37.1 C
Bhubaneswar
Thursday, March 28, 2024
Homeଓଡିଶାକରୋନା କଟକଣା ଉଲ୍ଲଙ୍ଘନ, ବିବାହ ଭୋଜିରେ ଚଢ଼ଉ

କରୋନା କଟକଣା ଉଲ୍ଲଙ୍ଘନ, ବିବାହ ଭୋଜିରେ ଚଢ଼ଉ

କଟକ:  କଟକ ସହରରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ଯେତେ ଯାହା ପଦକ୍ଷେପ ନିଆଯାଉଥିଲେ ମଧ୍ୟ କଟକର ଅମାନିଆମାନଙ୍କ ଯୋଗୁଁ ଏହା ବିଫଳ ହେଉଛି । ଫଳରେ କଟକରେ ପ୍ରତିଦିନ ଶତାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସହରରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବାବେଳେ ଏହାକୁ ପାଳନ କରାଯାଉନଥିବା ଯୋଗୁଁ ବାଧ୍ୟହୋଇ ପ୍ରଶାସନକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ୁଛି । ସେହିଭଳି କରୋନା କଟକଣା ଉଲ୍ଲଙ୍ଘନ କରିବା ଅଭିଯୋଗରେ ସିଏମ୍‌ସି ପକ୍ଷରୁ ମୋଟାଅଙ୍କର ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ଶୁକ୍ରବାର ସହରରେ ଏକ ବିବାହ ଭୋଜିରେ କୋଭିଡ୍ କଟକଣା ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗରେ ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢ଼ଉ କରାଯାଇ ୫୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ତେବେ ଉକ୍ତ ପରିମାଣର ଜୋରିମାନା ଆଦାୟ କରାଯିବା କଟକ ସହରରେ ପ୍ରଥମ ବୋଲି କୁହାଯାଉଛି । ଝାଞ୍ଜିରୀମଙ୍ଗଳାଠାରେ ଏକ ବିବାହ ଭୋଜିର ଆୟୋଜନ କରାଯାଇଥିଲା । ସେଠାରେ ଅହେତୁକ ଭାବେ ଭିଡ଼ହେବା ସହିତ କରୋନା କଟକଣା ପାଳନ ହେଉନଥିବା ଅଭିଯୋଗ ହେବା ପରେ କୋଭିଡ୍ ଯାଞ୍ଚକାରୀ ଟିମ୍ ସେଠାରେ ଚଢ଼ଉ କରିଥିଲା । ଟିମ୍‌ର ମୁଖ୍ୟ ପରେଶ କୁମାର ନାୟକଙ୍କ ନେତୃତ୍ୱରେ ଭୋଜି ସ୍ଥଳରେ ଗହଳି ହୋଇଥିବା ଦେଖିବାକୁ ମିଳିବା ପରେ କୋଭିଡ୍ କଟକଣା ଉଲ୍ଲଙ୍ଘନ ଯୋଗୁଁ ଉକ୍ତ ବିବାହ ଭୋଜି ଆୟୋଜକଙ୍କୁ ୫୦ ହଜାର ଜୋରିମାନା କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ସହରରେ କରୋନା ସଂକ୍ରମଣ ହ୍ରାସ ପାଉନଥିବାରୁ କଟକଣା କଡ଼ାକଡ଼ି କରାଯାଇଛି । ଏହି ପରିପ୍ରେକ୍ଷୀରେ କେବଳ ୨୫ ଜଣଙ୍କୁ ନେଇ ବିଭାଘର ଭୋଜି ଆୟୋଜନ କରାଯାଇପାରିବ ବୋଲି ନିୟମ ରହିଥିବାବେଳେ ଏହାକୁ ପାଳନ କରାଯାଇନଥିବା ଯୋଗୁଁ ଏଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଟିମ୍‌ର ମୁଖ୍ୟ ଶ୍ରୀ ନାୟକ କହିଛନ୍ତି । ତେବେ ବିବାହ ଭୋଜିବେଳେ କରୋନା କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ପ୍ରଶାସନ ଏଭଳି କାର୍ଯ୍ୟାନୁଷ୍ଠାନ ନେଉଥିବାବେଳେ ସହରରେ ବିଭିନ୍ନ ମଦ ଦୋକାନରେ ଅହେତୁକ ଗହଳି ଲାଗିଥିଲେ ମଧ୍ୟ ପ୍ରଶାସନର କୋହଳ ମନୋଭାବ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking