40.1 C
Bhubaneswar
Thursday, April 25, 2024
Homeଓଡିଶାଅଲେଖ ମହିମା ଧ୍ୱନିରେ ପ୍ରଙ୍କମ୍ପିତ ଯୋରନ୍ଦା ମହିମାଗାଦି

ଅଲେଖ ମହିମା ଧ୍ୱନିରେ ପ୍ରଙ୍କମ୍ପିତ ଯୋରନ୍ଦା ମହିମାଗାଦି

ଢେଙ୍କାନାଳ : ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ମହିମା ସାଧୁସନ୍ଥମାନେ ଶୁନ୍ୟପ୍ରଭୁଙ୍କୁ ପ୍ରାର୍ଥନା କରିଥା’ନ୍ତି । ଗାଦିର ଚାରିଦ୍ୱାରରେ ଦୀପ ମଧ୍ୟ ଜଳାଯାଇଥା’ନ୍ତି । ମାତ୍ର କରୋନା ମହାମାରୀକୁ ଖାତିରି ନକରି ଶୁନ୍ୟପ୍ରଭୁଙ୍କ ଉଦ୍ଦେଶ୍ୟ ଏକତ୍ରିତ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ ସମେତ ସାଧୁସନ୍ଥମାନେ । ଅଲେଖ ମହିମା ଧ୍ୱନିରେ ଫାଟି ପଡୁଥିଲା ସମଗ୍ର ଅଞ୍ଚଳ । ବିଶ୍ୱ ପ୍ରଷିଦ୍ଧ ମାଘମେଳାର ଏପରି ଦୃଶ୍ୟ ହିଁ ଦର୍ଶାଉଥିଲା ମହିମା ଗୋସାଇଁଙ୍କ ପ୍ରତି ଥିବା ଆକୁଣ୍ଠ ବିଶ୍ୱାସ । ଅଲେଖ ମହିମା ଧ୍ୱନିରେ ସଭିଏଁ ହୋଇଉଠୁ ଥିଲେ ଏକାକାର ।
ପବିତ୍ର ମାଘ ଶୁକ୍ଲ ଚତୁର୍ଦ୍ଦଶୀ ଉପଲକ୍ଷେ ପୁର୍ବନିର୍ଧାରିତ ସମୟ ନିର୍ଘଣ୍ଟ ଅନୁଯାୟୀ ଗୁରୁବାର ପ୍ରାତଃ ସମୟରୁ ଶୁନ୍ୟ ପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା । ସାଧୁସନ୍ଥମାନେ ୬୨ମୁଠା ରୁପା ପହଁରାରେ ଛେରା ପହଁରା କରିଥିଲେ ।

ଏହାପରେ ଆରମ୍ଭ ହୋଇଥିଲା ଚାମର ସେବା । ପର୍ଯ୍ୟାୟକ୍ରମେ ୬୦ମୁଠା ଚାମରରେ ମନ୍ଦିର ପରିକ୍ରମା ପରେ ଏହି ନୀତି ସଂପନ୍ନ ହୋଇଥିଲା । ଏହାପରେ ଭକ୍ତମାନେ ଶରଣ ଦର୍ଶନ କରିଥିଲେ । ନାମ ଭଜନ, ଖଞ୍ଜଣି ବାଦଦ, ସଂକୀର୍ତନରେ ପୀଠ ପରିସର ପ୍ରଙ୍କମ୍ପିତ ହୋଇ ଉଠୁଥିଲା । ଅପରାହ୍ନ ୫ଟା ୧୫ରେ ଗାଦି ମନ୍ଦିରର ଚାରି ଦ୍ୱାରରେ ଝାଡଦୀପ ପ୍ରଜ୍ୱଳନ କରାଯାଇଥିଲା । ବିଶ୍ୱ କଲ୍ୟାଣ ଉଦେଶ୍ୟରେ ମହିମା ସନ୍ୟାସୀମାନେ ପ୍ରାର୍ଥନା କରିଥିଲେ । ହୁଳହୁଳି, ଅଲେଖ ଧ୍ୱନିରେ କମ୍ପି ଉଠିଥିଲା ପୀଠ । ସତ୍ୟ ମହିମା ଧର୍ମାଧର୍ମ ପରିଚାଳନା ସମିତି ପକ୍ଷରୁ ସାଧୁ ନିତ୍ୟାନନ୍ଦ ବାବା, କୌପୀନୀଧାରୀ ମହିମା ସମାଜର ରଘୁନାଥ ବାବା, ଅବିନାଶୀ ବାବା ପ୍ରମୁଖ ବରିଷ୍ଠ ସନ୍ନ୍ୟାସୀମାନେ ଉପାସନା ପୀଠରେ ସମସ୍ତ ନୀତିକାନ୍ତି ସଂପନ୍ନ କରିଥିଲେ ।

କୋଭିଡ କଟକଣା ଯୋଗୁଁ ଗାଦି ମନ୍ଦିରରେ ପୁର୍ବ ଓ ଉତର ଦ୍ୱାର ଦେଇ ସାଧୁସନ୍ଥମାନେ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଭିତରୁ ପ୍ରବେଶ କରୁଥିଲେ । ଏକକାଳିନ ୫୦ଜଣ ଶ୍ରଦ୍ଧାଳୁଙ୍କୁ ୧୦ ମିନିଟ ପାଇଁ ପ୍ରବେଶ ଅନୁମତି ଦିଆଯାଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ବାହାର ଶ୍ରଦ୍ଧାଳୁ ମାନଙ୍କୁ ବାରଣ କରାଯାଇଥିଲା । ମାତ୍ର ଚଳିତ ବର୍ଷ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ମେଳାରେ ଏକତ୍ରିତ ହୋଇଥିଲେ । ସନ୍ଦିଗ୍ଧଙ୍କ କରୋନା ପରୀକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ଟେଷ୍ଟ କେନ୍ଦ୍ର ଖୋଲା ଯାଇଥିବା ବେଳେ କଡାକଡି ଯାଞ୍ଚ କରାଯାଉଛି । ମେଳାରେ ସ୍ଥାନୀୟ ବ୍ୟବସାୟୀ ଓ ଦୋକାନୀ ଅଳ୍ପସଂଖ୍ୟକ ଆସିଥିବା ଜଣାଯାଇଛି । ମେଳା ପରିସରରେ ଏସ୍‌ପି କେ.ଶିବା ସୁବ୍ରମଣି, ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର, ସଦର ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking