ଶେଷରେ ଆଖି ବୁଜିଲେ ଉନ୍ନାଓ ପୀଡିତା,ତାଙ୍କ ବାପା କ'ଣ କହିଲେ ଜାଣନ୍ତୁ..

ଉନ୍ନାଓ: ହାଇଦ୍ରାବାଦ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା ପୁରା ଦେଶରୁ ଥରାଇ ଦେଇଛି | ଶୁକ୍ରବାର ଚାରି ଅଭିଯୁକ୍ତ ଏନକାଉଣ୍ଟରରେ ନିହତ ହୋଇଥିବା ବେଳେ ପୁଣି ଏକ ଦୁଃଖଦ ଘଟଣା ଘଟି ଯାଇଛି । ଦେଶରେ ନାରୀ ପ୍ରତି ଅତ୍ୟାଚାର ଦିନକୁ ଦିନ ଜଘନ୍ୟ ରୂପ ଧାରଣ କରିବାରେ ଲାଗିଛି | ଗତ ଶୁକ୍ରବାର ରାତି ୧୧ଟା ୪୦ ମିନିଟ୍‌​‌ରେ ହସ୍ପିଟାଲରେ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ହୋଇଛି । ଦୀର୍ଘ ୪୪ ଘଣ୍ଟାଧରି ପୀଡ଼ିତା ମୃତ୍ୟୁ ସହ ସଘର୍ଷ କରି ଶେଷରେ ଆଖି ବୁଜି ଦେଲେ । ବର୍ତ୍ତମାନ ସମୟରେ ପୀଡ଼ିତାଙ୍କ ବାପାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଦୁଷ୍କର୍ମକାରୀଙ୍କୁ ହାଇଦ୍ରାବାଦ ଭଳି ଏନକାଉଣ୍ଟର କରାଯାଉ। ନ ହେଲେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯାଉ ବୋଲି ସରକାର ନିକଟରେ ପୀଡ଼ିତାଙ୍କ ବାପା ଦାବି କରିଛନ୍ତି।
ପୀଡ଼ିତାଙ୍କ ବାପା କହିଛନ୍ତି ଯେ ଶେଷ ସମୟ ପର୍ଯ୍ୟନ୍ତ ତାଙ୍କ ଝିଅ ମୃତ୍ୟୁ ସହ ସଘର୍ଷ କରିଥିଲେ। ଲୁହ ଭରା ଆଖିରେ ପୀଡ଼ିତାଙ୍କ ବାପା କହିଛନ୍ତି ଯେ ମୋ ଝିଅ ସହ ଯାହା ଘଟିଲା ଏମିତି ଆଉ କାହା ସହ ନ ଘଟୁ। ପୀଡ଼ିତାଙ୍କ ବାପା ଲୁହ ଭରା ଆଖିରେ କହିଛନ୍ତି ଯେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବା ପରେ ତାଙ୍କ ଝିଅର ଆତ୍ମାକୁ ଶାନ୍ତି ମିଳିବ। ୯୦ ପ୍ରତିଶତ ନିଆଁରେ ଜଳି ଯାଇଥିବା ପୀଡ଼ିତା ଶେଷ ସମୟରେ କହିଥିଲେ ଯେ ତାଙ୍କ ସହ ଯିଏ ଏଭଳି କରିଛି ତାକୁ କେବେ ଛାଡ଼ିବ ନାହିଁ । ସବୁଠାରୁ ଦୁର୍ଭାଗ୍ୟଜନକ କଥା ଶେଷ ସମୟରେ ବି ନ୍ୟାୟ ମାଗି ମାଗି ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। ଡାକ୍ତରଙ୍କ କହିବାନୁସାରେ ରାତି ୧୧.୧୦ରେ ତାଙ୍କର ହୃଦଘାତ ହୋଇଥିଲା ।
ମୃତ୍ୟୁଠୁ ବେଶୀ ବେଦନା ଦାୟକ ଶେଷ ସମୟ ପୂର୍ବରୁ ନ୍ୟାୟ ପାଇଁ ତାଙ୍କ ଆକୁଳ ନିବେଦନ। ପୀଡ଼ିତା ଶେଷ ସମୟରେ ନ୍ୟାୟ ମାଗିଥିଲେ। ସେ କହିଥିଲେ ଯେ ‘ମୋ ସହ ଏଭଳି ଯିଏ କରିଛି ତାକୁ କଠୋର୍ ଦଣ୍ଡ ମିଳିବା ଉଚିତ୍‌’। ଶେଷ ସମୟରେ ପୀଡ଼ିତା କହିଥିଲେ ଯେ ମୁଁ ମରିବାକୁ ଚାହୁଁ ନାହିଁ, ବଞ୍ଚିବାକୁ ଚାହୁଁଛି। ଭାଇ, ସେମାନଙ୍କୁ ଛାଡ଼ିବୁ ନାହିଁ। ଏହା ଥିଲା ପୀଡ଼ିତାଙ୍କର ତାଙ୍କ ଭାଇଙ୍କ ସହ ଶେଷ କଥାବାର୍ତ୍ତା ।
ତେବେ ଏଠାରେ ସୂଚନାଯୋଗ୍ୟ, ଗଣ ଦୁଷ୍କର୍ମ କରିଥିବା ଅଭିଯୁକ୍ତମାନେ ତାଙ୍କୁ ଛୁରି ଭୁଷିବା ପରେ ପେଟ୍ରୋଲ ଢାଳି ପୋଡି ହତ୍ୟା ଉଦ୍ୟମ କରିଥିଲେ । ଉନ୍ନାଓର ଏହି ଘଟଣା କାହାର ବି ଛାତି ଥରାଇ ଦେବ । ପୀଡିତାଙ୍କୁ ବାରମ୍ବାର ଗଣ ଦୁଷ୍କର୍ମ କରିବା ପରେ ଛୁରି ଭୂଷି ପେଟ୍ରୋଲ ପକାଇ ହତ୍ୟା ଉଦ୍ୟମ କରିଥିଲେ ଅଭିଯୁକ୍ତ ।ପୀଡିତାଙ୍କୁ ରାଏ ବରେଲିରେ ଦୁଇ ଅଭିଯୁକ୍ତ ଗୋଟିଏ ଘରେ ଯୌନ ଦାସୀ ଭାବେ ରଖିଥିଲେ। ତାଙ୍କୁ ଏକ ଅନ୍ଧାର କୋଠରୀ ମଧ୍ୟରେ ରଖାଯାଉଥିଲା। ଝରକା ବାଟେ ବାହାରକୁ ବି ଦେଖି ପାରୁ ନଥିଲେ । ଏପରି କଲେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଉଥିବା ହିନ୍ଦୁସ୍ତାନ ଟାଇମସ୍‌ରେ ଖବର ପ୍ରକାଶିତ ହୋଇଛି । ଏହା ଭିଡଓ ଉତ୍ତୋଳନ କରୁଥିଲେ ଅଭିଯୁକ୍ତ ପୁଲିସ ଆଗରେ ଅଭିଯୋଗ କଲେ ଅନ୍‌ଲାଇନ୍‌ ଭିଡିଓ ଭାଇରାଲ୍‌ କରିବେ ବୋଲି ଧମକ ଦେଉଥିଲେ ।
ମାତ୍ର ସମସ୍ତ ଧମକ ସତ୍ତ୍ୱେ ପୀଡିତା ଥାନାରେ ଅଭିଯୋଗ କରିଥିଲେ । ପ୍ରଥମେ ପୁଲିସ ଅଭିଯୋଗ ରଖି ନଥିଲା । ମାର୍ଚ୍ଚ ୫ ତାରିଖରେ ତାଙ୍କର ଅଭିଯୋଗକୁ ପୁଲିସ ରଖିଥିଲା । ଅଭିଯୁକ୍ତ ଶିବମ ତ୍ରିବେଦୀ ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିଲା । ପରେ ତାହାର ସମ୍ପର୍କୀୟ ଦୁଷ୍କର୍ମ କରିଥିଲେ। ପୀଡିତାଙ୍କୁ ଯୌନଦାସୀ ଭାବେ ରଖି ବାରମ୍ବାର ନିର୍ଯ୍ୟାତନା ଦେବା ସହ ଦୁଷ୍କର୍ମ କରିଥିଲେ । ଏହି କଥା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ମାମଲା ରୁଜୁ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ହେଲେ ସେ ଜାମିନରେ ଆସି ପୁଣି ହତ୍ୟା ଉଦ୍ୟମ କଲା । ଏକ ବିଭତ୍ସ ହତ୍ୟା ଉଦ୍ୟମ । ପ୍ରଥମେ ଛୁରି ଭୁଷି ଓ ପରେ ନିଆଁ ଜାଳି ହତ୍ୟା ଉଦ୍ୟମ କରିଥିଲା । ପୀଡିତା ରାଏ ବରେଲି ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ପୁଲିସ ସେଠାରୁ ତାଙ୍କୁ ତଡି ଦେଇଥିଲା । ପରେ କୋର୍ଟଙ୍କ ଆଦେଶ ପରେ ପୁଲିସ ମାମଲା ରୁଜୁ କରିଥିଲା । ଶେଷରେ ଉନ୍ନାଓ ପୀଡିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।