଦୀନି ମଳିକ, ରୀନା ମଳିକ, ମାଣିକ ମଳିକ, କାନ୍ଦୁରୀ ମଳିକ, ଭାନୁ ମଳିକ, ସରସ୍ୱତୀ ମଳିକ, ଆଇସା ମଳିକ, ପୂଜା ମଳିକ, ସଭା ମଲିକ, ମମତା ମଳିକ, ସମିରା ମଳିକ, ପଦ୍ମନ ମଳିକ, ଶିବ ଶଙ୍କର ମଳିକ, ସଂଜୟ ମଳିକ, ପବିତ୍ର ମଳିକ, ସାଗର ମଳିକ ସାମିଲ ଥିଲେ । କେବଳ ସେମାନେ ନୁହନ୍ତି ତାଙ୍କ ଭଳି ଆହୁରି ଶତାଧିକ ପୁରୁଷ ମହିଳା ମଧ୍ୟ ଠକାମୀରେ ଶିକାର ହୋଇଛନ୍ତି ବୋଲି ବିକ୍ଷୋଭକାରୀମାନଙ୍କ ଠାରୁ ଜଣାପଡିଛି । ଚିକିଟି ବନପାଳ ଭାବେ କାର୍ଯ୍ୟ କରୁଥିବା କେ.କବିତାଙ୍କ ସମୟରେ ସେଠାରେ ଆରମ୍ଭ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଶ୍ରମଦାନ କରିଥିଲେ । ଏମାନଙ୍କ ଦ୍ୱାରା ହଜାର ହଜାର ଚାରା ରୋପଣ ହୋଇଥିଲା । ଗାତ ଖୋଳିବା ଠାରୁ ଆରମ୍ଭ କରି ଲଟାବୁଦା ସବୁ ସଫା କରିବା ଓ ଚାରା ରୋପଣ କାର୍ଯ୍ୟରେ ଏମାନଙ୍କୁ ଖଟା ଯାଇଥିଲା । ଯେତେବେଳେ ସେମାନେ ମଜୁରୀ ମାଗୁଥିଲେ ସେମାନଙ୍କୁ ଏ ମାସରେ ସେ ମାସରେ କହି ଭଣ୍ଡେଇ ଚାଲିଥିଲେ । ଲକ୍‌ଡାଉନ୍ ସମୟରେ ସେମାନଙ୍କର ଜୀବନ ଜୀବିକା ପ୍ରଭାବିତ ହୋଇଥିଲେ ମଧ୍ୟ ମଜୁରୀ ମିଳୁନଥିବା ଯୋଗୁଁ ସେମାନେ ବହୁତ ଦଃୁଖ କଷ୍ଟରେ ସମ୍ମୁଖିନ ହୋଇଥିଲେ । ସେମାନଙ୍କୁ ମଜୁରୀ ପ୍ରଦାନରେ କାଳକ୍ଷେପଣ ନିତି ଅବଲମ୍ବନ କରାଯାଇଛି । ଘଟଣା ସମ୍ପର୍କରେ ବନପାଳ କେ.କବିତାଙ୍କ ସହ ଯୋଗାଯୋଗ କରିବାରୁ ସେ ଗତ ଅପ୍ରେଲ୍ ମାସ ଠାରୁ ଦିଗପହଣ୍ଡିରୁ ବଦଳି ହୋଇ ଅନ୍ୟତ୍ର ଚାଲିଗଲେଣି । ଏ ସମ୍ପର୍କରେ ସେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି । ଅରୁଣ ଦାସ ନାମକ ଜଣେ ଫରେଷ୍ଟଗାର୍ଡ ସେମାନଙ୍କ ନାମରେ ଆସିଥିବା ସମସ୍ତ ଟଙ୍କାକୁ ବ୍ୟାଙ୍କରୁ ଉଠାଇ ଆତ୍ମସାତ୍ କରିଥିବା ଆଦିବାସୀ ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଦିଗପହଣ୍ଡି ରେଂଜର୍ କାହ୍ନୁ ଚରଣ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରାଯିବାରେ ଏଠାରୁ ବଦଳି ହୋଇଥିବା କେ.କବିତାଙ୍କୁ ମଙ୍ଗଳବାର ଦିଗପହଣ୍ଡି ଆସିବା ପାଇଁ କୁହାଯାଇଛି । ତା’ସହିତ ବନରକ୍ଷୀ ଅରୁଣ ଦାସକୁ ମଧ୍ୟ ତାଗିଦ୍ କରାଯାଇଛି । ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଅଭିଯୋଗକାରୀ ଆଦିବାସୀ ଶ୍ରମିକମାନଙ୍କ ଗାଁ’କୁ ଯାଇ ତାଙ୍କର ପାଇବାକୁ ଥିବା ସମସ୍ତ ମଜୁରୀ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here