35.1 C
Bhubaneswar
Tuesday, April 23, 2024
Homeଅପରାଧଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ବାଲୁଗାଁ : ବାଲୁଗାଁ ଥାନା ଅଧୀନ ଚିଲିକା କୂଳରୁ ପାଣିରେ ଭାସୁଥିବା ଏକ ଗଳିତ ଶବକୁ ସ୍ଥାନୀୟ ପୁଲିସ ବୁଧବାର ସକାଳେ ଉଦ୍ଧାର କରିଛି । ମୃତକ ଜଣକ ହେଲେ ସ୍ଥାନୀୟ ବିଷ୍ଣୁଡିହ ଗ୍ରାମର ନକୁଳ ସାହୁଙ୍କ ପୁଅ ସୁକେଶ ସାହୁ(୨୨) । ପ୍ରକାଶ ଯେ,  ବାଲୁଗାଁ ନିକଟସ୍ଥ ବିଷ୍ଣୁଡିହ ଗ୍ରାମର ନକୁଳ ସାହୁଙ୍କ ଏକମାତ୍ର ପୁଅ ସୁକେଶ ପ୍ରାୟତଃ ବିଦେଶରେ ରହନ୍ତି । କିଛିଦିନ ପୂର୍ବରୁ ସୁକେଶ ବିଦେଶରୁ ଫେରିଥିଲେ । ହେଲେ ସୋମବାର ଅପରାହ୍ଣରେ ସୁକେଶ ତାଙ୍କ ବନ୍ଧୁଙ୍କ ସହ ବାଇକ୍ ଯୋଗେ ବାଲୁଗାଁ ଆସିଥିଲେ । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକ ବହୁ ଖୋଜା ଖୋଜି କରି ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ତାଙ୍କ ଫୋନ୍ ମଧ୍ୟ ବନ୍ଦଥିଲା ।
ମଙ୍ଗଳବାର ସକାଳୁ ଏକ ବାଇକ୍ ବାଲୁଗାଁ ଚିଲିକା କୂଳରେ ପଡ଼ିଥିବା ଖବରପାଇ ପରିବାର ଲୋକ ପହଞ୍ଚ ତାହା ତାଙ୍କ ପୁଅର ବୋଲି ଚିହ୍ନଟ କରିଥିଲେ । ତେବେ ସୁକେଶ ଗାଡ଼ିଛାଡ଼ି କୁଆଡ଼େ ଗଲେ ସେନେଇ ସନ୍ଦେହ ଉପୁଜିଥିଲା । ସୋମବାର ସନ୍ଧ୍ୟାରେ ଉକ୍ତ ସ୍ଥାନରେ କିଛି ଯୁବକ ବସି ମଦ୍ୟପାନ କରୁଥିବା କିଛି ଦେଖଣାହାରୀଙ୍କଠାରୁ ପ୍ରକାଶ । ତେବେ ପରିବାର ପକ୍ଷରୁ ସୁକେଶଙ୍କ ନିଖୋଜ ସମ୍ପର୍କରେ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପୁଲିସ ଅନୁସନ୍ଧାନ ଜାରି ରଖିଥିବାବେଳେ ନିଖୋଜର ଦୁଇଦିନ ପରେ ବୁଧବାର ଭୋରରୁ ବାଲୁଗାଁ ଚିଲିକା କୂଳ ଜେଟିପାଶ୍ୱର୍ ଜଳରେ ଜଣେ ଯୁବକଙ୍କ ଶବ ଭାସୁଥିବା ଖବରପାଇ ପରିବାର ଲୋକ ପହଞ୍ଚ ସୁକେଶଙ୍କୁ ଚିହ୍ନି ପାରିଥିଲେ । ପରେ ଥାନାଧିକାରୀ ରମାକାନ୍ତ ମହାଳିକ ସଦଳବଳ ଘଟଣାସ୍ଥଳରେ ପହଞ୍ଚ ପାଣିରୁ ଶବକୁ ଉଦ୍ଧାର କରିଥିଲେ । ଅପରପକ୍ଷରେ ପରିବାର ଲୋକେ ଏପରି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନଥିବାବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ସାଙ୍ଗରେ ଯାଇଥିବା ଜଣେ ବନ୍ଧୁଙ୍କଠାରୁ ସୁକେଶଙ୍କ ମୋବାଇଲ୍ ଫୋନ୍‌ଟି ମିଳିଛି । ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଜାରିରଖିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking