37.1 C
Bhubaneswar
Thursday, March 28, 2024
Homeଅପରାଧସାଇବର ଠକଙ୍କ ନୂଆ ତରିକା : ବିଦ୍ୟୁତ୍ କଟିଯିବ କହି ଲୁଟିନେଲେ ଟଙ୍କା

ସାଇବର ଠକଙ୍କ ନୂଆ ତରିକା : ବିଦ୍ୟୁତ୍ କଟିଯିବ କହି ଲୁଟିନେଲେ ଟଙ୍କା

ବ୍ରହ୍ମପୁର: ବ୍ରହ୍ମପୁରରେ ଗୋଟିଏ ପରେ ଗୋଟିଏ ସାଇବର ଠକେଇ ଘଟଣା ଘଟିଚାଲିଛି । ଠକମାନେ ଲୁଟିବା ଲାଗି ନୂଆ ନୂଆ ପନ୍ଥା ଆପଣାଉଛନ୍ତି । ଘରର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯିବ କହି ସାଇବର ଠକମାନେ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ର ଜଣେ ଯନ୍ତ୍ରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି । ସାଇବର ଠକମାନେ ତାଙ୍କ ଆକାଉଣ୍ଟରୁ ୭ ଥରରେ ମୋଟ ୧ ଲକ୍ଷ ୩ ହଜାର ୯୯୬ ଟଙ୍କା ନେଇଯାଇଛନ୍ତି । ଏଭଳି ଯନ୍ତ୍ରୀ ଜଣଙ୍କ ସାଇବର ଠକେଇର ଶିକାର ହେବା ପରେ ଏ ନେଇ ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି ।

ତାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି। ପ୍ରକାଶ ଯେ ସୁରଜ ବିହାର ଦ୍ୱିତୀୟ ଲାଇନର ଏମ୍‌. ନାଗେଶ୍ୱର ସୁବୁଦ୍ଧି ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ରେ ଡେପୁଟି ଏକଜେକ୍ୟୁଟିଭ ଇଞ୍ଜିନିୟର ଭାବେ କାର୍ଯ୍ୟରତ ରହିଛନ୍ତି । ସେ ଗତ ଏକ ସପ୍ତାହ ହେବେ ନିଜ ଘରେ ଲାଗିଥିବା ବିଦ୍ୟୁତ ମିଟର ପରିବର୍ତ୍ତନ କରିବା ନିମନ୍ତେ ଟାଟା ପାୱାରକୁ ଲିଖିତ ଅନୁରୋଧ କରିଥିଲେ । ଗତ ୫ ତାରିଖରେ ତାଙ୍କ ନିକଟକୁ ଏକ ନମ୍ବର(୯୮୬୧୮୦୯୦୫୨)ରୁ ଏକ କଲ ଆସିଥିଲା । ବ୍ୟକ୍ତ ଜଣଙ୍କ ତାଙ୍କୁ କହିଥିଲେ ଯଦି ସେ ସନ୍ଧ୍ୟା ସୁଧା ବକେୟା ବିଲ ନବାନ୍ଧନ୍ତି ତେବେ ଆପଣଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯିବ ।

ଏହା ସହ ତାଙ୍କ ମୋବାଇଲକୁ ଏକ ମେସେଜ ମାଧ୍ୟମରେ ଏକ ଲିଙ୍କ ଛାଡ଼ିଥିଲେ । ନାଗେଶ୍ୱର ମେସେଜରେ ଥିବା ଲିଙ୍କରେ କ୍ଲିକ କରିବା ଦ୍ୱାରା ଏକ ଅନଲାଇନ ପୃଷ୍ଠା ଖୋଲିଥିଲା । ସେଥିରେ ସେ ନିଜର ଇ-ମେଲ ଓ ମୋବାଇଲ ନମ୍ବର ଦାଖଲ କରିଥିଲେ । ଏହା ପରେ ସାଇବର ଠକମାନେ ଗୁଗଲ ପ୍ଲେଷ୍ଟୋରକୁ ଯାଇ ଏକ ରିମୋଟ ଆକସେସ୍ ଆପ୍ ଡାଉନଲୋଡ କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କ ପରାମର୍ଶକ୍ରମେ ନାଗେଶ୍ୱର ସେହି ଆପ୍ ଡାଉନଲୋଡ କରିଥିଲେ । ଉକ୍ତ ଆପ ଦ୍ୱାରା ୧୦ ଟଙ୍କା ଡିପୋଜିଟ କରିବାକୁ ସାଇବର ଠକମାନେ ତାଙ୍କୁ କହିଥିଲେ ।

ତାଙ୍କ କହିବା ଅନୁଯାୟୀ ସେ ନିଜ ଏଚ୍‌ଡିଏଫସି ବ୍ୟାଙ୍କର ଡେବିଟ୍ କାର୍ଡ ଦ୍ୱାରା ୧୦ ଟଙ୍କା ପଇଠ କରିଥିଲେ । ଏହା ପରେ ନାଗେଶ୍ୱର ମୋବାଇଲକୁ ସମ୍ପୂର୍ଣ୍ଣ ସାଇବର ଠକମାନେ ତାଙ୍କ ମୋବାଇଲକୁ ପରିଚାଳନା କରିବାରେ ଲାଗିଲେ । ତାଙ୍କ ଆକାଉଣ୍ଟରୁ ପ୍ରଥମେ ୪୦୦୦, ପରେ ୧୯,୯୯୯ ଏଭଳି ଭାବରେ ୭ଟି କାରବାରରେ ମୋଟ ୧ ଲକ୍ଷ ୩ ହାଜର ୯୯୬ ଟଙ୍କା ଠକି ନେଇଥିଲେ । ଏଭଳି ବାରମ୍ବାର ଆକାଉଣ୍ଟରୁ ଟଙ୍କା କଟିଯିବା ଫଳରେ ସେ ସାଇବର ଠକେଇ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ସେ ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking