ନୂଆଦିଲ୍ଲୀ: ଦେଶର ଅନ୍ୟତମ ଘରୋଇ ଏୟାରଲାଇନ୍ସ ଗୋ-ଫାଷ୍ଟ ବର୍ତ୍ତମାନ ଦେବାଳିଆ ଅବସ୍ଥାରେ ପହଞ୍ଚିଛି । ଏହାସତ୍ତ୍ୱେ ସେମାନେ ପୁଣି ସ୍ଥିତି ସୁଧାରିବା ସହ ଉଡାଣ ପ୍ରକ୍ରିୟାକୁ ଫେରିବେ ବୋଲି ଗୋ-ଫାଷ୍ଟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଗାମୀ ୩୦ ଦିନ ମଧ୍ୟରେ ରିଭାଇଭାଲ ପ୍ଲାନ୍ (ପୁନରୁଜ୍ଜୀବିତ ଯୋଜନା) ଦାଖଲ କରିବାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଗୋ-ଫାଷ୍ଟକୁ ନିର୍ଦ୍ଦେଶ ଦିଆଯାଇଛି ।
ଏୟାରଲାଇନ୍ସ ନିକଟରେ କେତେ ସଂଖ୍ୟକ ବିମାନ ରହିଛି, କେତେ ସଂଖ୍ୟକ ପାଇଲଟ୍ ଓ କର୍ମଚାରୀ ଅଛନ୍ତି, ଆର୍ôଥକ ସ୍ଥିତି ସୁଧାରିବାର ଉପାୟ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିବାକୁ ଡିଜିସିଏ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଅନୁଧ୍ୟାନ କରିବାପରେ ଡିଜିସିଏ ଗୋ-ଫାଷ୍ଟକୁ ପୁଣି ବିମାନ ଚଳାଚଳ ପାଇଁ ଅନୁମତି ଦେବେ କି ନାହିଁ, ତାହା ସ୍ପଷ୍ଟ କରାଯିବ । ମେ’ ୮ରେ ଗୋ-ଫାଷ୍ଟ ପକ୍ଷରୁ ଡିଜସିଏ କର୍ତ୍ତୃପକ୍ଷଙ୍କ ନିକଟରେ କାରଣ ଦର୍ଶାଅ ନୋଟିସର ଉତ୍ତର ଦାଖଲ କରାଯାଇଥିଲା । ମୋରାଟୋରିୟମ ସମୟରେ ବିମାନ ଚଳାଚଳ ପୁନଃଆରମ୍ଭ ସମ୍ପର୍କରେ ପ୍ରସ୍ତୁତି ଆରମ୍ଭ କରିବାକୁ ଗୋ-ଫାଷ୍ଟ କର୍ତ୍ତୃପକ୍ଷ ଡିଜିସିଏଙ୍କ ଅନୁମତି ଲୋଡିଥିଲେ । ଇତିମଧ୍ୟରେ ଗୋ-ଫାଷ୍ଟ ନିଜକୁ ଦେବାଳିଆ ଘୋଷଣା କରିଥିବାବେଳେ ମେ’ ୩ରୁ ବିମାନ ଚଳାଚଳକୁ ବାତିଲ କରିସାରିଛି ।