ଦିଲ୍ଲୀରେ ସିଏଏ ହିଂସା : ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସିଏଏ ସମର୍ଥକ ଓ ବିରୋଧୀ ଗୋଷ୍ଟୀଙ୍କ ମଧ୍ୟରେ ଉତ୍ତର-ପୂର୍ବ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ତୀବ୍ର ହେବାରେ ଲାଗିଛି । ଏହି ହିଂସାକାଣ୍ଡରେ ଏଯାଏଁ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୧୮୯ ଜଣ ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ କେତେକ ସ୍ଥାନରେ ଉତ୍ତେଜନା ଜାରି ରହିଥିବାରୁ ଅର୍ଦ୍ଧସାମରିକ ବଳ ଫ୍ଲାଗମାର୍ଚ୍ଚ କରିଛି । ଏଥିସହ ଅଧିକ ୮୦୦ ଯବାନଙ୍କୁ ଉତ୍ତେଜନା ଥିବା ଅଞ୍ଚଳରେ ନିୟୋଜିତ କରାଯାଇଛି ।

ପୂର୍ବ ଦିଲ୍ଲୀର ଦୁଇଟି ସ୍ଥାନରେ ସଦ୍ୟ ହିଂସାକାଣ୍ଡ ଘଟିବାରୁ ସେନାବାହିନୀ ଡକାଇବାକୁ ବୁଧବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କହିଛନ୍ତି । କେଜ୍ରିଓ୍ଵାଲ୍ କହିଛନ୍ତି ଯେ ସବୁ ପ୍ରକାର ପ୍ରୟାସ ସତ୍ତ୍ୱେ ପୁଲିସ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଅସମର୍ଥ ।
ବୁଧବାର ଟୁଇଟ୍ କରି କେଜ୍ରିଓ୍ଵାଲ୍ ଲେଖିଛନ୍ତି: ସେନାବାହିନୀ ଡକାଯିବା ସହ ହିଂସାକାଣ୍ଡ ପ୍ରଭାବିତ ବାକି ଅଞ୍ଚଳରେ ତୁରନ୍ତ କର୍ଫ୍ୟୁ ଜାରି ହେବା ଉଚିତ । ଏଥିପାଇଁ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରି ପତ୍ର ଲେଖିବେ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ଆଜି ସକାଳେ ଶହଦାରା ଠାରେ ଥିବା ଗୁରୁ ତେଗ ବାହାଦୂର(ଜିବିଟି) ହସ୍ପିଟାଲକୁ ଆଉ ୭ଟି ମୃତଦେହ ଅଣାଯାଇଛି । ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତଦେହ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରୁ ଜିବିଟି ହସ୍ପିଟାଲକୁ ଅଣାଯାଇଥିବା କୁହାଯାଇଥିଲା । ଫଳରେ ମୃତ୍ୟୁସଂଖ୍ୟା ୧୭ ଛୁଇଁଥିଲା । ହେଲେ ଏହାର କିଛି ମିନିଟ୍ ପରେ ଆଉ ଜଣଙ୍କ ମୃତଦେହ ହସ୍ପିଟାଲରେ ପହଞ୍ଚିଥିଲା । ଏଯାଏ ଜିବିଟି ହସ୍ପିଟାଲରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ଘଟିଛିଅନ୍ୟପକ୍ଷରେ ପ୍ରଶାସନ ସ୍ଥିତି ନିୟନ୍ତ୍ରଣ ପାଇଁ କର୍ଫ୍ୟୁ ଲଗାଇଥିଲେ ହେଁ ଆଜି ସକାଳୁ ଗୋକୁଲପୁରୀରେ ହିଂସା ଦେଖିବାକୁ ମିଳିଛି । କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆସି ଏହି ଅଞ୍ଚଳରେ ଥିବା ଦୋକାନ ଗୁଡ଼ିକରେ ନିଆଁ ଲଗାଇ ଦେଇଛନ୍ତି । ଏଥିସହ ଗାଡ଼ି ମଟର ମଧ୍ୟ ପୋଡ଼ି ଦେଇଛନ୍ତି । ପୁଲିସ୍ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଏହାକୁ ନେଇ ସ୍ଥିତି ପୁଣିଥରେ ସାଂଘାତିକ ହୋଇପଡ଼ିଛି ।