ବିଜୁଳି ତାର ଲାଗି ହାଇଓ୍ଵା ଚାଳକଙ୍କ ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡାରେ ଘଟିଛି ଏକ ଦୁଃଖଦ ଘଟଣା | ଗତକାଲି ରାତିରେ କୋଲାବିରା ଥାନା ଅଧୀନ ଅମାଟି ଗ୍ରାମରେ ଗୋଟାଏ ହାଇଓ୍ଵା ଟ୍ରକ୍‌ର ଡାଲା ବିଜୁଳି ତାର ସହ ଲାଗିଯିବା କାରଣରୁ ଚାଳକଙ୍କର ମୃତ୍ୟୁ ହୋଇ ଯାଇଛି । ତେବେ ମୃତ ହାଇଓ୍ଵା ଚାଳକ ଜଣକ ହେଉଛନ୍ତି ଜମନକିରା ଥାନା ଅଞ୍ଚଳ ତିନି ମହୁଲ ଗ୍ରାମର ୩୭ ବର୍ଷିୟ କୈଳାସ ବେହେରା ବୋଲି ଜଣା ପଡିଛି ।
ଅଘଟଣଟି ଗତ ରାତି ପ୍ରାୟ ୧୧ଟା ବେଳେ ଘଟିଥିବାର ସୂଚନା ମିଳିଛି । ଲୁଙ୍ଗୁଡ଼ାରୁ ବଡ଼ମାଳ ଯାଏଁ ତିଆରି ହେଉଥିବା ରାସ୍ତା କାମ ସକାଶେ ନିୟୋଜିତ ହୋଇଥିବା OD23G9636 ନମ୍ବରବିଶିଷ୍ଟ ହାଇଓ୍ଵା ଟ୍ରକ୍‌ଟି ଅମାଟିସ୍ଥିତ ଷ୍ଟକ୍‌ ୟାର୍ଡକୁ ବଜୁରି (ଚିପ୍ସ୍‍) ନେଇ ଯାଇଥିଲା । ସେଠାରେ ବଜୁରି ଅନ୍‌ଲୋଡ୍‌ କରିବା ବେଳେ ଉପରେ ଟଣା ହୋଇଥିବା ବିଜୁଳି ତାରରେ ହାଇଓ୍ଵା ଡାଲା ବାଜିବାରୁ ସମଗ୍ର ଗାଡ଼ିକୁ ବିଜୁଳି ପ୍ରବାହିତ ହୋଇଥିଲା । ଏବଂ ଚାଳକ କୈଳାସ ବିଜୁଳି ଆଘାତ ପାଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।
ଆଜି ସକାଳେ କୋଲାବିରା ପୁଲିସ ଘଟଣାସ୍ଥଳରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।