40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗନଦୀ ପାର୍ ପାଇଁ କଟାହୁଏ ଗଛ 

ନଦୀ ପାର୍ ପାଇଁ କଟାହୁଏ ଗଛ 

ଫୁଲବାଣୀ : ନଦୀ ପାର୍ ପାଇଁ ଏବେ ମଧ୍ୟ କଟାହୁଏ ଗଛ । ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ପଞ୍ଚାୟତରେ । କନ୍ଧମାଳ ଜିଲ୍ଲାରେ ଆଜି ମଧ୍ୟ ଏଭଳି ଅନେକ ଗ୍ରାମ ଅଛି ଯେଉଁଠି ବିକାଶର ନାଁ ଗନ୍ଧ ମଧ୍ୟ ନାହିଁ । ସେଠାରେ ବସବାସ କରୁଥିବା ଅଧିବାସୀମାନେ କେବଳ ଭଗବାନଙ୍କ ଭରସାରେ ଜୀବନ ବିତାଇଥାନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ସମସ୍ତ ମୌଳିକ ସୁବିଧାରୁ ସେମାନେ ବଞ୍ôଚତ ହୋଇରହିଛନ୍ତି । ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ହେଉଛି ଏକ ନୂତନ ପଞ୍ଚାୟତ । ଗତ ୩ ବର୍ଷତଳେ ଉକ୍ତ ପଞ୍ଚାୟତ ଗଠନ ହୋଇଛି । କେବଳ କାଗଜ କଲମରେ ଚାଲିଛି ଉକ୍ତ ପଞ୍ଚାୟତର ବିକାଶ ଚିନ୍ତା, ଯାହାକି ଜଳ ଜଳ ହୋଇ ଦିଶୁଛି । ବର୍ଷା ଆସିଲେ ଉକ୍ତ ପଞ୍ଚାୟତର ମାର୍କାଲି ଓ ଡେଡିସରୁ ଗ୍ରାମବାସୀଙ୍କର ଶହ ଶହ ଅଧିବାସୀଙ୍କ ଜୀବନ ଜୀବିକା ସଂପୂର୍ଣ୍ଣ ଦୁର୍ବିସହ ହୋଇପଡ଼ିଥାଏ । ଦୁଇ ଗ୍ରାମ ବାଘ ନଦୀ ଯୋଗୁଁ ସଂପୂର୍ଣ୍ଣ  ବିଛିନ୍ନ ହୋଇଯାଏ । ବର୍ଷାଦିନରେ ନଦୀରେ ପାଣି ଆସିଲେ ନଦୀ ଉପରେ ବଡ଼ ବଡ଼ ଗଛକାଟି ଏ କୂଳରୁ ସେ କୂଳକୁ ଯାତାୟତ କରିଥାନ୍ତି । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ ଏହି ୨ଟି ଗ୍ରାମ । ମଝିରେ ବାଘନଦୀ ପାର ହେଲେ ପଞ୍ଚାୟତ ପଡ଼ିଥାଏ ।  ଆଜି ପର୍ଯ୍ୟନ୍ତ ଏକ ସ୍ଥାୟୀ ପୋଲ ନିର୍ମାଣ ହୋଇପାରିନଥିବା ଯୋଗୁଁ ସରକାରଙ୍କ ଚାଉଳ ହେଉ କିମ୍ବା ଅନ୍ୟ କୌଣସି ଯୋଜନା ପାଇଁ ହିତାଧିକାରୀମାନେ ଉକ୍ତ ଗଛ ଉପରେ ହିଁ ଯାତାୟତ କରିଥାନ୍ତି । ବିଶେଷ କରି ଭତ୍ତା ଆଣିବା ପାଇଁ ଯାଉଥିବା ହିତାଧିକାରୀ ଓ ଭିନ୍ନକ୍ଷମମାନଙ୍କ ପାଇଁ ଯାତାୟତ ଜୀବନମରଣ ସହିତ ସମାନ ହୋଇପଡ଼ିଥାଏ । ପୋଲ ନିର୍ମାଣ ପାଇଁ ଅନେକ ଥର ଦାବି କରିନ୍ତି, କିନ୍ତୁ ଉକ୍ତ ଗ୍ରାମଟି ମାଓ ପ୍ରବଳ ଓ ଅପହଞ୍ଚ ଇଲାକାରେ ଥିବା ଯୋଗୁଁ କାହାର କାନରେ ପଡ଼ିନାହିଁ ବୋଲି ପ୍ରକାଶ କରିଛନ୍ତି ଗ୍ରାମର ଗୋବିନ୍ଦ୍ରଚନ୍ଦ୍ର କହଁର, ପୀତାମ୍ବର କହଁର, ଉଦ୍ଧବ କହଁର ଅନ୍ୟମାନେ । ସେହିଭଳି ଗ୍ରାମରେ ବହୁ କଷ୍ଟରେ ଖୋଳାଯାଇଛି ଏକ ନଳକୂପ । କିନ୍ତୁ ସେଥିରୁ ଆଇରନ୍ ମିଶା ପାଣି ବାହାରୁଥିବାରୁ ତାହା ପିିଇବା ଯୋଗ୍ୟ ହୋଇପାରୁ ନାହିଁ ବୋଲି ପ୍ରକାଶ କରିଛନ୍ତି ଗ୍ରାମର ଜିଏତ୍ରୀ କହଁର ଓ ଅନ୍ୟ ମହିଳାମାନେ । ଗାଁରେ ମଧ୍ୟ ନାହିଁ ଅଙ୍ଗନୱାଡ଼ି କେନ୍ଦ୍ର । ପିଲାମାନେ ବ୍ରାହାପଦର ଅଙ୍ଗନୱାଡ଼ି କେନ୍ଦ୍ରକୁ ଯିବାକୁ ବାଧ୍ୟ ହୋଇଥାନ୍ତି ବୋଲି ପ୍ରକାଶ କରିଛନ୍ତି ସରପଞ୍ଚ ସୁମିତ୍ରା କହଁର । ଏ ସଂପର୍କରେ ଫିରିଙ୍ଗିଆ ବିଡିଓଙ୍କ ଦୃଷ୍ଟି ଆକର୍ଷଣ ପରେ ଆଜି ପର୍ଯ୍ୟନ୍ତ କେହି କିଛି ଅଭିଯୋଗ କରିନାହାନ୍ତି, କିମ୍ବା ଲିଖିତ ଭାବେ ମଧ୍ୟ ଦର୍ଶାଇନାହାନ୍ତି । ତଥାପି ସଂପୃକ୍ତ ଅଞ୍ଚଳକୁ ଗସ୍ତ କରି ପରିସ୍ଥିତି ସମୀକ୍ଷା କରିବା ସହିତ ପଦକ୍ଷେପ ପାଇଁ ଚେଷ୍ଟାକରିବେ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking