34.1 C
Bhubaneswar
Friday, March 29, 2024
Homeଓଡିଶାବକେୟା ଦରମା ଦାବିରେ ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ତାଲା

ବକେୟା ଦରମା ଦାବିରେ ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ତାଲା

ଫୁଲବାଣୀ : ପର୍ଯ୍ୟଟନ ଋତୁରେ ଦାରିଙ୍ଗବାଡ଼ି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଦେଖାଯାଇଛି ଅବ୍ୟବସ୍ଥା । ଦୀର୍ଘ ୪ ମାସ ଧରି ଦରମା ମିଳିନଥିବା ପ୍ରତିବାଦରେ ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ କର୍ମଚାରୀ ମାନେ ତାଲା ପକାଇ ଦେଇଛନ୍ତି । ଫଳରେ ସୁବିଧା କେନ୍ଦ୍ରକୁ ସାମାନ୍ୟ ସୁବିଧା ପାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ଯେଉଁ ପର୍ଯ୍ୟଟକ ମାନେ ଦାରିଙ୍ଗବାଡ଼ି ଗସ୍ତ କରିଥିଲେ, ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଲୋକଙ୍କୁ ସୁବିଧା ଯୋଗାଉଥିବା ଏହି କର୍ମଚାରୀଙ୍କ ପ୍ରତି ସରକାର ଉଦାସିନତାକୁ ନେଇ ବହୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ୫୯ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ତାଲା ପଡିବା ଯୋଗୁଁ ପର୍ଯ୍ୟଟକ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଓଡ଼ିଶାର କାଶ୍ମୀର ଭାବରେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ତମାନ ପର୍ଯ୍ୟଟକଙ୍କ ସୂଅ ଛୁଟୁଛି । ପର୍ଯ୍ୟଟକମାନଙ୍କ ପାଇଁ ଦାରିଙ୍ଗବାଡ଼ିରେ ଶୌଚାଳୟର ବ୍ୟବସ୍ଥା ନଥିବା ବେଳେ ସୁବିଧା କେନ୍ଦ୍ରରେ ସେ ସବୁ ସୁବିଧା ଉପଲବ୍ଧ ହେଉଥିଲା । ବର୍ତ୍ତମାନ ସୁବିଧା କେନ୍ଦ୍ର ବନ୍ଦ ଯୋଗୁଁ ସେହି ସୁବିଧା ପାଇବାରୁ ବଂଚିତ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, ଜାତୀୟ ରାଜପଥରେ ଯାତାୟତ କରୁଥିବା ଯାନବାହାନ ଗୁଡ଼ିକୁ ରାସ୍ତା ପାଶ୍ୱର୍ରେ ସୁବିଧା ଦେବା ଉଦ୍ଦେଶ୍ୟରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଥିଲା । କେନ୍ଦ୍ରର ରକ୍ଷଣାବେକ୍ଷଣ କରିବା ପାଇଁ ୧୩ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ରାଜ୍ୟସରକାରଙ୍କ ପୂୂର୍ତ୍ତ ବିଭାଗ ତରଫରୁ ଏହି କର୍ମଚାରୀଙ୍କୁ ନିଯୁକ୍ତି ପାଇଁ ପି.ଏସ.ଆଇ.ପି.ଏଲ ନାମକ ଠିକା ସଂସ୍ଥାକୁ ଟେଣ୍ଡର ଦିଆଯାଇଅଛି । କିନ୍ତୁ ଆଜିକୁ ୪ ମାସ ହେଲା ଦରମା ଦାବି କରିଆସୁଥିବା ବେଳେ କର୍ମଚାରୀଙ୍କ କଥା କେହି ଶୁଣିନଥିଲେ । ବାଧ୍ୟ ହୋଇ କର୍ମଚାରୀ ସୁବିଧା କେନ୍ଦ୍ରର ମୁଖ୍ୟଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି । ଦରମା ନ ମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସୁବିଧା କେନ୍ଦ୍ରର ସୁପରଭାଇଜର ସୁନୀଲ କୁମାର ଚୌଧୁରୀ, ଟିମ୍ ଲିଡର ରୁଦ୍ରଦେବ ମଲିକ, ଅମରେଶ କୁମାର ସାହୁ, ଅରୁଣ କୁମାର ପ୍ରଧାନ, ଶଙ୍କରଚାନ୍ଦ ଜ୍ୟୋତିରଞ୍ଜନ ମଳିକ, ରାକେଶ ପ୍ରଧାନ, ସାମନ୍ତ ପ୍ରଧାନ, ଟିଟୁନା ପ୍ରଧାନ, ସାବିତ୍ରୀ ପାତ୍ର, ଗଣେଷ ସାହୁ, ସମୀର ଦିଗାଳ, ଅଭିଷେକ ନାୟକ, ଅର୍ପଣ କୁମାର ସାହୁ ପ୍ରମୁଖ କହିଛନ୍ତି । ଏନେଇ ଠିକା ସଂସ୍ଥା ପି.ଏସ.ଆଇ.ପି.ଏଲର ଡିଭିଜନ ମ୍ୟାନେଜର ସଂଜୟ କୁମାର ସେଠୀଙ୍କ ସହିତ ଯୋଗାଯୋଗ କରିବାରୁ ପୂର୍ତ୍ତ ବିଭାଗ ତରଫରୁ ୬ମାସ ହେଲା ତାଙ୍କ ସଂସ୍ଥାକୁ କୌଣସି ଅର୍ଥ ପ୍ରଦାନ କରାଯାଇନାହିଁ । ଯାହାଫଳରେ କର୍ମଚାରୀ ମାନଙ୍କୁ ୪ ମାସର ଦରମା ପ୍ରଦାନ କରାଯାଇ ପାରିନାହିଁ ବୋଲି ସେ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଏନେଇ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ବ୍ରଜକିଶୋର ମହାପାତ୍ରଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ମନୋଜ କୁମାର ତ୍ରୀପାଠୀଙ୍କ ସହିତ ଆଲୋଚନା କରିଥିବା ପ୍ରକାଶ କରିଥିଲେ । ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ତ୍ରିପାଠୀ ସୁବିଧା କେନ୍ଦ୍ର ବୁଲି ଦେଖିଛନ୍ତି । ସେ ଏନେଇ ପୁର୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଓ ବ୍ରହ୍ମପୁର ଡିଭିଜନାଲ ଅଫିସରଙ୍କ ସହିତ କର୍ମଚାରୀଙ୍କ ବକେୟା ଦରମା ଓ କେନ୍ଦ୍ରକୁ ଖୋଲାଯିବା ଦିଗରେ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking