32.8 C
Bhubaneswar
Tuesday, April 16, 2024
Homeଓଡିଶାଦାଦନ ଦୁଃଖ: ଆନ୍ଧ୍ରରେ ଝିଅକୁ ହତ୍ୟା, ଚିନ୍ତାରେ ପ୍ରାଣ ହରାଇଲେ ବାପା, ଜେଜେବାପା

ଦାଦନ ଦୁଃଖ: ଆନ୍ଧ୍ରରେ ଝିଅକୁ ହତ୍ୟା, ଚିନ୍ତାରେ ପ୍ରାଣ ହରାଇଲେ ବାପା, ଜେଜେବାପା

ବଲାଙ୍ଗିର : ଦାଦନ ନିର୍ଯାତନାର କାହାଣୀ ବଲାଙ୍ଗିର ଜିଲ୍ଲାରେ ଅନେକ । ବାହାର ରାଜ୍ୟକୁ ଇଟା ଗଢ଼ିବାକୁ ଯାଉଥିବା ଶ୍ରମିକ ସେଠାକୁ ଗଲେ ନିର୍ଯାତନାର ଶିକାର ହେଉଛନ୍ତି । ସେଠି ମୃତ୍ୟୁବରଣ ବି କରୁଛନ୍ତି । ଆଉ ଏହି ଖବର ଶୁଣି ଗାଁରେ ଥିବା ପରିବାର ଲୋକ ମାନସିକ ଚିନ୍ତାରେ ଜୀବନ ହାରୁଛନ୍ତି । ଏଭଳି ଏକ ଘଟଣା ଏବେ ବଲାଙ୍ଗିର ଜିଲ୍ଲାରେ ସାମ୍ନାକୁ ଆସିଛି । ତୁରେକେଲା ବ୍ଲକ ପଖନମୁଣ୍ଡା ଗାଁର ୨୦ ବର୍ଷୀୟା ଝିଅ ଜାମିନୀର ଏବେ ପତ୍ତା ମିଳୁନି । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସାଙ୍ଗରେ ଯାଇଥିବା ଶ୍ରମିକ ଫେରିବା ପରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଏହାପରେ ମାନସିକ ଚିନ୍ତାରେ ଜୀବନ ହାରିଛନ୍ତି  ଝିଅର ବାପା ଶୁକ୍ରୁ ମାଝୀ ଓ ଜେଜେବାପା ରେଞ୍ଜର ମାଝୀ । ଏପଟେ ଚାଳ କୁଡ଼ିଆ ଘର ଅଗଣାରେ ବାହୁନି ବାହୁନି କାନ୍ଦୁଛନ୍ତି ଦୁଇ ବିଧବା ମହିଳା । ପଖନମୁଣ୍ଡା ଗାଁର ଶୁକ୍ରୁ ମାଝୀ ଦିନ ମଜୁରିଆ । ସ୍ତ୍ରୀ ଓ ୨୦ ବର୍ଷର ଝିଅ ଜାମିନୀ ଓ ତାଙ୍କ ବୁଢ଼ା ବାପା, ମା’ଙ୍କୁ ନେଇ ତାଙ୍କ ପରିବାର ଥିଲା । ନିହାତି ଗରିବ ଶୁକ୍ରୁ ନିଜ ବୁଢ଼ା ବାପା, ମା’ଙ୍କ ଦେଖାରେଖା କରିବାକୁ ସମୟ ଦେଉଥିଲେ । ଏପଟେ ପରିବାରରେ ଦୁଇମୁଠା ଖାଇବା ଅଭାବ ହେଉଥିବାରୁ ୨୦ ବର୍ଷର ଝିଅ ଦାଦନ ସର୍ଦ୍ଦାର ବିରଞ୍ଚି ମାଝୀଠାରୁ ଅଗ୍ରିମ ଟଙ୍କା ନେଇ ଦାଦନ ଯିବାକୁ ଘରୁ ଗୋଡ଼ କାଢ଼ିଥିଲା । ନିଜ ଗାଁ’ର ତୁଲାରାମ ପରିବାର ସହ ଦାଦନ ଯାଇଥିଲା । ଗତ କିଛିମାସ ତଳେ ତୁଲାରାମର ପରିବାର ଗାଁ’କୁ ଫେରିଥିଲେ । ହେଲେ ଜାମିନୀ  ଆଉ ଗାଁ’କୁ ଫେରିନଥିଲା । ଝିଅ ସମ୍ପର୍କରେ ପରିବାର ଲୋକ ପଚାରିବାରୁ ଦାଦନ ସର୍ଦ୍ଦାର ବିରଞ୍ଚି ଓ ତୁଲାରାମ ସେଠାରେ ତାର ମୃତ୍ୟୁ ହୋଇଥିବା କହିଥିଲେ ।ତେବେ ତାଙ୍କ ଝିଅକୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ସନ୍ଦେହ କରି ବାପା, ଜେଜେବାପା ତୁରେକେଲା ଥାନାକୁ ଏତଲା ଦେବାକୁ ଯାଇଥିଲେ । ତୁରେକେଲା ଥାନା ପୁଲିସ ଆନ୍ଧ୍ରପ୍ରଦେଶର ଘଟଣା କହି ଏତଲା ଗ୍ରହଣ କରିନଥିଲା । ବାରମ୍ବାର ଦୌଡ଼ିଥିଲେ ବି ସେମାନେ କୌଣସି ସୁଫଳ ପାଇନଥିଲେ । ଶେଷରେ ନିରାଶ ହୋଇ ଝିଅକୁ ଝୁରିଝୁରି ବାପା, ମା’ ସହ ଜେଜେବାପା, ଜେଜେମା’ କାନ୍ଦୁଥିଲେ । କିଛିଦିନ ପରେ ମାନସିକ ଚିନ୍ତାରେ ଶୁକ୍ରୁଙ୍କର ମୃତ୍ୟୁ ହୋଇଥିବା ବେଳେ ପରେ ବୁଢ଼ା ବାପା ରେଞ୍ଜର ମଧ୍ୟ ନାତୁଣୀ ଓ ପୁଅଙ୍କ ପାଇଁ ଚିନ୍ତାରେ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ମୃତ ଶୁକ୍ରୁଙ୍କ ବିଧବା ସ୍ତ୍ରୀ ଚମ୍ପା ମାଝୀ, ମୃତ ରେଞ୍ଜରଙ୍କ ବିଧବା ସ୍ତ୍ରୀ ଖମେଲ ମାଝୀ ଘରେ ରହି ଦୁର୍ଦ୍ଦିନରେ କାଳ କାଟୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking