31.1 C
Bhubaneswar
Friday, March 29, 2024
Homeଓଡିଶାଚିକିତ୍ସାରେ ଅର୍ଥସାଜିଛି ବାଧକ

ଚିକିତ୍ସାରେ ଅର୍ଥସାଜିଛି ବାଧକ

ଫୁଲବାଣୀ: ବାଲିଗୁଡା ସହରର ପାତ୍ର ସାହିରେ ବାସ କରୁଥିବା ବାଉରି ସାହୁଙ୍କ ୫ଟି ଝିଅ ଓ ଗୋଟିଏ ପୁଅ । ପୁଅ ୩୦ ବର୍ଷର ରମେଶ ସାହୁ ବ୍ଲଡ୍ କ୍ୟାନ୍‌ସରରେ ପୀଡ଼ିତ । ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ପୁଅକୁ ଭଲ ଚିକିତ୍ସା କରାଇବା ପାଇଁ ବାପା-ମା ଆକୁଳ ନିବେଦନ କରିଛନ୍ତି । ଗୋଟିଏ ପଟେ ପରିବାର ପ୍ରତିପୋଷଣ ଓ ପୁଅର ଚିକିତ୍ସା କେମିତି କରିବେ ତାହାକୁ ନେଇ ଚିନ୍ତିତ ଥିବାବେଳେ ବାପାଙ୍କ ଗୋଟିଏ ହାତ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି । ପରିବାର ପକ୍ଷରୁ ପୁଅର ଚିକିତ୍ସା ନିମନ୍ତେ ସରକାରୀ ସାହାଯ୍ୟ ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ପାଇଁ ଗୁହାରି କରିଛନ୍ତି । ସୂଚନାନୁସାରେ, ରମେଶ କିଛି କାମ କରି ପାରୁନାହାନ୍ତି, ଘରେ ଶୋଇ ରହୁଛନ୍ତି । ଖାଇବା ମାତ୍ରେ ବାନ୍ତି ହେଉଛି ଆଉ ବାନ୍ତିରେ ରକ୍ତ ବି ପଡୁଛି । ଗତଦୁଇ ମାସ ଧରି ଏହିଭଳି ହେଉଛି ରମେଶଙ୍କର । ସେ ପ୍ରଥମେ ଅସୁସ୍ଥ ହେବାପରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଯାଇ ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତର ପ୍ରାଥମିକ ଚିିକିତ୍ସା କରାଇ ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିଲେ । ପରିବାର ଲୋକେ ଜିଲ୍ଲା ଚିକିତ୍ସାଳୟ ଫୁଲବାଣି ଓ ପରେ ଅଧିକ ଚିକିତ୍ସାପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ନେଇଥିଲେ । ଡାକ୍ତର ତାଙ୍କୁ ବ୍ଲଡ କ୍ୟାନସର ହୋଇଛି ବୋଲି କହିବା ସହ ତାଙ୍କୁ କଟକ ଯାଇ ଚିକିତ୍ସା କରାଇବା ପାଇଁ ପରାମର୍ଶ କରିଥିଲେ । ଏହାପରେ ସେ କଟକ ବଡ ମେଡିକାଲରେ କିଛି ଦିନ ଚିକିତ୍ସା କରାଇବା ପରେ କ୍ୟାନସର ଚିକିତ୍ସାପାଇଁ କଟକର ଥିବା ହରିହର ଆଚାର୍ଯ୍ୟ ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ ଓ ସେଠାରେ ରମେଶଙ୍କୁ ଗୋଟିଏ କେମୋ ଦିଆଯାଇଛି । ଡାକ୍ତର ପୁଣି ରମେଶଙ୍କୁ ଚିକିତ୍ସା ନିମନ୍ତେ ଆସନ୍ତା ୩୧ ତାରିଖରେ ଡକାଇଛନ୍ତି । କିନ୍ତୁ ରମେଶଙ୍କ ପରିବାର ଅତ୍ୟନ୍ତ ଗରୀବ ଓ ତାଙ୍କର ଚିକିତ୍ସା ନିମନ୍ତେ କଟକ ଯିବା ପାଇଁ ହାତରେ ଟଙ୍କା ନାହିଁ ଓ ବ୍ଲଡ କ୍ୟାନସର ରୋଗକୁ ଚିକିତ୍ସା ନିମନ୍ତେ ଏତେ ଟଙ୍କା କେଉଁଠୁ ଆଣିବେ ତାହା ଚିନ୍ତାରେ ପଡିଛନ୍ତି ପରିବାର । ସୂଚନା ଯୋଗ୍ୟ ଯେ ପୀଡ଼ିତ ରମେଶ ତାଙ୍କ ଘରକୁ ଗୋଟିଏ ପୁଅ ଓ ସେ ହିଁ ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ମଧ୍ୟ ସହାୟତା ପାଇଁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking