ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

ଯାଜପୁର : ଗତ ସୋମବାର ଠାରୁ ନିଖୋଜ ଥିବା ବିବାହିତ ମହିଳାଙ୍କ ମୃତଦେହ ନିଜ ଶାଶୂଘର ନିକଟସ୍ଥ ଏକ ପୋଖରୀରୁ ମିଳିଛି ।
ସୂଚନା ଅନୁଯାୟୀ, ଯାଜପୁର ଥାନା ଅଧିନସ୍ଥ ସିମୁଳିଆ ଗ୍ରାମର କବିତା ବରାଳ ରତଳାଙ୍ଗ ଗ୍ରାମର ଲକ୍ଷ୍ମୀଧର ସାମଲଙ୍କୁ ୩ ବର୍ଷ ପୂର୍ବରୁ ବିବାହ କରିଥିଲେ । ମାତ୍ର କବିତାଙ୍କ ସ୍ୱାମୀ ଲକ୍ଷ୍ମୀଧର କବିତା ନିଖୋଜ ହେବା ଖବର ତାଙ୍କ ନିଜ ପରିବାରକୁ ଜଣାଇବା ପରେ ପରିବାରର ସଦସ୍ୟ ମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ବିଞ୍ଝାରପୁର ପୁଲିସ ସନ୍ଦେହ କରି ଲକ୍ଷ୍ମୀଧରଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିଲା । ଆଜି ସକାଳୁ ସ୍ଥାନୀୟ ଲୋକ ପୋଖରୀରେ ଶବ ଭାସୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ । ବିଞ୍ଝାରପୁର ଥାନା ଅଧିକାରୀ ଶିବ ଚରଣ ବେହେରା ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଓ ଏହି ଘଟଣାରେ କବିତାଙ୍କ ଶ୍ୱଶୁର, ଶାଶୁ, ସ୍ୱାମୀ, ଯା’ ତପସ୍ୱିନୀ ସମ୍ପୃକ୍ତ ଅଛନ୍ତି । ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଝିଅର ପରିବାର ଲୋକ ଦାବି କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ସ୍ୱାମୀ ଲକ୍ଷ୍ମୀଧର ଏବଂ ଯା’ ତପସ୍ୱିନୀଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ।