30.1 C
Bhubaneswar
Thursday, April 25, 2024
Homeଓଡିଶାଆସନ୍ତାକାଲିଠୁ ରାଜ୍ୟରେ ୧ ରୁ ୧୯ ବର୍ଷ ପିଲାମାନଙ୍କ ପାଇଁ କୃମିନାଶକ ବଟିକା ବଣ୍ଟନ

ଆସନ୍ତାକାଲିଠୁ ରାଜ୍ୟରେ ୧ ରୁ ୧୯ ବର୍ଷ ପିଲାମାନଙ୍କ ପାଇଁ କୃମିନାଶକ ବଟିକା ବଣ୍ଟନ

ଭୁବନେଶ୍ୱର: ପିଲାମାନଙ୍କ ମଧ୍ୟରେ କୃମି ସଂକ୍ରମଣର ମୁକାବିଲା କରିବା ପାଇଁଁ ଅଗଷ୍ଟ ୧୨ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ୧ ରୁ ୧୯ ବର୍ଷ ପିଲାମାନଙ୍କ ପାଇଁ କୃମିନାଶକ ବଟିକା ବାଣ୍ଟିବାର କାର୍ଯ୍ୟକ୍ରମ ରହିଛି । ଅଗଷ୍ଟ ୧୨ରେ କୃମିନାଶକ ଔଷଧ ଖାଇ ନଥିବା ପିଲାମାନେ ଅଗଷ୍ଟ ୧୯ରେ ଏକ ମପ୍ ଅପ୍ ରାଉଣ୍ଡରେ ଏହି ଔଷଧ ଖାଇବେ ।ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଓ ୟୁନିସେଫ୍ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ କୃମିନାଶକର ଗୁରୁତ୍ୱ ଓ ପିଲାମାନଙ୍କୁ କୃମିରୁ ଦ୍ୱର ରଖିବା ପାଇଁ ଅଭିଭାବକ ଓ ଯତ୍ନ ପ୍ରଦାନକାରୀଙ୍କ ମଧ୍ୟରେ ସଚେତନତାର ମହତ୍ୱ ବିଷୟରେ ଅଲୋଚନା କରିଥିଲେ । ଏନ୍‌ଡିଡି ର ମୂଳ ଲକ୍ଷ୍ୟ ହେଉଛି, ପିଲାମାନଙ୍କ ସ୍ୱାସ୍ଥ୍ୟ, ପୋଷଣ ସ୍ଥିତି, ଶିକ୍ଷା ତଥା ଜୀବନଶୈଳୀରେ ଉନ୍ନତି ଆଣିବା । ଏହି କାର୍ଯ୍ୟକ୍ରମରେ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରଗୁଡିକ ମାଧ୍ୟମରେ ୧ ରୁ ୧୯ ବର୍ଷ ବୟସର ସମସ୍ତ ପିଲାମାନଙ୍କୁ କୃମିନାଶକ ବଟିକା ଖୁଆଇବାର ବ୍ୟବସ୍ଥା କରାଯାଇଛି ।

ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ, ନିର୍ଦ୍ଦେଶକ ଡ଼. ବିଜୟ କୁମାର ପ୍ର୍ରାଣିଗ୍ରାହୀ କହିଛନ୍ତି, “ ଏହି ବର୍ଷ ଅଗଷ୍ଟ ୧୨ରେ ଜାତୀୟ କୃମିନାଶକ ଦିବସ ପାଳନ କରାଯିବ । ପ୍ରତ୍ୟେକ ପିଲାଙ୍କ କୃମିନାଶ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ ୧ ରୁ ୧୯ ବର୍ଷର ପିଲାମାନଙ୍କୁ ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ରରେ କୃମିନାଶକ ବଟିକା (ଆଲବେଣ୍ଡାଜୋଲ୍‌) ଦିଆଯିବ । ଏହା ଦ୍ୱାରା ପିଲାମାନଙ୍କୁ ରକ୍ତହୀନତା ଓ ଅପପୁଷ୍ଟିରୁ ସୁରକ୍ଷା ଦିଆଯାଇପାରିବ । ଯାହା ଫଳରେ ପିଲାମାନେ ଉତ୍ତମ ସ୍ୱାସ୍ଥ୍ୟ ପାଇବା ସହ ବିଦ୍ୟାଳୟରେ ସେମାନଙ୍କ ଉପସ୍ଥାନ ବଢିବ ଏବଂ ଭବିଷ୍ୟତରେ ସୁସ୍ଥ ସମାଜ ଗଠନ ହୋଇପାରିବ । ବର୍ତ୍ତମାନ ରାଜ୍ୟରେ ୧,୬୮,୩୧,୬୭୯ ଏନଡିଡି ହିତାଧିକାରୀ ଅଛନ୍ତି । ଯେଉଁମାନଙ୍କୁ ୫୫,୫୦୦ ଟି ବିଦ୍ୟାଳୟ ଓ ୭୨,୦୦୦ ଅଙ୍ଗନୱାଡି କେନ୍ଦ୍ରରେ କୃମିନାଶକ ଔଷଧ ଦିଆଯିବ । ଏହି କାର୍ଯ୍ୟକ୍ରମରେ ୬୯,୦୦୦ ଶିକ୍ଷକ, ୭,୮୦୦ ଏଏନ୍‌ଏମ୍‌, ୭୨,୦୦୦ ଅଙ୍ଗନୱାଡି କର୍ମୀ ଓ ୪୮,୦୦୦ ଆଶାକର୍ମୀ ନିୟୋଜିତ ହେବେ ।

ଆଲବେଣ୍ଡାଜୋଲ୍ ସିରପ୍ ଏବଂ ବଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ଏବଂ ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ନିରାପଦ । ସେ ଆହୁରି ମଧ୍ୟ କହିଛନ୍ତି, ପିଲାମାନେ ଏହି ଔଷଧ ଶିକ୍ଷକ ଓ ଅଙ୍ଗନୱାଡି କର୍ମୀଙ୍କ ତତ୍ୱାବଧାନରେ ଖାଇବେ । ୩୦ ଟି ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ରଗୁଡିକରେ କୃମିନାଶକ ଔଷଧ ଦିଆଯିବ । ଭିଟାମିନ୍‌-ଏ(କ) ସପ୍ଲିମେଣ୍ଟସନ୍ (ଭିଏଏସ୍‌) କାର୍ଯ୍ୟକ୍ରମ ଅନୁଯାୟୀ, ୯ ମାସରୁ ୬୦ ମାସ ବୟସର ପିଲାମାନଙ୍କୁ ଅଗଷ୍ଟରେ ଭିଟାମିନ୍‌-ଏ (କ) ର ଉପଯୁକ୍ତ ମାତ୍ରା ନିୟମିତ ଟୀକାକରଣ କେନ୍ଦ୍ର ଏବଂ ସ୍ୱତନ୍ତ୍ର ଭିଏଚ୍‌ଏସ୍‌ଏନ୍‌ଡି ଗୁଡିକରେ ଦିଆଯିବ । ଭିଟାମିନ୍ ଏ (କ) ସପ୍ଲିମେଣ୍ଟସନ୍ ପାଇବା ପାଇଁ ରାଜ୍ୟରେ ୩୫,୧୯,୫୫୪ ହିତାଧିକାରୀ ରହିଛନ୍ତି । ସୂଚନା ଅନୁଯାୟୀ, ସମସ୍ତ ୩୦ଟି ଜିଲ୍ଲାରେ ଉଭୟ ଏନ୍‌ଡିଡି ଏବଂ ଭିଏସ୍ କାର୍ଯ୍ୟକ୍ରମ ପାଇଁ ପର୍ଯାପ୍ତ ପରିମାଣର ଔଷଧ ସହିତ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ।

ଏହି ଔଷଧଗୁଡିକରେ ୧-୫ବର୍ଷର ପିଲାମାନଙ୍କ ପାଇଁ ଆଲବେଣ୍ଡାଜୋଲ୍ ସସ୍‌ପେନ୍‌ସନ୍‌, ୬ ରୁ ୧୯ ବର୍ଷର ପିଲାମାନଙ୍କ ପାଇଁ ଆଲବେଣ୍ଡାଜୋଲ୍ ବଟିକା ଏବଂ ୯ ରୁ ୬୦ମାସର ପିଲାମାନଙ୍କ ପାଇଁ ଭିଟାମିନ୍ ‘କ’ ଅନ୍ତର୍ଭୁକ୍ତ ରହିଛି । ଜାତୀୟ କୃମିନାଶକ ଦିବସ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ୟୁନିସେଫ ଓଡିଶାର ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଜୀ କହିଛନ୍ତି, “କୋଭିଡ-୧୯ର ସମସ୍ତ ଗାଇଡଲାଇନ୍ ଯଥା ହାତ ସାନିଟାଇଜ୍ କରିବା, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଆଦି ଏନଡିଡି କାର୍ଯ୍ୟକ୍ରମ ସମୟରେ ଅବଲମ୍ବନ କରାଯିବା ଉଚି୍‌ତ । ଅନ୍ୟମାନଙ୍କ ମଧ୍ୟରେ ଡ଼. ସ୍ମୃତିଜିତ୍ ପଟ୍ଟନାୟକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking