26.1 C
Bhubaneswar
Friday, March 29, 2024
Homeଓଡିଶାତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ୩୩ ଜଣ ବନ୍ଧକ ଦାଦନ ଶ୍ରମିକ

ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ୩୩ ଜଣ ବନ୍ଧକ ଦାଦନ ଶ୍ରମିକ

ବରଗଡ଼ : ତେଲେଙ୍ଗାନାର ପଇଦାପଲ୍ଲୀ ଜିଲ୍ଲା ରାମଗିରି ଥାନା ପାଣ୍ଡୁଲାପଲ୍ଲିକୁ ଇଟା ଗଢ଼ିବାକୁ ଯାଇ ବନ୍ଧକ ଥିବା ୩୫ ଜଣ ଦାଦନ ଶ୍ରମିକଙ୍କ ମଧ୍ୟରୁ ୩୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକମାନେ ଗୁରୁବାର ରାତିରେ ଟ୍ରେନ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ଇଟାଭାଟି ମାଲିକ ପାଖରେ ଏବେ ବନ୍ଧକ ଥିବା ୨ ଜଣ ଶ୍ରମିକଙ୍କୁ ଶୀଘ୍ର ଉଦ୍ଧାର କରାଯିବ ବୋଲି ସୂଚନା ଦିଆଯାଇଛି । ଗତ ବର୍ଷ ଜୁଲାଇ ମାସରେ ପାଇକମାଲ ବ୍ଲକର ଯୋଗୀନ୍ଦ୍ରନାଥପୁରର ୩୫ ଜଣ ଦାଦନ ଶ୍ରମିକ ତେଲେଙ୍ଗାନାର ପଇଦାପଲ୍ଲୀ ଜିଲ୍ଲା ରାମଗିରି ଥାନା ପାଣ୍ଡୁଲାପଲ୍ଲିକୁ ଇଟା ଗଢ଼ିବାକୁ ଯାଇଥିଲେ । ସେଠାରେ ଇଟା ଭାଟି ମାଲିକ ସେମାନଙ୍କୁ ଦିନରାତି କାମ କରାଇବା ସହ ନିର୍ଯାତନା ଦେଉଥିଲେ । ଏପରିକି ଦାଦନ ଶ୍ରମିକଙ୍କୁ ଠିକ୍ ଭାବରେ ଖାଇବାକୁ ଦିଆ ନଯାଇ ବନ୍ଧକ ରଖିଥିଲେ । ଯାହାକୁ ନେଇ ବନ୍ଧକ ଶ୍ରମିକମାନେ ନିଜକୁ ଉଦ୍ଧାର କରିବାକୁ ଭିଡିଓ ମାଧ୍ୟମରେ ସ୍ୱେଚ୍ଛାସେବୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ।
ଏ ନେଇ ୟୁଥ ଏଗେନେଷ୍ଟ କରପସନ ସ୍ୱେଚ୍ଛାସେବୀ ଦିବସ କୁମାର ସାହୁ ଗତ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ, ଶ୍ରମ କମିଶନର ଏବଂ ତେଲେଙ୍ଗାନା ସରକାରଙ୍କୁ ବନ୍ଧକ ଦାଦନ ଶ୍ରମିକଙ୍କୁ ଉଦ୍ଧାର ନେଇ ଅନୁରୋଧ କରିଥିଲେ । ଯାହାକୁ ନେଇ ଉଭୟ ଓଡ଼ିଶା ଓ ତେଲେଙ୍ଗାନା ସରକାର ତତ୍ପରତା ପ୍ରକାଶ କରି ଗୁରୁବାର ବନ୍ଧକ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ । ତେବେ ବନ୍ଧକ ଥିବା ୩୫ ଜଣ ଦାଦନ ଶ୍ରମିକଙ୍କ ମଧ୍ୟରୁ ୩୩ ଜଣ ଶ୍ରମିକ ଉଦ୍ଧାର ହୋଇଥିବା ସୂଚନା ମିିଳିଥିବା ବେଳେ ଅନ୍ୟ ଦୁଇ ଜଣ ଶ୍ରମିକ ବେଲପାଟୀ ଗ୍ରାମର ଜଳନ୍ଧର ଓ ପଥରେଲ ଗ୍ରାମର କୁଲମଣୀ ବରିହା ଏବେ ବି ଇଟା ଭାଟି ମାଲିକ ପାଖରେ ବନ୍ଧକ ଥିବା ସୂଚନା ମିଳିଛି । ଉଦ୍ଧାର ଶ୍ରମିକମାନେ ତେଲେଙ୍ଗାନା ପଇଦାପଲ୍ଲୀ ଷ୍ଟେସନରୁ ଟ୍ରେନ ଯୋଗେ ନାଗପୁର ଦେଇ ରାୟପୁରରେ ପହଞ୍ôଚଥିବା ବେଳେ ସେଠାରୁ ସେମାନେ ଖରିଆରରୋଡ ଦେଇ ଗାଁକୁ ଫେରିବେ ବୋଲି ସୂଚନା ମିଳିଛି । ଉଦ୍ଧାର ଶ୍ରମିକମାନଙ୍କ ସହ ୧୧ ଜଣ ଶିଶୁ ଥିବା ବେଳେ ବନ୍ଧକ ଅନ୍ୟ ଦୁଇ ଜଣ ଦାଦନ ଶ୍ରମିକଙ୍କୁ ଖୁବଶୀଘ୍ର ଉଦ୍ଧାର କରାଯିବ ବୋଲି ଶ୍ରମ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking