28.1 C
Bhubaneswar
Saturday, April 20, 2024
Homeଓଡିଶାଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କୁ ଖରିଫ-୨୦୨୩ କାଳିଆ ସହାୟତା ରାଶି ପ୍ରଦାନ

ଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କୁ ଖରିଫ-୨୦୨୩ କାଳିଆ ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ କାଳିଆ ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲାର ୩୬,୨୪୯ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୨୪୬ ଜଣ ଭୂମିହୀନ କୃଷି ପରିବାରଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ ୭ କୋଟି ୩୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାଳିଆ ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ ଅପ୍ରେଲ ପହିଲା ଓଡ଼ିଶା ଦିବସ ଅବସରରେ ଝାରସୁଗୁଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ୨୯ଟି ଜିଲ୍ଲାର ୪୨ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୪୯ ହଜାରରୁ ଅଧିକ ଭୂମିହୀନ କୃଷି ପରିବାରକୁ ୨୦୨୩ ଖରିଫ ଫସଲ ଋତୁ ପାଇଁ ୮୭୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାଳିଆ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପ୍ରକ୍ରିୟା ଚାଲୁ ରହିଥିବା ପରିପ୍ରେକ୍ଷୀରେ କାଳିଆ ସହାୟତା ରାଶି ଝାରସୁଗୁଡ଼ା ଜିଲ୍ଲାର କାଳିଆ ହିତାଧିକାରୀ କୃଷକମାନଙ୍କୁ ଦିଆଯାଇ ନଥିଲା । ଇତି ମଧ୍ୟରେ ଝାରସୁଗୁଡ଼ାର ଉପନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇଥିବାରୁ ଉପରୋକ୍ତ କାଳିଆ ସହାୟତା ରାଶି ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ କୃଷକ କଲ୍ୟାଣକାରୀ ‘କାଳିଆ’ ଯୋଜନାରେ ଚାଷୀମାନଙ୍କୁ ପ୍ରତି ଫସଲ ଋତୁ ପ୍ରାରମ୍ଭରେ ନଗଦ ଅର୍ଥ ଆକାରରେ ସହାୟତା ଦିଆଯାଇଥାଏ ଯାହାକି ଚାଷୀ ଭାଇଭଉଣୀମାନଙ୍କୁ କୃଷିକାର୍ଯ୍ୟ ପାଇଁ ପ୍ରାଥମିକ ମୂଳଧନ ଭଳି ସାହାଯ୍ୟ କରିଥାଏ । ଏହା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ପରିବାରର ଆୟବୃଦ୍ଧି କରିବା ସହିତ ସାମାଜିକ ଓ ଅର୍ଥନୈତିକ ବିକାଶରେ ସହାୟକ ହୋଇଥାଏ । କାଳିଆ ହିତାଧିକାରୀ ଚାଷୀମାନେ ଏହି ଯୋଜନାରେ ସହାୟତା ରାଶି ପ୍ରାପ୍ତି ପରେ ଆଉ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା କିମ୍ବା ଗାଁ ସାହୁକାରଙ୍କଠାରୁ ଉଚ୍ଚ ସୁଧହାରରେ ହାତଉଧାରୀ ଋଣ ଆବଶ୍ୟକ କରୁନାହାନ୍ତି । ଏଥି ସହିତ କାଳିଆ ଯୋଜନାରେ ଭୂମିହୀନ କୃଷି ପରିବାରଙ୍କୁ ଜୀବିକା ସହାୟତା ନିମନ୍ତେ ତିନୋଟି କିସ୍ତିରେ ଆର୍ôଥକ ସହାୟତା ରାଶି ପ୍ରଦାନ କରାଯାଉଛି ।

ଗତ ୨୦୨୨-୨୩ ରବି ଋତୁ ସୁଦ୍ଧା ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହିତାଧିକାରୀଙ୍କ ପରିବାରକୁ ମୋଟ ୮ଟି କିସ୍ତିରେ ସମୁଦାୟ ୨୨ ହଜାର ଟଙ୍କାର କାଳିଆ ସହାୟତା ରାଶି ଯୋଗାଇ ଦିଆଯାଇଥିଲା । ସେହିଭଳି ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଭୂମିହୀନ କୃଷି ଶ୍ରମିକ ପରିବାରକୁ ବିଭିନ୍ନ କିସ୍ତିରେ ୧୨ ହଜାର ୫୦୦ ଟଙ୍କା ଲେଖାଏଁ ଜୀବିକା ସହାୟତା ରାଶି ପ୍ରଦାନ କରାଯାଇଛି । ସେହିପରି କାଳିଆ ହିତାଧିକାରୀ ପିଲାମାନଙ୍କୁ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷା ନିମନ୍ତେ କାଳିଆ ଛାତ୍ରବୃତ୍ତି ୨୦୨୧-୨୨ ଶିକ୍ଷାବର୍ଷଠାରୁ ପ୍ରଦାନ କରାଯାଉଛି । ୨୦୨୨-୨୩ ଶିକ୍ଷାବର୍ଷରେ ୧୦୭୪ ଜଣ କାଳିଆ ହିତାଧିକାରୀ ପିଲାମାନଙ୍କୁ କାଳିଆ ଛାତ୍ରବୃତ୍ତି ବାବଦରେ ସମୁଦାୟ ୨.୬ କୋଟି ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking