ଜୀବନକୁ ବାଜି ଲଗାଇ ଲାଉ ତୁମ୍ବାରେ ନଦୀପାର

ମାଲକାନଗିରି : ମାନବ ସେବା ହିଁ ମାଧବ ସେବା । ଜୀବନ ଅପେକ୍ଷା କର୍ତ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ । ତେଣୁ ଲୋକଙ୍କୁ ସେବା ଯୋଗାଇ ଦେବାକୁ ଅଣ୍ଟାରେ ଲାଉ ତୁମ୍ବା ବାନ୍ଧି ପ୍ରଖର ସ୍ରୋତରେ ପହଁରୀ ପହଁରୀ ନଇ ପାର ହେଉଛନ୍ତି, ୨ ଜଣ ଅଙ୍ଗନବାଡ଼ି କର୍ମୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ । ଦେଶରେ କରୋନା ମହାମାରୀ ଜାରି ରହିଥିବା ବେଳେ ଏହି ସମୟରେ ସ୍ୱାସ୍ଥ୍ୟ କର୍ମଚାରୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ରୋଗୀଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟ ଯାଞ୍ଚ ସହ ଶିଶୁଙ୍କୁ ଖାଦ୍ୟ ପ୍ରଦାନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇ ଆସୁଛନ୍ତି । ତେଣୁ ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ରାଲେଗାଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶୁଆପାଲ୍ଲୀ ଅଙ୍ଗନବାଡ଼ି କେନ୍ଦ୍ରର ପ୍ରମିଳା ପେନେଲ ଓ ନିରୁଡ଼ିପାଲ୍ଲୀ ଅଙ୍ଗନବାଡ଼ି କେନ୍ଦ୍ରର ହେମଲତା ଶିଶା କର୍ତ୍ତବ୍ୟ ସମ୍ପାଦନ କରିବାକୁ ଜୀବନକୁ ବାଜି ଲାଗାଇ ନିଜ କର୍ମକ୍ଷେତ୍ରକୁ ଯାଉଛନ୍ତି । ଉଭୟ ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବାକୁ ହେଲେ ନିରୁଡ଼ିପାଲ୍ଲୀ ନଈର ଗଭୀର ସ୍ରୋତ ପାର ହୋଇ ଯିବାକୁ ପଡ଼ିଥାଏ । ବର୍ତ୍ତମାନ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଥିବା ବେଳେ କରୋନା ସମୟରେ ଗ୍ରାମର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ସହ ଗର୍ଭବତୀ, ପ୍ରସବ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ପଡ଼ୁଛି । ଉଭୟଙ୍କ ସେବା ମନୋବୃତି ଓ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ଗଭୀର ନଈ ସ୍ରୋତ ମଧ୍ୟ ଏମାନଙ୍କ କର୍ତବ୍ୟ ଆଗରେ ହାର ମାନିଛି । ତାଙ୍କର ଏହି ସାହସ ଓ ସେବା ମନୋଭାବକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here