28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଟ୍ରମ୍ପଙ୍କ ଭାରତ ଗସ୍ତ: ‘କେମ୍ ଛୋ ଟ୍ରମ୍ପ’ କାର୍ଯ୍ୟକ୍ରମ

ଟ୍ରମ୍ପଙ୍କ ଭାରତ ଗସ୍ତ: ‘କେମ୍ ଛୋ ଟ୍ରମ୍ପ’ କାର୍ଯ୍ୟକ୍ରମ

ଅହମ୍ମଦାବାଦ: ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଆସନ୍ତା ଫେବୃଆରୀ ୨୪ ଓ ୨୫ରେ ଭାରତ ଗସ୍ତରେ ଆସିବେ । ଏହି ଅବସରରେ ସେ ଗୁଜୁରାଟ ଗସ୍ତ କରିବେ । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ଦ୍ଵିପାକ୍ଷିକ ଆଲୋଚନା ହେବ । ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତକାର ଦୁଇ ଦେଶର ସମ୍ବନ୍ଧକୁ ସୁଦୃଢ କରିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତିନି ଘଣ୍ଟା ପାଇଁ ଅହମଦାବାଦ ଆସିବେ । ତାଙ୍କୁ ଏଠାରେ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହେଉଥିବା ଗୁଜରାଟ ସରକାର ଏଥିପାଇଁ ପାଖାପାଖି ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି । ଟ୍ରମ୍ପଙ୍କ ସ୍ୱାଗତରେ ବଜେଟ୍ ବାଧକ ହେବ ନାହିଁ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ଟ୍ରମ୍ପଙ୍କ ଗସ୍ତ ନେଇ ଜାତୀୟ ଗଣମାଧ୍ୟମକୁ ପୋଲିସ ଉପାୟୁକ୍ତ ବିଜୟ ପଟେଲ କହିଛନ୍ତି, ବିମାନ ବନ୍ଦର, ସାବରମତୀ ଆଶ୍ରମ ଓ ମୋଟେରା ଷ୍ଟାଡିୟମ ନିକଟରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଟ୍ରମ୍ପଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରି ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଜଣାଶୁଣା ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ୨୫ରୁ ଅଧିକ ଆଇପିଏସ ଅଧିକାରୀ, ୬୫ ସହାୟକ ପୋଲିସ ଆୟୁକ୍ତ, ୨୦୦ ପୋଲିସ ନିରୀକ୍ଷକ, ୮୦୦ ପୋଲିସ ଉପ-ନିରୀକ୍ଷକ ଏବଂ ପାଖାପାଖି ୧୦ ହଜାର ଯବାନ ମୁତୟନ ହେବେ ।

ଟ୍ରମ୍ପଙ୍କ ସ୍ୱାଗତରେ ପାଖାପାଖି ୫୦ ଲକ୍ଷ ଲୋକ ଆସିପାରନ୍ତି ବୋଲି ଆକଳନ କରାଯାଇଛି । ବିଶ୍ୱର ସବୁଠୁ ବଡ଼ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଲୋକଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ଷ୍ଟାଡିୟମ ନିର୍ମାଣ ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ୧ ଲକ୍ଷ ୨୫ ହଜାର ଦର୍ଶକ ବସିବାର କ୍ଷମତା ରହିଛି । ପରେ ଟ୍ରମ୍ପ ସାବରମତି ଆଶ୍ରମ ଗସ୍ତ କରିବେ । ପରେ ଅହମ୍ମଦାବାଦ ମୋଟେରା ସ୍ଥିତ ସର୍ଦ୍ଦାର ପଟେଲ ଷ୍ଟାଡିୟମକୁ ଟ୍ରମ୍ପ ଉଦଘାଟନ କରିବା ସହ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିବେ । ଅହମ୍ମଦାବାଦର ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମରେ ନରେନ୍ଦ୍ର ମୋଦି, ଟ୍ରମ୍ପ ଏବଂ ତାଙ୍କ ପତ୍ନୀଙ୍କୁ ଭବ୍ୟ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି । ଆମେରିକାରେ ମୋଦିଙ୍କ ପାଇଁ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଭଳି ଏଠାରେ ‘କେମ ଛୋ ଟ୍ରମ୍ପ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking