30.1 C
Bhubaneswar
Thursday, April 25, 2024
Homeଓଡିଶାଜୀବନ ସହ ଖେଳ, ୬୯ଲକ୍ଷ ଟଙ୍କାର ନକଲି କରୋନା ମେଡିସିନ୍ ଜବତ

ଜୀବନ ସହ ଖେଳ, ୬୯ଲକ୍ଷ ଟଙ୍କାର ନକଲି କରୋନା ମେଡିସିନ୍ ଜବତ

କଟକ : ମହାମାରୀ କରୋନା ମୁକାବିଲା ପାଇଁ ସବୁସ୍ତରରେ ଚାଲିଛି ଉଦ୍ୟମ । ସଂକ୍ରମିତଙ୍କ ଜୀବନ ବଞ୍ଚାଇବାକୁ କରିବାକୁ ପଡ଼ୁଛି ସଂଘର୍ଷ । ହେଲେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ମୁନାଫାଖୋର ବ୍ୟବସାୟୀମାନେ କୌଣସି ପ୍ରକାର ସୁଯୋଗ ହାତଛଡ଼ା କରିବାକୁ ଚାହୁନାହାନ୍ତି । କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଲାଗୁଥିବା ଔଷଧକୁ ନକଲି କରି  ଜୀବନ ସହ ଖେଳୁଛନ୍ତି ଖେଳ । କଟକ ସହରରୁ  ବିପୁଳ ପରିମାଣର ନକଲି ଫାଭିପିରାଭର ମେଡିସିନ ଜବତ ହେବା ପରେ କରୋନା ଚିକିତ୍ସାକୁ ନେଇ ପ୍ରକାଶପାଇଛି ନାନା ସନ୍ଦେହ । ରାଜ୍ୟ ଡ୍ରଗସ କଣ୍ଟ୍ରୋଲରଙ୍କ ନେତୃତ୍ୱରେ କଟକର କନିକା ଛକରେ ଥିବା ଏକ ଔଷଧ ଗୋଦାମରେ ଚଢ଼ଉ ବେଳେ ଔଷଧ ବ୍ୟବସାୟୀ ତଥା ହୋଲେସେଲରଙ୍କ ଗୋଦାମରୁ ମିଳିଛି ୧୭୦ କାର୍ଟୁନ୍ ନକଲି କରୋନା ଫାଭିଫିରାଭର ମେଡିସିନ ।

ଏଥିରେ ୧୭ ହଜାର ବଟିକା ରହିଥିଲା ।  ଜବତ ମେଡିସିନର ଦାମ୍ ୬୯ ଲକ୍ଷ ଟଙ୍କା ହେବ । ମେଡିସିନ୍‌ର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ତାହା ନକଲି କି ନାହିଁ ଜଣାପଡ଼ିବ ବୋଲି କୁହାଯାଉଛି ।  ରାଜ୍ୟ ଡଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସଙ୍କ ସୂଚନା ମୁତାବକ ହରିୟାନା ସରକାରଙ୍କ ଗୁଇନ୍ଦା ତଥ୍ୟକୁ ଆଧାର କରି ଶୁକ୍ରବାର କଟକ କନିକା ଛକ ଏସ୍‌ବିଆଇ ଲେନରେ ଥିବା ମେଡ଼ିଲାଣ୍ଡ ମେଡିସିମେନ ପ୍ରାଇଭେଟ ଲିମିଟେଡ୍ ନାମକ ଏକ ମେଡିସିନ ଗୋଦାମରେ ଚଢ଼ଉ କରାଯାଇଥିଲା ।  ଚଢଉ ବେଳେ ଉକ୍ତ ଗୋଦାମରେ ଥିବା ଫାଭିପିରାଭିର  ମେଡିସିନ ମିଳିଥିଲା । ଏହା ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରରୁ କିଣାଯାଇଥିବା ଜଣାପଡ଼ିଛି । ଉକ୍ତ ମେଡିସିନ ହିମାଞ୍ଚଳ ପ୍ରଦେଶ ସୋଲାନରେ ଥିବା ଏକ  କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା ଲେଖାଥିଲା । କିନ୍ତୁ ଯାଞ୍ଚ ବେଳେ  ହିମାଞ୍ଚଳ ପ୍ରଦେଶ ସୋଲାନରେ ସେଭଳି କୌଣସି ଔଷଧ ପ୍ରସ୍ତୁତକାରୀ  କମ୍ପାନୀ ନଥିବା ଜଣାପଡ଼ିଥିଲା ।

ଗତ ମଇମାସରେ ସଂପୃକ୍ତ ଗୋଦାମ ମାଲିକ ମଧ୍ୟପ୍ରଦେଶ ଗ୍ୱାଲିୟରର ଜଣେ ଔଷଧ ବ୍ୟବସାୟୀଙ୍କୁ ୪୦୬୦ ଷ୍ଟ୍ରିପ୍ ମେଡିସିନ ପଠାଇଛନ୍ତି। ଏହି ବିଷୟ ଜଣାପଡ଼ିବା ପରେ ତୁରନ୍ତ ମଧ୍ୟପ୍ରଦେଶ ସରକାରଙ୍କୁ ଏନେଇ ଅବଗତ କରାଯାଇଛି । ଜବତ ମେଡିସିନ୍‌ର ମାନ ଯାଞ୍ଚ ଲାଗି ତାହାର ନମୁନା ଭୁବନେଶ୍ୱାର ସ୍ଥିତ ଲ୍ୟାବକୁ ପଠାଯାଇଛି । ଆବଶ୍ୟକ  ପଡ଼ିଲେ କଲିକତାସ୍ଥିତ ସେଣ୍ଟ୍ରାଲ ଲ୍ୟାବକୁ ମଧ୍ୟ ପରୀକ୍ଷା ପାଇଁ ନମୁନା ପଠାଯିବ । ରିପୋର୍ଟ ଆସିବା ପରେ ଏନେଇ ସଂପୃକ୍ତ ହୋଲସେଲରଙ୍କ ବିରୁଦ୍ଧରେ ଡ୍ରଗ୍ସ ଆଣ୍ଡ କସମେଟିକ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି ।

ପ୍ରଥମେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଫାଭିପିରାଭିର ଔଷଧ ବ୍ୟବହାର କରାଯାଉଥିଲା । ଡାକ୍ତରଙ୍କ ପରାମର୍ଶରେ ଏହି ଔଷଧ ଦିଆଯାଉଥିଲା । ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଯାଉଥିବାରୁ  ଲୋକମାନେ ମନଇଚ୍ଛା ଏହି ଔଷଧ କିଣି ଘରେ ଗଚ୍ଛିତ କରି ରଖୁଛନ୍ତି । ଫଳରେ ବଜାରରେ ମେଡିସିନର ଅଭାବ ଦେଖାଦେଉଛି । ଏହାର ସୁଯୋଗ ନେଇ କିଛି ମାଫିଆ ନକଲି ଫାଭିପିରାଭିର ଔଷଧ କରି ବଜାରକୁ ଛାଡ଼ୁଛନ୍ତି । ତେବେ ଓଡ଼ିଶାର ଖୋଲା ବଜାରକୁ ଏହି ଔଷଧ ଯିବା ପୂର୍ବରୁ ଏହାକୁ ଜବତ କରାଯାଇଥିବା ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking