ଏମକେସିଜିରୁ ପାସ୍ ହୋଇଥିବା ଓଡିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର: ଏବେ ବିଶ୍ୱ ସମେତ ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା । କରୋନା ଭାଇରସ ସମଗ୍ର ବିଶ୍ୱକୁ ନିଜ କବଳିତ କରିସାରିଥିବା ବେଳେ ଭାରତରେ ବି ଏହାର ଢେର୍ ପ୍ରଭାବ ପଡିଛି । ଏହି ପରିପ୍ରେକ୍ଷୀରେ ଜଣେ ଓଡିଆ ଡାକ୍ତର ଦିଲ୍ଲୀରେ କରୋନା ପାଇଁ ପ୍ରାଣ ହରାଇଛନ୍ତି । ଓଡିଶାର କଟକରେ ଜନ୍ମ ଗ୍ରହଣ କରିଥିବା ୩୯ ବର୍ଷୀୟ ଡାକ୍ତର ଅଶ୍ୱିନୀ କୁମାର ପ୍ରତାପ ନ୍ୟାସନାଲ ହେଲଥ ସିଷ୍ଟମ ରିସୋର୍ସେସ ସେଣ୍ଟରରେ ଜଣେ ବରିଷ୍ଠ କନସଲ୍ଟଣ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ଠାରେ କୋରନା ଜନିତ ଲକ୍ଷଣ ପ୍ରକାଶ ପାଇବା ପରେ ଜୁନ ୧୬ ତାରିଖରେ ତାଙ୍କୁ ଦୀପ୍ ଚାନ୍ଦ ବନ୍ଧୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ଦୁଇ ଦିନ ପରେ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜୁନ ୧୯ ତାରିଖ ବେଳକୁ ତାଙ୍କ ଶରୀରରେ ମଧୁମେହ ଅନିୟନ୍ତ୍ରିତ ରହିଥିବା ଜଣାପଡିଥିଲା । ଆଉ ଶୁକ୍ରବାର ଯାଏଁ ସେ କରୋନା ଭୂତାଣୁରେ ସଂକ୍ରମିତ ଥିବା ଜଣାପଡିଥିଲା । ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟ ଅତି ସଂଙ୍କଟାପନ୍ନ ରହିବାରୁ ତୁରନ୍ତ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଶେଷରେ ସେ ପ୍ରାଣ ହରାଇଥିଲେ । ବାଙ୍କୀରେ ଜନ୍ମଗ୍ରହଣ କରିଥିବା ଏହି ଡାକ୍ତର ଏମବିବିଏସ ସହ କମ୍ୟୁନିଟି ମେଡିସିନରେ ଏମଡି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରୁ ସାରିଥିଲେ । ତେବେ ତାଙ୍କ ସ୍ତ୍ରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇ ଏବେ ଭୁବନେଶ୍ୱର କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।