30.1 C
Bhubaneswar
Wednesday, April 24, 2024
Homeଓଡିଶାବାତ୍ୟା ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥାକୁ ନେଇ ଉତ୍ତେଜନା : ଖାଦ୍ୟ ଲାଗି ହଟହଟା, ଅସୁସ୍ଥଙ୍କୁ ମିଳିଲାନି ଔଷଧ

ବାତ୍ୟା ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥାକୁ ନେଇ ଉତ୍ତେଜନା : ଖାଦ୍ୟ ଲାଗି ହଟହଟା, ଅସୁସ୍ଥଙ୍କୁ ମିଳିଲାନି ଔଷଧ

କଟକ : ବାତ୍ୟା ୟାଶ୍‌ର ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଥିଲା । ତଳିଆ ଅଞ୍ଚଳରେ ଥିବା ବସ୍ତିବାସିନ୍ଦାମାନେ ଯେପରି କ୍ଷତିଗ୍ରସ୍ତ ନହେବେ ସେଥିଲାଗି ସେମାନଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କୁ ଖାଦ୍ୟ, ପାନୀୟ ଓ ଔଷଧ ଦେବା ଲାଗି ବ୍ୟବସ୍ଥା ହୋଇଥିଲା । ସମସ୍ତ ଯୋଜନା ସତ୍ତ୍ୱେ ଆଶ୍ରୟ ସ୍ଥଳରେ ଏହି ସୁବିଧା ସୂଚାରୁ ରୂପେ ମିଳିପାରି ନଥିଲା । କେଉଁଠି ଖାଦ୍ୟ ଦିଆଯାଇ ନାହିଁ ତ ଆଉ କେଉଁଠି ଅସୁସ୍ଥ ହୋଇ ପଡିଲେ ମଧ୍ୟ ତାଙ୍କ କଥା ଶୁଣିବାକୁ କେହିନଥିଲେ । ଏଭଳି ଅବ୍ୟସ୍ଥା ଯୋଗୁଁ ବିଭିନ୍ନ୍ ଅସୁବିଧାର ସମ୍ମୁଖୀନ ହେବା ପରେ ଆଜି ସକାଳୁ ବହୁ ଲୋକ ନିଜ ଘରକୁ ପଳାଇଯାଇଥିବା ସୂଚନା ମିଳିଛି ।

ଜିଲ୍ଳା ପ୍ରଶାସନ ଏବଂ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ଖାଦ୍ୟ ଦିଆଯାଇନଥିବା ବେଳେ ସ୍ଥାନୀୟ ପୁଲିସ ଏବଂ ସାମାଜିକ ସଙ୍ଗଠନମାନେ ଅନେକ ସ୍ଥାନରେ ଲୋକମାନଙ୍କୁ ଖାଦ୍ୟ ପ୍ରଦାନ କରିଛନ୍ତି । ଏଭଳି ଅବ୍ୟବସ୍ଥା ସମ୍ପର୍କରେ ସିଏମସି ବସ୍ତି ଉନ୍ନୟନ ଅଧିକାରୀ(ଏସଆଇଓ) ଅମ୍ରିତ ସରକାରଙ୍କୁ ପଚାରିବାରୁ ସେ କହିଥିଲେ ଖାଦ୍ୟ ବିଳମ୍ବରେ ପହଞ୍ôଚବାରୁ କିଛି ସ୍ଥାନରେ ସାମାନ୍ୟ ସମସ୍ୟା ଦେଖାଦେଇଥିଲା ।

ବିଳମ୍ବ ହୋଇଥିଲେ ମଧ୍ୟ ସେମାନଙ୍କୁ ଖାଦ୍ୟ ଦିଆଯାଇଥିଲା ବୋଲି ସେ କହିଥିଲେ । ସହରରେ ବାତ୍ୟା ୟଶର ମୁକାବିଲା ଲାଗି ତଳିଆ ଅଞ୍ଚଳରେ ରହୁଥିବା ପ୍ରାୟ ୧୪ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ସିଏମସି ପକ୍ଷରୁ ସେମାନଙ୍କ ଲାଗି ବ୍ରଜବିହାରୀ ହାଇସ୍କୁଲ, ମର୍କତନଗର ସେକ୍ଟର-୬ ସ୍ଥିତ ଡିଏଭି ସ୍କୁଲ, ବାରବାଟୀ ଷ୍ଟାଡିୟମସ୍ଥିତ ଜାଭିୟର ହାଇସ୍କୁଲ, କାଜି ବଜାର ସ୍କୁଲ, ଗୋରାକବର ସ୍କୁଲ, ଗାନ୍ଧୀ ବିଦ୍ୟାପୀଠ, ମେରିଆ ବଜାର ସ୍କୁଲ, ବିରେନ ମିତ୍ର ସ୍କୁଲ, ଗମ୍ଭାଡିଆ ସ୍କୁଲ, ମାଛୁଆ ବଜାର ସ୍କୁଲ, ଜେକେବିକେ କଲେଜ, ବାଦାମବାଡି ଉଚ୍ଚ ବିଦ୍ୟାଳୟ, ନିମପୁର ସ୍କୁଲ, ଇମାମ ନଗର, ତରାଳୋ ହାଇସ୍କୁଲ, ଖାନନଗର ହାଇସ୍କୁଲ, ରାଜାବଗିଚା ହାଇସ୍କୁଲରେ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇଥିଲା ।

ସକାଳ ସମୟରେ ଚୂଡା, ବିସ୍କୁଟ ଏବଂ ଗୁଡ ଓ ମଧ୍ୟାହ୍ନ ଏବଂ ରାତ୍ରିରେ ଭାତ, ଡାଲମା ଖାଇବାର ବ୍ୟବସ୍ଥା କରାଯାଇଥିଲା । ହେଲେ ସ୍ଥାନାନ୍ତରର ଗୋଟିଏ ଦିନ ଠିକ୍ ଭାବେ ଖାଦ୍ୟ ଖାଇବାକୁ ଦିଆଯାଇଥିଲେ ମଧ୍ୟ ଆଜି ଏଥିରେ ବାଧା ଉପୁଜିଥିଲା । ବିଶେଷ କରି ଗୋପାଳପୁରସ୍ଥିତ ମା ତାରିଣୀ ଉଚ୍ଚବିଦ୍ୟାଳୟ ଆଶ୍ରୟସ୍ଥଳୀରେ ରହୁଥିବା କିଛି ପରିବାରକୁ ସିଏମସି ପକ୍ଷରୁ ସକାଳ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ଦିଆଯାଇନଥିଲା । ଏନେଇ ସ୍ଥାନୀୟ ବିଜେପି ନେତା ଦିଲ୍ଲୀପ ମଲ୍ଲିକ ଏକ ଟ୍ୱିଟ କରି ଜିଲ୍ଲା ପ୍ରଶାସନ ଏବଂ ସିଏମସି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ବିଳମ୍ବରେ ଖାଦ୍ୟ ପହଞ୍ôଚଥିବା ଜଣାପଡିଛି । ସେହିଭଳି ରାଜାବଗିଚା ହାଇସ୍କୁଲ, ବାଦାମବାଡି ବାଳିକା ଉଚ୍ଚ ବିଦ୍ୟାଳୟ, ମର୍କତନଗର ସେକ୍ଟର-୬ସ୍ଥିତ ଡିଏଭି ସ୍କୁଲରେ ମଧ୍ୟ ଅନୁରୂପ ସମସ୍ୟା ଦେଖାଦେଇଥିଲେ ।

ମର୍କତନଗର ସେକ୍ଟର-୬ସ୍ଥିତ ଡିଏଭି ସ୍କୁଲରେ ସ୍ଥାନୀୟ ମର୍କତନଗର ପୋଲିସ ଶୁଖିଲା ଖାଦ୍ୟ ଏବଂ ଏକ ସାମାଜିକ ସଙ୍ଗଠନ ରନ୍ଧା ଖାଦ୍ୟ ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ସିଏମସି ପକ୍ଷରୁ ଲୋକମାନଙ୍କର ଯଦି ଆଶ୍ରୟସ୍ଥଳୀରେ କିଛି ବି ସ୍ୱାସ୍ଥ୍ୟଗତ ସମସ୍ୟା ହୁଏ ଯେପରିକି ଥଣ୍ଡା, ଜ୍ୱର ତାହାଲେ ସେମାନଙ୍କୁ ସଙ୍ଗେ ସଙ୍ଗେ ଔଷଧ ଯୋଗାଇଦିଆଯିବା କୁହାଯାଇଥିଲା । ମାତ୍ର ଖାନନଗର ହାଇସ୍କୁଲରେ ସନ୍ତୋଷୀ ନଗର ଏବଂ ଗୁଜୁରାତୀ ବସ୍ତିର ଦୁଇ ଜଣ ମହିଳାଙ୍କର ଗତ କାଲି ବିଳମ୍ବିତ ରାତିରେ ଦେହ ଖରାପ ହୋଇଯାଇଥିଲା । ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଏନେଇ ଜଣାଇଥିଲେ ମଧ୍ୟ କୌଣସି ଔଷଧ ମିଳିନଥିଲା । ବାଧ୍ୟ ହୋଇ ଆଜି ଉଭୟ ବସ୍ତିର କିଛି ବାସିନ୍ଦା ଅସନ୍ତୋଷ ପ୍ରକାଶ କରି ସକାଳ ସମୟରେ ଘରକୁ ଫେରିଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking