27.1 C
Bhubaneswar
Sunday, January 23, 2022
Homeଖେଳପୁଣିଥରେ ଜୋକୋଭିଚ୍‌ଙ୍କ ଭିସା ଖାରଜ

ପୁଣିଥରେ ଜୋକୋଭିଚ୍‌ଙ୍କ ଭିସା ଖାରଜ

ମେଲବର୍ଣ୍ଣ : ଗତ ସପ୍ତାହରେ ଅଷ୍ଟ୍ରେଲିଆନ୍ ଓପନ୍‌ରେ ଭାଗ ନେବା ସକାଶେ ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିଚ୍ ଅଷ୍ଟ୍ରେଲିଆରେ ପ୍ରବେଶ ବେଳେ ଡିଟେନ୍‌ସନ୍ ପ୍ରକୋଷ୍ଠରେ ରହିଥିଲେ । ସେ କୋଭିଡ୍ ଟିକାର ଡବଲ୍ ଡୋଜ୍ ନେଇ ଠୋସ୍ ସୂଚନା ଦେଇ ନ ଥିବାରୁ ଅଷ୍ଟ୍ରେଲିଆ ସରକାରଙ୍କ କୋଭିଡ୍ ଗାଇଡଲାଇନ୍ ଅନୁସାରେ ତାଙ୍କୁ ପ୍ରବେଶ ପାଇଁ ଅନୁମତି ମିଳି ନ ଥିଲା । କିନ୍ତୁ ଏହି ମାମଲାରେ ଜୋକୋଭିଚ୍ ଅଷ୍ଟ୍ରେଲିଆର ଫେଡେରାଲ୍ କୋର୍ଟରେ ଆବେଦନ କରିବା ପରେ ତାଙ୍କ ଭିସା ଖାରଜ ନିଷ୍ପତ୍ତିକୁ ବେଆଇନ୍ ବୋଲି କୋର୍ଟ କହିଥିଲେ । ତେଣୁ ଏହି ସର୍ବୀୟ ତାରକାଙ୍କ ଅଷ୍ଟ୍ରେଲିଆନ୍ ଓପନ୍‌ରେ ରେକର୍ଡ ୨୧ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିବା ଆଶା ଉଜ୍ଜ୍ୱଳ ହୋଇଥିଲା । କିନ୍ତୁ ଚଳିତ ସପ୍ତାହ ପ୍ରାରମ୍ଭରେ ଅଷ୍ଟ୍ରେଲିଆନ୍ ଓପନ୍‌ରେ ଭାଗ ନେବାର ଆଶ୍ୱସ୍ତିକର ଅନୁମତି ପାଇଥିବା ଜୋକୋଭିଚ୍‌ଙ୍କ ଭିସାକୁ ପୁଣିଥରେ ଖାରଜ କରାଯାଇଛି ।

ଏଥିସହ ସେ ଅଷ୍ଟ୍ରେଲିଆନ୍ ଓପନ୍‌ରେ ଭାଗ ନେବାର ସମସ୍ତ ସମ୍ଭାବନା ଏକରକମ ଶେଷ ହୋଇଛି ବୋଲି କୁହାଯାଇପାରେ । ଏଥର ବି ଜୋକୋଭିଚ୍ କୋର୍ଟରେ ଆବେଦନ କରିଥିବା ବେଳେ ଆସନ୍ତା ରବିବାର ଶୁଣାଣି କରାଯିବ । ସେ ପର୍ଯ୍ୟନ୍ତ ଜୋକୋଭିଚ୍ ମେଲବର୍ଣ୍ଣ ପାର୍କ ଟେନିସ୍ କୋର୍ଟ ପରିବର୍ତ୍ତେ ଡିଟେନସନ୍ ପ୍ରକୋଷ୍ଠରେ ରହିବେ ବୋଲି ଅଷ୍ଟ୍ରେଲିଆ ସରକାର କହିଛନ୍ତି । ଏ ସଂକ୍ରାନ୍ତରେ ବାରିଷ୍ଟର୍ ଷ୍ଟିଫେନ୍ ଲଏଡ୍ କହିଛନ୍ତି ଯେ ଜୋକୋଭିଚ୍ ତାଙ୍କ ସଲିସିଟରଙ୍କ କାର୍ଯ୍ୟାଳୟରେ ଅନଲାଇନ୍ ଶୁଣାଣି ପାଇଁ ମହଜୁଦ ରହିପାରିବେ ।

କିନ୍ତୁ ତାଙ୍କ ଉପରେ ଅଷ୍ଟ୍ରେଲିଆ ବର୍ଡର ଫୋର୍ସର ଅଧିକାରୀମାନେ ନଜର ରଖିବେ ବୋଲି ବାରିଷ୍ଟର୍ ଲଏଡ୍ କହିଛନ୍ତି । ଅଷ୍ଟ୍ରେଲିଆରେ କୋଭିଡ୍‌ର ଓମିକ୍ରନ୍ ଭାରିଆଣ୍ଟ୍ ବ୍ୟାପକ ଭାବେ ସଂକ୍ରମିତ ହେଉଥିବାରୁ ଜୋକୋଭିଚ୍‌ଙ୍କୁ ଅଷ୍ଟ୍ରେଲିଆନ୍ ଓପନରେ ଭାଗ ନେବାର ସୁଯୋଗ ଦେଲେ, ଏହା ଦେଶବାସୀଙ୍କ ମଧ୍ୟରେ କୋଭିଡ୍ ପ୍ରତି ରହିଥିବା ସତର୍କତା ଭାବନାକୁ ପ୍ରଭାବିତ କରିବ ବୋଲି ଚିନ୍ତା କରି ଅଷ୍ଟ୍ରେଲିଆ ସରକାର ପୁନର୍ବାର ତାଙ୍କ ଭିସା ଖାରଜ କରିଛନ୍ତି । ଏଦିଗରେ ଅଷ୍ଟ୍ରେଲିଆର ରୂଢ଼ୀବାଦୀ ସରକାର ଅତିରିକ୍ତ କ୍ଷମତା ପ୍ରୟୋଗ ପୂର୍ବକ ଜନହିତ ଚିନ୍ତାଧାରା ଆଧାରରେ ଜୋକୋଭିଚ୍‌ଙ୍କ ଭିସା ଖାରଜ କରିଛନ୍ତି ।

ଏନେଇ ଅଷ୍ଟ୍ରେଲିଆର ଇମିଗ୍ରେସନ୍ ମନ୍ତ୍ରୀ ଆଲେକ୍ସ ହକ୍ ଘୋଷଣା କରିବାର କେଇ ଘଣ୍ଟା ପୂର୍ବରୁ ଜୋକୋଭିଚ୍ ଅଷ୍ଟ୍ରେଲିଆନ୍ ଓପନ୍‌ରେ ଟାଇଟଲ୍ ଜିଣିବା ସକାଶେ ଅଭ୍ୟାସ କରୁଥିଲେ । ଜୋକୋଭିଚ୍‌ଙ୍କ ଦ୍ୱିତୀୟ ବାର ଭିସା ଖାରଜ ନିଷ୍ପତ୍ତିକୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସ୍ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ କୋଭିଡ୍ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶର ଜନସାଧାରଣ ଯେଉଁ ତ୍ୟାଗ କରିଛନ୍ତି, ଜୋକୋଭିଚ୍‌ଙ୍କୁ ଦେଶରେ ଖେଳିବା ସକାଶେ ଅନୁମତି ନ ଦେଇ ସରକାର ଏହି ତ୍ୟାଗକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଦ୍ୱିତୀୟ ବାର ଭିସା ଖାରଜ ହେବା ପରେ ଜୋକୋଭିଚ୍ ଆସନ୍ତା ୩ ବର୍ଷ ପାଇଁ ଅଷ୍ଟ୍ରେଲିଆ ଭିସା ପାଇପାରିବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking