ଲକଡାଉନ୍ ନେଲା ଜୀବନ

ମାଲକାନଗିରି : ଲକଡାଉନ୍ ଯୋଗୁଁ ବହୁ ଗରିବ, ଖଟିଖିଆ ବିପନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଇଛି । ଏଭଳି ସମୟରେ ଜଣେ ଶ୍ରମିକ କାମ କରିବାକୁ ଯାଇ ଦେହ ଖରାପ ହେବାରୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ନପାଇ ତେଲେଙ୍ଗାନରେ ମୃତ୍ୟୁବରଣ କରିଛି । ପରେ ମୃତଦେହକୁ ନିଜ ଜିଲ୍ଲାର ପ୍ରବେଶ ପଥ ଦେଇ ଆଣିବାକୁ ଅନୁମତି ନମିଳିବାରୁ ଅନ୍ୟ ପ୍ରବେଶ ପଥ ଦେଇ ଆଣିବାକୁ ପଡ଼ିଛି । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ ।
ସୂଚନା ଅନୁଯାୟୀ, ସଦର ବ୍ଲକ୍ ଅନ୍ତର୍ଗତ ସେରପାଲ୍ଲୀ ପଞ୍ଚାୟତର ପଦରାଗୁଡ଼ା ଗ୍ରାମର ଦଶରଥ କୁରାମୀଙ୍କ ପୁତ୍ର ବାସୁଦେବ କୁରାମୀ(୧୬)ଙ୍କ ସମେତ ସଂପୃକ୍ତ ଗ୍ରାମର ୮ ଜଣ ଓ କମଳାପଦର ଗ୍ରାମର ଜଣେ ମିଶି ମୋଟ ୯ ଜଣ ଗତ ୩ ମାସ ହେଲା ତେଲେଙ୍ଗାନା ରାଜ୍ୟର ସୀତାପେଟାଠାରେ କାମ କରିବାକୁ ଯାଇଥିଲେ । ତେବେ ହଠାତ୍ ବାସୁଦେବଙ୍କୁ ଜ୍ୱର ସହ ଛାତିରେ ଯନ୍ତ୍ରଣା ହେବାରୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନେଇଥିଲେ । ତେବେ ତାଙ୍କୁ ସେଠାରେ ତାଙ୍କୁ ଭର୍ତ୍ତି କରିନଥିଲେ । ପରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିନଥିଲା । ପରେ ଘରକୁ ଆସିବା ପାଇଁ କୌଣସି ବିକଳ୍ପ ନ ଥିବାରୁ ବାଧ୍ୟ ହୋଇ ଏକ ପୁରୁଣା ମୋଟର ସାଇକେଲ କ୍ରୟ କରିଥିଲେ । ପରେ ମୋଟର ସାଇକେଲରେ ନିଜ ଗ୍ରାମକୁ ଫେରିବାକୁ ମଧ୍ୟ ଅନୁମତି ମିଳି ନଥିବା ତାଙ୍କ ସହକର୍ମୀ ମେଘନାଥ ଡୁରୁକା ଓ ପ୍ରଦୀପ ଦୋରା ଅଭିଯୋଗ କରିଛନ୍ତି । ଫଳରେ ଏହାର କିଛି ସମୟ ପରେ ବାସୁଦେବର ମୃତ୍ୟୁ ଘଟିଥିଲା । ପରେ ତାଙ୍କ ସହକର୍ମୀମାନେ ଏକ ଆମ୍ବୁଲାନ୍ସରେ ନିଜ ଗ୍ରାମକୁ ଆଣିବା ବେଳେ ଜିଲ୍ଲାର ମୋଟୁ ସୀମା ପ୍ରବେଶ ପଥରେ ଜିଲ୍ଲା ପ୍ରଶାସନ ଶବକୁ ଆଣିବା ପାଇଁ ଅନୁମତି ଦେଇନଥିଲା । ଫଳରେ ବାଧ୍ୟ ହୋଇ ଅଧିକ ୬୨ କିଲୋମିଟର ରାସ୍ତା ଅତିକ୍ରମ କରି ଚିତ୍ରକୋଣ୍ଡା ଦେଇ ଗ୍ରାମକୁ ଶବକୁ ଆଣିବା ପରେ ଶୋକାକୂଳ ପରିବେଶ ମଧ୍ୟରେ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି ।