ଧାନବାଦ : ଝାଡ଼ଖଣ୍ଡର ଧାନବାଦ ଯୋଡ଼ାଫାଟକ ରୋଡ଼୍ସ୍ଥିତ ଆଶୀର୍ବାଦ ଟାୱାର୍ ନାମକ ଏକ ଆପାର୍ଟମେଣ୍ଟ୍ରେ ମଙ୍ଗଳବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୪ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୧୦ ମହିଳା ଓ ୩ ଶିଶୁ ସାମିଲ ଥିବା ଜଣାପଡିଛି । ଗୁରୁତର ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଉପୁଜିିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟ ବହୁତଳ ବିଶିଷ୍ଟ ଆଶୀର୍ବାଦ ଟାୱାର୍ର ତୃତୀୟ ମହଲାରେ ସନ୍ଧ୍ୟା ୬ଟାରେ ନିଆଁ ଲାଗିଥିଲା । ନିଆଁ କ୍ରମଶଃ ବିଭିନ୍ନ ମହଲାକୁ ବ୍ୟାପିଯାଇଥିଲା । ଫଳରେ ଆପାର୍ଟମେଣ୍ଟରେ ଫସିଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ନିଆଁକୁ ଆୟତ୍ତ କରିବାକୁ ୬ଟି ଦମକଳ ନିୟୋଜିତ କରାଯାଇଛି ।
ଟାୱାର୍ରେ କେତେ ଲୋକ ଫସି ରହିଛନ୍ତି, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଅନ୍ୟପକ୍ଷରେ ଅଗ୍ନିକାଣ୍ଡ କାରଣରୁ ଆପାର୍ଟମେଣ୍ଟ୍ର ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ମୁତୟନ କରାଯାଇଛି । ସେହିପରି ଉଦ୍ଧାର କାର୍ଯ୍ୟ ବେଳେ ସ୍ଥାନୀୟ ଥାନା ଅଧିକାରୀ ଅଚେତ ହୋଇପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଘଟଣାରେ ଦୁଃଖପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟକୁ ତଦାରଖ କରୁଛନ୍ତି । ଧାନବାଦ ଡେପୁଟି କମିଶନର୍ ସନ୍ଦୀପ କୁମାର କହିଛନ୍ତି, ଆପାର୍ଟମେଣ୍ଟ୍ରେ ଚାଲିଥିବା ପୂଜାରୁ ଏହି ଅଗ୍ନିକାଣ୍ଡ ଘଟିଛି । ଉଦ୍ଧାର କାର୍ଯ୍ୟ ପୂରା ହେବାପରେ ହିଁ ମୃତାହତଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିବ ବୋଲି ସେ କହିଛନ୍ତି । ତେବେ ଅଗ୍ନିକାଣ୍ଡରେ ୧୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଏସ୍ଏସ୍ପି ସ୍ପଷ୍ଟ କରିସାରିଛନ୍ତି । ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ଏହି ସ୍ଥାନରେ ଥିବା ହାଜରା କ୍ଲିନିକ୍ରେ ନିଆଁଲାଗି ଡାକ୍ତର ଦମ୍ପତିଙ୍କ ସମେତ ୫ ଜଣ ପୋଡ଼ିହୋଇ ପ୍ରାଣ ହରାଇଥିଲେ ।