40.1 C
Bhubaneswar
Thursday, April 25, 2024
Homeଓଡିଶାମୌଳିକ ସୁବିଧାରୁ ବଂଚିତ ମତରବାଡ଼ି ଗ୍ରାମବାସୀ : ଶୁଦ୍ଧ ପାନୀୟଜଳ,ବିଜୁଳି ସାତସପନ

ମୌଳିକ ସୁବିଧାରୁ ବଂଚିତ ମତରବାଡ଼ି ଗ୍ରାମବାସୀ : ଶୁଦ୍ଧ ପାନୀୟଜଳ,ବିଜୁଳି ସାତସପନ

ଦାରିଙ୍ଗବାଡ : ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଅଂଚଳରେ ମୌଳିକ ସୁବିଧାରୁ ବଂଚିତ ଅନେକ ଗ୍ରାମ । ଅନୁନ୍ନତ ଅଂଚଳର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଆଣି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହାର ସୁଫଳ ସାଧାରଣଜନତା ପାଇପାରୁନାହାଁନ୍ତି । ଏହିଭଳି ଏକ ଅପହଂଚ ତଥା ବିକାଶର ଅର୍ଥ ଜାଣିନଥିବା ଗ୍ରାମ ହେଉଛି ଦାରିଙ୍ଗବାଡ଼ି ବ୍ଲକ୍ ପର୍ତମାହା ପଂଚାୟତ ଅନ୍ତର୍ଗତ ମତରବାଡ଼ି । ଗ୍ରାମରେ ୪୫ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବାବେଳେ ଜନସଂଖ୍ୟା ୨ଶହରୁ ଊର୍ଦ୍ଧ୍ୱ । ତେବେ ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ଥା, ପାନୀୟଜଳ ବ୍ୟବସ୍ଥା ଓ ବିଦ୍ୟୁତ୍ ଭଳି ମୌଳିକ ସୁବିଧା ଅପହଂଚ । ପର୍ତମାହା ପଂଚାୟତ ମୁଖ୍ୟାଳୟଠାରୁ ଝିମାବାଡ଼ି ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ପକ୍କା ରାସ୍ତା ଥିବାବେଳେ ଝିମାବାଡ଼ଠାରୁ ମତରବାଡ଼ି ପର୍ଯ୍ୟନ୍ତ ୧୦ କିଲୋମିଟର ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ।
ଜରୁରୀକାଳୀନ ପରିସ୍ଥିତିରେ ଆମ୍ବଲାନ୍ସ ହେଉ ଅବା ଅନ୍ୟ କୋଣସି ଗାଡ଼ି ଗ୍ରାମକୁ ଯାଇପାରେ ନାହିଁ । କାହାରି ଦେହ ଖରାପ ହେଲେ ରୋଗୀମାନଙ୍କୁ ଭାର କରି ବୋହି ନେଇଥାନ୍ତି । ଏପରି ଭାବେ ଭାରରେ ଏତେ ବାଟ ବୋହିକି ନେବା ବେଳେ ଅଧାବାଟରେ ବହୁ ଦୁର୍ଘଟଣା ଘଟୁଥିବା ଗ୍ରାମର ଲକ୍ଷ୍ମୀ ପ୍ରଧାନ, ମିନତୀ ପ୍ରଧାନ, ରୀତା ପ୍ରଧାନ, ସୁଷମା ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି । ଏହିଭଳି ଭାବେ ଅନ୍ୟଏକ ବଡ଼ ସମସ୍ୟା ହେଲା ବିଶୁଦ୍ଧ ପାନୀୟଜଳ । ଏହି ଗ୍ରାମକୁ ରାସ୍ଥା ନଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ ଗ୍ରାମରେ ଗୋଟିଏ ମଧ୍ୟ ନଳକୁପ ଖୋଳା ଯାଇନଥିବା ବେଳେ ଲୋକେ ଚୁଆ ଓ ନାଳ ପାଣିକୁ ହିଁ ବ୍ୟବହାର କରୁଛନ୍ତି । ସେହିପରି ଗ୍ରାମରେ ୪୫ ରୁ ଊର୍ଦ୍ଧ୍ୱ ହିତାଧିକାରୀ ରହିଥିଲେ ସୁଧା ମାତ୍ର ୧୧ ଜଣ ହିତାଧିକାରିଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଇଥିବା ବେଳେ ବାକି ଲୋକ ଅନ୍ଧାରରେ ଜୀବନ ବିତାଉଛନ୍ତି । ଗାଁ ଟି ଜଙ୍ଗଲ ଭିତରେ ରହିଥିବାରୁ ରାତି ହେଲେ ଜୀବଜନ୍ତୁଙ୍କ ଭୟ ମଧ୍ୟ ରହୁଛି ।
ବିଦ୍ୟୁତ୍ ନଥିବା ଯୋଗୁଁ ଲୋକେ ସଂନ୍ଧ୍ୟା ହେଉ ହେଉ ତାଟି କବାଟ ପକାଇ ଶୋଇପଡୁଥିବା ଦେଖିବାକୁ ମିଳିଛି । ବିଦ୍ୟୁତ୍ ନଥିବାରୁ ପିଲାମାନେ ସନ୍ଧ୍ୟାରେ ପଠପଢିପାରୁନାହାଁନ୍ତି । ନିର୍ବାଚନ ଆସିଗଲେ ମାଳମାଳ ନେତାଙ୍କ ଗାଁରେ ଦେଖା ମିଳୁଥିବା ବେଳେ ଭୋଟ୍ ପରେ ଗାଁରେ ପାଦପଡୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସମସ୍ୟାର ସମାଧାନ ନେଇ ବ୍ଲକ୍‌ରେ ଅଭିଯୋଗ କରିବା ସହିତ ସ୍ଥାନୀୟ ବିଧାୟକ ଓ ସାଂସଦ, ଜିଲ୍ଲା ପ୍ରଶାସନଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସମସ୍ୟାର କୌଣସି ସମାଧାନ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗାଁର ସମସ୍ୟା ସମାଧାନ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking