37.1 C
Bhubaneswar
Thursday, March 28, 2024
Homeଓଡିଶାହଜିଗଲା ମାନବିକତା, ଅଲୋଡ଼ା ହେଲା ମା’

ହଜିଗଲା ମାନବିକତା, ଅଲୋଡ଼ା ହେଲା ମା’

ଢେଙ୍କାନାଳ : ହଜିଗଲା ମାନବିକତା । ଅଲୋଡ଼ା ହେଲା ମା’ । ୩ ବର୍ଷ ହେବ ବୃଦ୍ଧ ମା’ଙ୍କୁ ଘରୁ ତଡ଼ିଦେଲେ ପୁଅବୋହୂ । ପର ବାରଣ୍ଡାରେ ବିତୁଛି ଜୀବନ । କେତେବେଳେ ଗାଁ କୋଠଘର ତ ଆଉ କେତେବେଳେ ମନ୍ଦିର ବାରଣ୍ଡା ପାଲଟିଛି ବୃଦ୍ଧାଙ୍କ  ଆଶ୍ରୟସ୍ଥଳୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗ୍ରାମ କଣ୍ଟାସାହିର ଲାବନା ସାହାଣୀ (୭୦)ଙ୍କ କ୍ଷେତ୍ରରେ । ୩୦ ବର୍ଷ ପୂର୍ବେ ସ୍ୱାମୀ ଦିଶ ସାହାଣୀଙ୍କ ଏକ ଅଜଣା ରୋଗରେ ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ  ମୃତ୍ୟୁପରେ ଭାଙ୍ଗି ପଡିନଥିଲେ ଲାବନା । ସରକାରୀ ସହାୟତା କହିଲେ ବିଧବା ଭତ୍ତା ଏବଂ ଆବାସ ଘର ଖଣ୍ଡେ ।

ପୁଅ ଓ ଝିଅଙ୍କୁ ଦୁଃଖକଷ୍ଟ କରି ପାଳିଲେ । ପୁଅ ଏବେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିଲା । ଯାହା ରୋଜଗାର କରୁଥିଲେ ଦୁଃଖେକଷ୍ଟେ ଚଳିଯାଉଥିଲେ । ପ୍ରଥମେ ଝିଅ ଓ ପରେ ପୁଅ ପ୍ରକାଶର ବାହାଘର କରାଇଥିଲେ । ବେଶ କିଛି ବର୍ଷ ପୁଅ-ବୋହୂଙ୍କୁ  ନେଇ ସୁଖର ସଂସାର ଚାଲିଲା । କିନ୍ତୁ ୩ ବର୍ଷ ପୂର୍ବେ କୌଣସି କଥାକୁ ନେଇ ଶାଶୁ-ବୋହୂ ମଧ୍ୟରେ କଥା କଟାକଟି ହୋଇଥିଲା । ପୁଅ ସ୍ତ୍ରୀ କଥାରେ ପଡି ବିଧବା ମା’କୁ ମାଡ଼ମାରି ଘରୁ ତଡିଦେଲା । ଖରା ବର୍ଷାରେ ବାର ଦୁଆର ବୁଲି ପେଟ ପୋଷୁଛନ୍ତି ଲାବନା ।

ବେଳେବେଳେ ଉପାସ ମଧ୍ୟ ରହୁଛନ୍ତି । ଲାବନା ପୂର୍ବଭଳି ଆଉ ଚଲାବୁଲା କରିପାରୁନାହାନ୍ତି କି ଆଖିକୁ ଭଲ ଦିଶୁନାହିଁ । ଜୀବନର ଶେଷ ସମୟରେ ପୁଅ-ବୋହୂ ନିଷ୍ଠୁର ସାଜିଛନ୍ତି । ପାଇଥିବା ଆବାସ ଘରଖଣ୍ଡେ ବି ନିଜର ହେଲାନାହିଁ । କେତେ ଆଉ ବାରଦୁଆର ଶୁଣ୍ଡିପିଣ୍ଡା ହେବେ ଲାବନା । ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking