ସିଲେରୁ ନଦୀରେ ଡଙ୍ଗା ବୁଡ଼ି ଘଟଣା : ଆଉ ୨ ନିଖୋଜଙ୍କ ମୃତଦେହ ଉଦ୍ଧାର , ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓ ଆନ୍ଧ୍ର ସୀମାନ୍ତ ସିଲେରୁ ନଦୀରେ ଗତ ସୋମବାର ରାତ୍ରିରେ ଦେଶୀ ଡଙ୍ଗା ଓଲଟିବା ଘଟଣାରେ ନିଖୋଜ ଅନ୍ୟ ୨ ଜଣଙ୍କ ମୃତ ଦେହ ଆଜି ଉଦ୍ଧାର କରାଯାଇଛି । ଫଳରେ ମୃତକଙ୍କ ସଂଖ୍ୟା ୮ କୁ ବୃଦ୍ଧି ପାଇଛି । ଦୁର୍ଘଟଣା ରାତ୍ରିରେ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗତକାଲି ୫ ଜଣ ଓ ଆଜି ଅନ୍ୟ ୨ ଜଣଙ୍କ ସମେତ ସମସ୍ତ ୮ ଜଣ ନିଖୋଜଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାଡ଼ା ପଞ୍ଚାୟତ କନ୍ଧଗୁଡା ଓ ଗୁଣ୍ଠାୱାଡା ଗ୍ରାମର ୧୧ ଜଣ ଜଣ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ନିକଟସ୍ଥ ସାଙ୍ଗରେଡିର ଏକ ଇଟା ଭାଟିରେ କାମ କରିବାକୁ ଯାଇ କରୋନା କଟକଣା ଯୋଗୁଁ ଅସ୍ଥାୟୀ ସଂଗରୋଧ କେନ୍ଦ୍ରରେ ରହିବା ଭୟରେ ନିଜ ଗ୍ରାମକୁ ଲୁଚି ଲୁଚି ୨ ଟି ଦେଶୀ ଡଙ୍ଗା ସାହାଯ୍ୟରେ ଗ୍ରାମକୁ ଫେରୁଥିଲେ । ଏହି ସମୟରେ ନଦୀ ମଧ୍ୟରେ ଥିବା ଏକ ଗଛର ଖୁଣ୍ଟରେ ଧକ୍କା ହୋଇ ଗୋଟିଏ ଡଙ୍ଗା ଓଲଟି ପଡ଼ିଥିଲା । ତେବେ ସେଥିରେ ଥିବା ଲୋକେ ଜୀବନ ବଞ୍ଚାଇବାକୁ ଅନ୍ୟ ଏକ ଡଙ୍ଗା ଉପରେ ଚଢ଼ିବା ବେଳେ ଉକ୍ତ ଡଙ୍ଗା ମଧ୍ୟ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ୩ ଜଣ ପହଁରି ପହଁରି ଘାଟରେ ପହଞ୍ଚିଥିବା ବେଳେ ୮ ଜଣ ନିଖୋଜ ଥିଲେ । ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ ହେମରମଙ୍କ ନେତୃତ୍ୱରେ ଓଡ୍ରାଫ ଓ କୋରୁକୋଣ୍ଡା ଅଗ୍ନିଶମ ସେବା ବାହୀନୀର କର୍ମଚାରୀମାନେ ସମସ୍ତ ନିଖୋଜଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ମୃତକଙ୍କ ମଧ୍ୟରେ କନ୍ଧଗୁଡ଼ା ଗ୍ରାମର ଲକ୍ଷ୍ମୀ ଖରା (୨୨), ପିଙ୍କି ଖରା (୪), ଅବିର ଖରା (୧), ଅନୁଶା ବଡ଼ନାୟକ (୨୫), ଗାୟତ୍ରୀ ବଡ଼ନାୟକ(୩), ରାଣୀ ବଡ଼ନାୟକ (୬), ସାମସନ ୟଲଗୁରୁ (୫), ଅନିଶ୍ୱରନ ୟଲଗୁରୁ (୧) ବୋଲି ଜଣାପଡ଼ିଛି । ମୃତକଙ୍କ ପରିବାର ବର୍ଗଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଓ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜିଳ୍ଲା ଜରୁରିକାଳୀନ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here