33.1 C
Bhubaneswar
Thursday, April 25, 2024
Homeଓଡିଶାଶବଦାହକୁ ନେଇ ୨ ଗାଁ’ ମଧ୍ୟରେ ଉତ୍ତେଜନା

ଶବଦାହକୁ ନେଇ ୨ ଗାଁ’ ମଧ୍ୟରେ ଉତ୍ତେଜନା

ଫୁଲବାଣୀ : ଗାଁ ମଝିରେ ଶବଦାହକୁ ନେଇ ବୁଧବାର କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ୍‌ର ୨ ଗାଁ ମଧ୍ୟରେ ଉତ୍ତେଜନା ଦେଖାଯାଇଥିବା ବେଳେ ଖବରପାଇଁ ଖଜୁରିପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିବା ଜଣାଯାଇଛି । ପୁଲିସ ପହଞ୍ଚବା ପୂର୍ବରୁ ଗାଁ ମଧ୍ୟରେ ଶବଦାହ ଆରମ୍ଭ ହୋଇଯାଇଥିବା ପ୍ରକାଶ ।
ସୂଚନା ଅନୁଯାୟୀ, ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ଉରୁମୁଣ୍ଡା ଗ୍ରାମର ୯୨ ବର୍ଷର ଦାମୋଦର ବେହେରାଙ୍କର ଆଜି ତାଙ୍କ ବାସଭବନରେ ପରଲୋକ ହୋଇଥିଲା । ଶବଦାହ ପାଇଁ ବର୍ତ୍ତମାନ ବ୍ୟବହୃତ ହେଉଥିବା ଶ୍ମଶାନକୁ ନନେଇ ଗ୍ରାମବାସୀ ଓ ପରିବାର ଲୋକେ ଗତ ୫ ବର୍ଷ ପୂର୍ବେ ଶବଦାହ ହେଉଥିବା ସୁରାଦେଇ ଗାଁ ମଝିରେ ଥିବା ପୁରୁଣା ମଶାଣିକୁ ନେଇଥିଲେ । ବର୍ତ୍ତମାନ ପୁରୁଣା ମଶାଣି ଚତୁଃପାଶ୍ୱର୍ରେ ବହୁ ସଂଖ୍ୟାରେ ଘରଦ୍ୱାର ହୋଇଯାଇଥିବା ଯୋଗୁଁ ଶବଦାହ ଖବର ପାଇଁ ସୁରାଦେଇ ଗ୍ରାମର କିଛି ବ୍ୟକ୍ତି ସେଠାରେ ପହଞ୍ଚ ସ୍ୱର୍ଗତ ଦାମୋଦରଙ୍କ ପୁଅ ଦେବେନ୍ଦ୍ର ଓ ସଚିନ୍ଦ୍ର ବେହେରାଙ୍କୁ ଏଠାରେ ଲୋକ ରହୁଥିବାରୁ ଶବଦାହ ନକରିବା ପାଇଁ ଅନୁରୋଧ କରିବା ସହିତ ଗତ ୫ ବର୍ଷଧରି ଯେଉଁ ନୂତନ ସ୍ଥାନରେ ଶବଦାହ ହେଉଛି ସେଠାକୁ ନେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଶବଦାହ ପାଇଁ ଆସିଥିବା ଉରୁମୁଣ୍ଡାବାସୀ ଜୋରଜବରଦସ୍ତ ସୁରାଦେଇ ଗାଁ ମଝିରେ ଶବଦାହ କରିଥିଲେ । ଏହାକୁ ନେଇ ୨ ଗ୍ରାମ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଖବର ପାଇ ଖଜୁରିପଡ଼ା ଥାନା ଅଧିକାରୀ ରମାକାନ୍ତ ପାତ୍ରଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚ ଉଭୟ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲା ।
ସୁରାଦେଇ ଗ୍ରାମର ପୂର୍ବତନ ୱାର୍ଡ ମେମ୍ବର କବିରାଜ ଗଣ୍ଡା ଓ ଗ୍ରାମବାସୀ ଗାଁ ମଝିରୁ ଶ୍ମଶାନ ଉଠାଇବାକୁ ଅନୁରୋଧ କରିଥିଲେ ମଧ୍ୟ ଉରୁମୁଣ୍ଡାବାସୀ ଉକ୍ତ ଶ୍ମଶାନ ସରକାରୀ ତାଲିକାରେ ଉରୁମୁଣ୍ଡା ଗାଁ ନାମରେ ଥିବାରୁ ଏଠାରେ ଶବଦାହ କରାଯାଇଥିବା କହିଥିଲେ । ଯେଉଁ ଶ୍ମଶାନକୁ ନେଇ ଅସନ୍ତୋଷ ଦେଖାଯାଇଛି, ସେହି ଶ୍ମଶାନ ଆଖପାଖରେ ବର୍ତ୍ତମାନ ବହୁ ଗ୍ରାମବାସୀ ଘରଦ୍ୱାରା ନିର୍ମାଣ କରି ରହୁଛନ୍ତି । ଫଳରେ ଜନୈକ ବ୍ୟକ୍ତି ଗାଁ ଠାରୁ କିଛି ଦୂରରେ ଏକ ଜମି ଦାନ କରିଥିବା ବେଳେ ଗତ କିଛିବର୍ଷ ହେଲା ଉକ୍ତ ଦାନଜମିରେ ଶବଦାହ ହୋଇ ଆସୁଥିବା ସୁରାଦେଇ ଗ୍ରାମବାସୀ ପ୍ରକାଶ କରିଥିଲେ । ଆଜି ଶବରେ ନିଆଁ ଲାଗିଯାଇଥିବା ଯୋଗୁଁ ପୁଲିସ ଏଥିରେ ହସ୍ତକ୍ଷେପ ନକରି ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଅନ୍ୟପକ୍ଷରେ ଆଜିର ଘଟଣା ସମ୍ପର୍କରେ ସୁରାଦେଇ ଗ୍ରାମବାସୀ ଲିଖିତ ଭାବେ ଥାନା ଅଧିକାରୀଙ୍କୁ ଏକ ଏତଲା ମଧ୍ୟ ଦେଇଥିବା ଜଣାଯାଇଛି । ପୁଲିସ ଏହାର ତଦନ୍ତ କରି ସ୍ଥାୟୀ ପ୍ରତିକାର ଗ୍ରହଣ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking