27.8 C
Bhubaneswar
Friday, April 19, 2024
Homeଓଡିଶାନିପାଣିଆ ଡଙ୍ଗା ବୁଡ଼ି ଘଟଣା: ଏବେ ବି ଚାଲିଛି ବିପଦପୂର୍ଣ୍ଣ ନୌଯାତ୍ରା

ନିପାଣିଆ ଡଙ୍ଗା ବୁଡ଼ି ଘଟଣା: ଏବେ ବି ଚାଲିଛି ବିପଦପୂର୍ଣ୍ଣ ନୌଯାତ୍ରା

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ନିପାଣିଆ ଡଙ୍ଗା ବୁଡ଼ି ଘଟଣାକୁ ଗୁରୁବାର ବର୍ଷେ ପୁରିବ । ୨୦୧୯ ଜାନୁଆରୀ ମାସ ୨ତାରିଖ ସନ୍ଧ୍ୟା ୬.୩୦ ସମୟରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ହସିଣା ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ଲୋକ ମହାକାଳପଡ଼ା ବ୍ଲକର ପର୍ଯ୍ୟଟନସ୍ଥଳୀ ହୁକିଟୋଲାରୁ ବଣଭୋଜି ସାରି ଡଙ୍ଗାରେ ଘରକୁ ଫେରୁଥିଲେ । ଏହି ସମୟରେ ନିପାଣିଆ ନଦୀରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଡଙ୍ଗାରେ ଥିବା ଯାତ୍ରୀଙ୍କ ଚିତ୍କାର ଶୁଣି ଘରେ ପାଠ ପଢୁଥିବା ନବମ ଶ୍ରେଣୀର ଦୁଇ ଭଉଣୀ ପୂଣ୍ଣିମା ଗିରି ଓ ସବିତା ଗିରି ନିଜ ଜୀବନ ବାଜି ଲଗାଇ ୧୨ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ତେବେ ଅସୁରକ୍ଷିତ ନୌଯାତ୍ରା ଯୋଗୁଁ ଉକ୍ତ ଦୁର୍ଘଟଣା ଘଟିଥିବାବେଳେ ସେଥିରୁ ଏବେ ବି କେହି ଚେତିନାହାନ୍ତି । ଫଳରେ ଏବେ ବି ବିପଦପୂର୍ଣ୍ଣ ନୌଯାତ୍ରା ହେଉଥିବା ଦେଖିବାକୁ ମିଳିଛି ।
କେବଳ ସେତକ ନୁହେଁ ଏହି ଦୁର୍ଘଟଣା ପରେ ନିପାଣିଆ ଗାଁକୁ ସରକାର ସମସ୍ତ ସୁବିଧା ସୁଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା ଏଯାବତ୍ ପୂରଣ ହୋଇନାହିଁ । ପ୍ରଶାସନ ଏଯାଏଁ ଗାଁକୁ ସବୁଦିନିଆ ଭଲ ରାସ୍ତାଟିଏ ନିର୍ମାଣ କରିବା ଦୂରର କଥା ନିପାଣିଆ ନାଳ ଉପରେ ଭଙ୍ଗା କାଠ ପୋଲ ପରିବର୍ତ୍ତେ ପକ୍କା ପୋଲ ନିର୍ମାଣ ହୋଇପାରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏବେ ପର୍ଯ୍ୟଟନ ଋତୁ ଆସିଥିବାରୁ ପର୍ଯ୍ୟଟକମାନେ ଅସୁରକ୍ଷିତ ଅବସ୍ଥାରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ନା ଅଛି ପଞ୍ଜିକୃତ ବୋଟ୍ ନା ଅଛି ବୋଟ୍ ଚାଳକଙ୍କ ଯୋଗ୍ୟତା ପ୍ରମାଣପତ୍ର । ଯେଉଁ ଗୋଟିଏ ବୋଟ୍ ହୁକିଟୋଲାକୁ ଯିବା ପାଇଁ ପଞ୍ଜିକୃତ ହୋଇଛି ତାହାର ଛାତ ଉପରେ ଲୋକ ଭର୍ତ୍ତି ହୋଇ ଯାତ୍ରା କରୁଥିବାର ନଜରକୁ ଆସିଛି । ଯାହା ଫଳରେ ପୁଣି ନିପାଣିଆ ଡଙ୍ଗା ବୁଡ଼ି ଭଳି ଦୁର୍ଘଟଣା ନଘଟିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ବନବିଭାଗ ଅଧୀନରେ ଥିବା ପର୍ଯ୍ୟଟନସ୍ଥଳୀ ହୁକିଟୋଲାକୁ ନୂଆବର୍ଷ ଉପଲକ୍ଷେ ପର୍ଯ୍ୟଟକ ସଂଖ୍ୟା ବଢୁଥିଲା ବେଳେ ବିପଦପୂର୍ଣ୍ଣ ନୌଯାତ୍ରାକୁ ନେଇ ବନ ବିଭାଗ ପାଖରେ ଖବର ଅଛି କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏ ସମ୍ପର୍କରେ ଗହିରମଥା ରେଞ୍ଜ ଅଧିକାରୀ ଦେବାଶିଷ ଭୋଇଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିବାବେଳେ ତାହା ସମ୍ଭବପର ହୋଇନଥିଲା । ଏବିଷୟରେ ପରିବେଶବିତ୍ ସମରେନ୍ଦ୍ର ମାହାଳୀ କୁହନ୍ତି ସରକାର ପର୍ଯ୍ୟଟନସ୍ଥଳ ହୁକିଟୋଲାକୁ ଯାତାୟାତ ପାଇଁ ଭଲ ବୋଟ ଓ ଦକ୍ଷ ବୋଟ ଚାଳକ, ଲାଇଫ ଜ୍ୟାକେର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି । ଅପରପକ୍ଷେ ନଦୀ ଜୁଆରିଆ ହୋଇଥିବାରୁ ନଦୀପଥ ବିପଦପୂଣ୍ଣ ଥାଏ । କାରଣ ସ୍ଥାନେ ସ୍ଥାନେ ଚଢା, ଢିପ ଥିବାରୁ ଡଙ୍ଗା ଯିବା ଆସିବା ପାଇଁ ସମସ୍ୟା ଉପୁଜିଥାଏ । ତେଣୁ ସ୍ଥାନୀୟ ଦକ୍ଷ ବୋଟ ଚାଳକମାନେ ନଦୀପଥ ଜାଣିଥାନ୍ତି । ତାଙ୍କ ହାତରେ ବୋଟ ରହିଲେ ଦୁର୍ଘଟଣା ଘଟିବ ନାହିଁ ବୋଲି ଶ୍ରୀ ମାହାଳୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking