20.1 C
Bhubaneswar
Saturday, November 23, 2024
Homeଓଡିଶାମାଡ଼ିଆସୁଛି ‘ୟଶ୍‌’, ୧୨୦ ରୁ ୧୬୫ କି.ମି ବେଗରେ ବହିବ ପବନ

ମାଡ଼ିଆସୁଛି ‘ୟଶ୍‌’, ୧୨୦ ରୁ ୧୬୫ କି.ମି ବେଗରେ ବହିବ ପବନ

ଭୁବନେଶ୍ୱର : ବଙ୍ଗୋପ ସାଗରରେ ସୃଷ୍ଟିହେଲା ଲଘୁଚାପ, ସକ୍ରିୟ ହୋଇଛି ସାମ୍ଭାବ୍ୟ ବାତ୍ୟା ‘ୟଶ୍‌’ । ଆସନ୍ତାକାଲି ସୁଦ୍ଧା ଅବପାତ ରୂପ ନେବା ସହ କ୍ରମେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ଆଡ଼େ ମୁହାଁଇବ । ୨୪ ତାରିଖ ସକାଳେ ଏହା ବାତ୍ୟାରେ ରୂପାନ୍ତରିତ ହେବ । ଫଳରେ ୨୫ରେ ଓଡ଼ିଶାର ଉତ୍ତର ଉପକୂଳ ସମେତ ପଶ୍ଚିମ ବଙ୍ଗର ଉପକୂଳ ଅଞ୍ଚଳରେ ଭୀଷଣ ବର୍ଷା ହେବ । ୨୬ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି । ଉପକୂଳ ଅତିକ୍ରମ କରିବା ସମୟରେ ତାହା ଅତି ଭୀଷଣ ରୂପ ଦେଖାଇବ । ବାତ୍ୟା ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ତଟ ମଧ୍ୟରେ ଉପକୂଳ ଛୁଇଁବ ବୋଲି ଆକଳନ କରାଯାଇଥିବା ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମ୍‌ଡି) ପକ୍ଷରୁ ସୂଚନା ମିଳିଛି । ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସାମ୍ଭାବ୍ୟ ବାତ୍ୟାକୁ ନେଇ କହିଛନ୍ତି, ଉପକୂଳ ଛୁଇଁଲା ବେଳକୁ ପବନର ବେଗ ୧୨୦ରୁ ୧୬୫ କିମି ମଧ୍ୟରେ ରହିବ । ସ୍ଥଳ ବିଶେଷରେ ମଝିରେ ମଝିରେ ପବନ ୧୮୫ କିମି ଛୁଇଁପାରେ ।

ବାତ୍ୟା ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ । ନିର୍ଦ୍ଦିଷ୍ଟ କେଉଁଠି ସ୍ଥଳଭାଗ ଛୁଇଁବ, ଆସନ୍ତାକାଲି ଅବପାତ ହେବାପରେ ସ୍ପଷ୍ଟ ହେବ । ବାତ୍ୟା ପ୍ରଭାବରେ ୨୪ ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ୪୦ରୁ ୫୦ କିମି ପବନ ବହିବ । ୨୫ ଅପରାହ୍ନରୁ ଉତ୍ତର ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ ଓ ପବନର ବେଗ ୫୦ରୁ ୬୦ କିମି ରହିବ । ୨୬ରେ ପବନ ବେଗ ବଢ଼ିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଥିବା ଏସ୍‌ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଫେରାଇ ଅଣାଯାଇଛି । କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ନାହାନ୍ତି । କୃଷକମାନେ ସେମାନଙ୍କ କୃଷି ଜାତ ଦ୍ରବ୍ୟକୁ ସୁରକ୍ଷିତ ସ୍ଥାନକୁ ନେଇ ଆସିବାକୁ ଅନୁରୋଧ କରାଯାଇଛି । ତୁରନ୍ତ ଜଳ ନିଷ୍କାସନ ପାଇଁ ଡ୍ରେନେଜ ସଫା କରିବାକୁ କୁହାଯାଇଛି ।

ଲୋକଙ୍କୁ ସ୍ଥାନାନ୍ତରିତ, ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ପୁନରୁଦ୍ଧାର ପାଇଁ ବଡ଼ ବଡ଼ ଏନଜିଓଙ୍କ ସହଯୋଗ ଲୋଡ଼ାଯାଇଛି । ତେବେ ପବନର ବେଗ ଓ ବର୍ଷା କେତେ ପରିମାଣରେ ହେବ ସଠିକ୍ ସୂଚନା ମିଳିନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି । ସରପଞ୍ଚ, ୱାର୍ଡ ସଭ୍ୟ, ଏସଏଚ୍‌ଜି ଗ୍ରୁପ୍ ସ୍ଥାନାନ୍ତରଣରେ ସାମିଲ୍ ହେବେ । ବାତ୍ୟା ସମୟରେ ଅକ୍ସିଜେନ୍ ଯୋଗାଣରେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ । ଜିଲ୍ଲା କୋଭିଡ୍ ହସ୍ପିଟାଲ ଓ ସିସିସିରେ ପର୍ଯ୍ୟାପ୍ତ ଅକ୍ସିଜେନ୍ ରଖାଯିବ । ସମସ୍ତ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ଅତିରିକ୍ତ ଜେନେରେଟର ସହ ପିଇବା ପାଣି ବ୍ୟବସ୍ଥା କରାଯାଉଛି । ଡାକ୍ତରଖାନା ମାନଙ୍କରେ ମଧ୍ୟ ସମାନ ବ୍ୟବସ୍ଥା କରାଯାଉଛି । ମହିଳା ଓ ଶିଶୁ ବିଭାଗ ପକ୍ଷରୁ ୨ ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା ମହିଳାଙ୍କୁ ମେଡିକାଲ ନିଆଯିବ। ଶେଷ ମୁହୂର୍ତ୍ତ ଯାଏ ଅପେକ୍ଷା ନକରି ବାତ୍ୟା ସୂଚନା ମିଳିଲେ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ବାତ୍ୟା ଆସିବା ପୂର୍ବରୁ ଆଶ୍ରୟସ୍ଥଳୀକୁ ଆସିବାକୁ ସବୁ ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ଯୋଗେ ଅନୁରୋଧ କରାଯାଉଛି । ଅଶ୍ରୟସ୍ଥଳୀରେ ମାସ୍କ ଦେବା ସହ ଓ ରାପିଡ ରେସପନସ ଟିମ୍ ପଠାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି । ସଂକ୍ରମିତ ଥିଲେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ପ୍ରସ୍ତୁତ ଥିବା ୧୭ଟି ଏନଡିଆରଏଫ, ୨୦ଟି ଓଡ୍ରାଫ, ୧୫୦ଟି ଫାୟାର ଟିମକୁ ଆସନ୍ତାକାଲି ବିଭିନ୍ନ ବାତ୍ୟା ପ୍ରବଣ ଜିଲ୍ଲାକୁ ପଠାଯିବ । ବାତ୍ୟା ପରେ ଗଛ କାଟିବା ଲାଗି ବନ ବିଭାଗକୁ ମଧ୍ୟ ପ୍ରସ୍ତୁତ ରହିବା ପାଇଁ କୁହାଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking