26.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟବାହାରୁ ଅନ୍‍ଲାଇନରେ ‘ଦେହ’ ମୂଲ୍‌ଚାଲ୍‌ , ଅବାଧରେ ପଶୁଛନ୍ତି ବାଂଲାଦେଶୀ ରୂପଜୀବୀ

ରାଜ୍ୟବାହାରୁ ଅନ୍‍ଲାଇନରେ ‘ଦେହ’ ମୂଲ୍‌ଚାଲ୍‌ , ଅବାଧରେ ପଶୁଛନ୍ତି ବାଂଲାଦେଶୀ ରୂପଜୀବୀ

ଭୁବନେଶ୍ୱର: ରାଜଧାନୀରେ ବଦଳୁଛି ଅନୈତିକ କାରବାରର ଧାରା। ଅନୈତିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲାଗି ପୁଲିସର କଡ଼ା ପଦକ୍ଷେପ ଯୋଗୁଁ ଏଥିରେ କିଛି ମାତ୍ରାରେ ଅଙ୍କୁଶ ଲାଗିଛି। ଏଣୁ ଅନ୍‍ଲାଇନରେ ଏବେ ଅନୈତିକ କାରବାର ବା ସେକ୍ସ ରାକେଟ୍‍ ଚାଲୁଛି। ଅନ୍‍ଲାଇନ୍‍କୁ ଆଧାର କରି ରୂପଜୀବୀ ଗ୍ରାହକ ଯୋଗାଡ଼ କରୁଛନ୍ତି। ଦଲାଲଙ୍କ ନମ୍ବର ମଧ୍ୟ ୱେବ୍‍ସାଇଟ୍‍ରେ ରହିଛି। ଦଲାଲ ସହ ଗ୍ରାହକ ଯୋଗାଯୋଗ କରିବା ପରେ ହ୍ୱାଟ୍ସଆପ୍‍ରେ ଫଟୋ ଆସିଯାଉଛି। ଗ୍ରାହକ ରୂପଜୀବୀକୁ ପସନ୍ଦ କରିବା ପରେ ମୂଲଚାଲ ହେଉଛି। ଦାମ୍‍ ଠିକ୍‍ ହେବାପରେ ଜାଗା ଓ ସମୟ ଫାଇନାଲ୍‍ ହେବା ସହ ନିର୍ଦ୍ଧାରିତ ସ୍ଥାନରେ ଗ୍ରାହକ ପହଞ୍ଚିଯାଉଛି। ପୂର୍ବରୁ ସ୍ପା, ଲଜ୍‍, ହୋଟେଲରେ ସେକ୍ସ ରାକେଟ୍‍ ଚାଲୁଥିଲା। କିନ୍ତୁ ପୁଲିସର ଚଢ଼ଉ ଓ କାର୍ଯ୍ୟାନୁଷ୍ଠାନ ଭୟରେ ବନ୍ଦ ହୋଇଯାଇଛି। ଏଥିରେ ଦଲାଲ୍‍ ସାଜୁଛନ୍ତି ମାଙ୍ଗୁଆଳ। ଫୋନ୍‍ କଲ୍‍ ପହଞ୍ଚିବା ପରେ ଦଲାଲ୍‍ ଯୁବତୀଙ୍କୁ ଠିକଣା ସ୍ଥାନରେ ପହଞ୍ଚାଇ ଦେଉଛନ୍ତି। ସେହିପରି କମିସନରେଟ୍‍ ପୁଲିସ ଓ କ୍ରାଇମ୍‍ବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ(ଏସ୍‍ଟିଏଫ୍‍) ବାରମ୍ବାର ଚଢ଼ଉ କରିବା ସହ ଏଭଳି ନେଟ୍‍ୱର୍କ ଚଲାଉଥିବା ମାଷ୍ଟରମାଇଣ୍ଡ୍‍ ଉପରେ ସ୍ୱତନ୍ତ୍ର ନଜର ରଖିଛି। ତେଣୁ ରାଜ୍ୟ ବାହାରୁ ସେକ୍ସ ର‍୍ୟାକେଟର ବାଦ୍‍ଶାହା କୁହାଯାଉଥିବା ସୁନୀଲ ମେହେର କଣ୍ଟ୍ରୋଲ୍‍ କରୁଛି। ତା’ର କିଛି ଅନୁଗାମୀ ସହାୟତାରେ ଅନ୍‍ଲାଇନ୍‍ ଓ ହ୍ୱାଟ୍ସଆପ୍‍ରେ ଅପରେଟ୍‍ କରୁଥିବା ଜଣାପଡ଼ିଛି। ସୁନୀଲ କୋଲକାତା କିମ୍ବା ଉତ୍ତର-ପୂର୍ବ ଦିଲ୍ଲୀରେ ରହୁଥିବା ଅନୁମାନ କରାଯାଉଛି। କିଛି ମହିଳା ସହଯୋଗୀ ରାଜଧାନୀରେ ସେକ୍ସ ରାକେଟ୍‍ ବୁଝୁଥିବା ସୂଚନା ମିଳିଛି। ସେପଟେ ଅନ୍‍ଲାଇନ୍‍ରେ ଅନୈତିକ କାରବାର ଚାଲୁଥିବାରୁ ପୁଲିସ କିମ୍ବା ଅନ୍ୟ ତଦନ୍ତକାରୀ ସଂସ୍ଥା ସେକ୍ସ ରାକେଟ୍‍ ବିଷୟରେ ତଥ୍ୟ ପାଉନି।

ଓଡ଼ିଶାରେ ବିଶେଷ କରି ରାଜଧାନୀରେ ବହୁଳ ମାତ୍ରାରେ ସେକ୍ସ କାରବାର ଚାଲୁଛି। ଏଥିରେ ଅଧିକ ବାଂଲାଦେଶୀ ଓ ନେପାଳୀ ଯୁବତୀ ଲିପ୍ତ ରହୁଛନ୍ତି। ସେମାନେ ଓଡ଼ିଶାକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଉ ନ ଥିବାରୁ ଏଠାରେ ସୁରକ୍ଷିତ ଭାବେ ରହୁଛନ୍ତି। ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଲଗାଇବାକୁ କହି ଦଲାଲ୍‍ ଓଡ଼ିଶା ନେଇ ଆସୁଛନ୍ତି। ଏଠାରେ ଚାକିରି କିମ୍ବା କାହା ଘର କାର୍ଯ୍ୟରେ ନ ଲଗାଇ ଦେହ ବ୍ୟବସାୟରେ ଲଗାଉଛନ୍ତି। ଟଙ୍କା ଲୋଭରେ ସେମାନେ ଥରେ ଏହି କାର୍ଯ୍ୟରେ ରହିବା ପରେ ଆଉ ସେଥିରୁ ବାହାରି ପାରୁନାହାନ୍ତି। ସେହିପରି ସେକ୍ସ ରାକେଟରେ ଧରାପଡ଼ିଲେ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରାଯାଉଛି। ସେମାନଙ୍କୁ ନିଜ ଦେଶକୁ ଫେରାଇବା ଲାଗି ବାଂଲାଦେଶର ଦୂତାବାସ ସହ ଯୋଗାଯୋଗ କରାଯାଉଛି। ସେଠାରୁ କିଛି ଉତ୍ତର ମିଳୁନି। ବାଂଲାଦେଶ ସରକାର ନିଜର ଲୋକଙ୍କୁ ଫେରାଇବା ଲାଗି ବନ୍ଦୋବସ୍ତ କରୁନାହାନ୍ତି। ସେମାନଙ୍କୁ ନିଜ ଦେଶକୁ ଫେରାଇ ନେବା ଲାଗି ବହୁ ଥର ଚିଠି ଲେଖାଯାଇ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରଭାବ ପଡ଼ୁନି। ସେପଟେ କମିସନରେଟ୍‍ ପୁଲିସ ବାଧ୍ୟ ହୋଇ ସେମାନଙ୍କୁ ସୁଧାରଗୃହର ରଖୁଛି। ପରବର୍ତ୍ତୀ ସମୟରେ ସେମାନେ ସେଠାରୁ ଖସିଯାଇ ପୁଣିଥରେ କାରବାର କରୁଛନ୍ତି। ଗତବର୍ଷ ରାଜଧାନୀ ଉପକଣ୍ଠ ଯାଁଳାର ଏକ ସୁଧାରଗୃହରେ ଥିବା ୬ଜଣ ରୂପଜୀବୀ ଏହିଭଳି ଖସିଯାଇ ପୁଣି ଅନୈତିକ କାରବାରରେ ଲିପ୍ତ ରହିଥିବା ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking