ଦାମୋଦର ମେଳା

ମୟୂରଭଞ୍ଜ : ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ଗଣପର୍ବ ମକରସଂକ୍ରାନ୍ତି ପରେ ଆରମ୍ଭ ହୋଇଥାଏ ଦାମୋଦର ମେଳା । ଆଦିବାସୀ ସାନ୍ତାଳ ସମ୍ପ୍ରଦାୟ ମଧ୍ୟରେ ଦାମୋଦର ମେଳାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଆୟୋଜନ ହେଉଥିବା ଦାମୋଦର ମେଳା ସ୍ଥଳୀକୁ ଆସି ପୂର୍ବ ପୁରୁଷଙ୍କ ଉଦ୍ଧେଶ୍ୟରେ ସମୂହ ପିଣ୍ଡଦାନ ସହିତ ଅସ୍ଥି ବିସର୍ଜନ କରିଥାନ୍ତି । ମକର ସଂକ୍ରାନ୍ତି ପରଠାରୁ ସୂର‌୍ୟ୍ୟଙ୍କ ଉତ୍ତରାୟଣ ଗତି ଅରମ୍ଭ ହେଉଥିବାରୁ ଏହା ପବିତ୍ର ସମୟ ହୋଇଥିବାରୁ ଚଳିତମାସକୁ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ପବିତ୍ର ମାସ ଭାବେ ଗଣନା କରାଯାଇଥାଏ । ତେବେ ମାନ୍ୟତା ଓ ପରମ୍ପରା ଅନୁଯାୟୀ ମକରସଂକ୍ରାନ୍ତି ଠାରୁ ଆଗାମୀ ତିନିଦିନ ପର‌୍ୟ୍ୟନ୍ତ ପରିବାରରେ ମୃତ୍ୟୁବରଣ କରିଥିବା ସଦସ୍ୟ ଏବଂ ପୂର୍ବପୁରୁଷଙ୍କ ତ୍ରିବେଣୀ ସଙ୍ଗମରେ ପିଣ୍ଡଦାନ କଲେ ସେମାନଙ୍କୁ ମୋକ୍ଷପ୍ରାପ୍ତି ହୋଇଥାଏ । ଏହି ପରମ୍ପରାକୁ ପାଳନକରି ଗତକାଲି ଠାରୁ ଆରମ୍ଭ ହୋଇଯାଇଛି ଦାମୋଦର ମେଳା । ପୂର୍ବରୁ ଏହି ପିଣ୍ଡଦାନ ପ୍ରକ୍ରିୟା ଆଲ୍ହାହାବାଦ ତ୍ରିବେଣୀ ସଙ୍ଗମରେ ଆୟୋଜିତ ହେଉଥିଲା । ପରେ ଝାଡ଼ଖଣ୍ଡ ରାଜ୍ୟ ସ୍ଥିତ ଦାମୋଦର ଠାରେ ହୋଇଆସୁଥିଲା । ପରବର୍ତୀ ସମୟରେ ବିଭିନ୍ନ ନଦୀ ଗୁଡିକର ସଙ୍ଗମ ସ୍ଥଳରେ ଦାମୋଦରମେଳାର ଆୟୋଜନ କରାଯାଇ ଆସୁଛି । ତେବେ ମୟୂରଭଞ୍ଜଜିଲ୍ଲାର ବାରିପଦା ସହର ସ୍ଥିତ ବୁଢ଼ାବଳଙ୍ଗ , ଜରାଳି ଓ ସରାଳି ନଦୀର ସଙ୍ଗମସ୍ଥଳ ବାରୁଣୀଘାଟରେ ଆୟୋଜିତ ଦାମୋଦର ମେଳାରେ ଆଜି ହଜାରହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ନିଜର ପାରମ୍ପରିକ ବାଦ୍ୟଯନ୍ତ୍ର ସହ ପହଞ୍ଚି ବିଧି ଅନୁଯାୟୀ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରିବା ସହ ନିଜର ସକ୍ଷମ ଅନୁଯାୟୀ ଦାନ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି, ଶୃଙ୍ଖଳା ଏବଂ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା ।