ନୂଆଦିଲ୍ଲୀ : ରାଜ୍ୟସଭାର ପ୍ରାୟ ୩୧ ପ୍ରତିଶତ ସାଂସଦଙ୍କ ଘୋଷଣା ଅନୁସାରେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ସେହିପରି ଏହି ଉଚ୍ଚ ସଦନର ସଦସ୍ୟଙ୍କ ହାରାହାରି ସମ୍ପତ୍ତି ୭୯.୫୪ କୋଟି ହୋଇଥିବା ଏଡିଆର୍-ନ୍ୟାସ୍ନାଲ୍ ଇଲେକ୍ସନ୍ ୱାଚ୍ ରିପୋର୍ଟରେ ପ୍ରକାଶ ପାଇଛି । ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ (ଏଡିଆର୍) ଏବଂ ନ୍ୟାସ୍ନାଲ୍ ଇଲେକ୍ସନ୍ ୱାଚ୍ ବର୍ତ୍ତମାନ ରାଜ୍ୟସଭାରେ ଥିବା ୨୩୩ ସାଂସଦଙ୍କ ମଧ୍ୟରୁ ୨୨୬ ଜଣଙ୍କ ଅପରାଧିକ, ଆର୍ଥିକ ଏବଂ ଅନ୍ୟାନ୍ୟ ତଥ୍ୟକୁ ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରକାଶ କରିଛି । ବର୍ତ୍ତମାନ ରାଜ୍ୟସଭାରେ ଗୋଟିଏ ଆସନ ଖାଲି ଥିବାବେଳେ ଦୁଇଜଣ ସାଂସଦ ସେମାନଙ୍କ ଆଫିଡେଭିଟ୍୍ ଦାଖଲ କରିନାହାନ୍ତି । ସେହିପରି ଜମ୍ମୁ-କଶ୍ମୀରର ୪ଟି ଆସନର ତଥ୍ୟ ରିପୋର୍ଟରେ ଦର୍ଶାଯାଇନାହିଁ । ୨୨୬ ସାଂସଦଙ୍କ ମଧ୍ୟରୁ ୧୯୭ (୮୭%) କୋଟିପତି ହୋଇଥିବା ବେଳେ ରାଜ୍ୟସଭା ସାଂସଦଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୭୯.୫୪ କୋଟି ବୋଲି ରିପୋର୍ଟରେ କୁହାଯାଇଛି । ଏହା ମଧ୍ୟରୁ ୭୧ ଜଣ (୩୧%) ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ଥିବାବେଳେ ୩୭ ଜଣଙ୍କ (୧୬%) ନାମରେ ଗୁରୁତର ଅପରାଧିକ ମାମଲା ଥିବା ସେମାନଙ୍କ ଘୋଷଣାପତ୍ରରୁ ଜଣାଯାଇଛି । ରିପୋର୍ଟ ଅନୁସାରେ ଦୁଇଜଣ ସାଂସଦଙ୍କ ବିରୋଧରେ ହତ୍ୟା ଏବଂ ୪ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରହିଛି । ସେହିପରି ଚାରିଜଣଙ୍କ ବିରୋଧରେ ମହିଳା ଉତ୍ପୀଡ଼ନ ମାମଲା ଥିବାବେଳେ ଏହା ମଧ୍ୟରେ କଂଗ୍ରେସ ସାଂସଦ (ରାଜସ୍ଥାନ) କେସି ବେଣୁଗୋପାଳଙ୍କ ବିରୋଧରେ ଦୁଷ୍କର୍ମ ସମ୍ପର୍କିତ (ଆଇପିସି ଧାରା ୩୭୬) ମାମଲା ରହିଛି ।
ରିପୋର୍ଟ ଅନୁସାରେ ବିଜେପିର ୮୫ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୨୦ (୨୪%) ଜଣ, କଂଗ୍ରେସର ୩୧ରୁ ୧୨ (୩୯%) ଜଣ, ଟିଏମ୍ସିର ୧୩ ଜଣ ମଧ୍ୟରୁ ତିନିଜଣ (୨୩%), ଆର୍ଜେଡିର ୬ରୁ ୫ (୮୭%) ଜଣ, ସିପିଏମ୍ର ପାଞ୍ଚଜଣରୁ ୪ (୮୦%), ଆପ୍ର ୧୦ ଜଣରୁ ତିନିଜଣ (୩୦%), ୱାଇଏସ୍ଆର୍ସିପିର ୯ରୁ ତିନିଜଣ (୩୩%) ଏବଂ ଏନ୍ସିପିର ୪ ଜଣ ସାଂସଦଙ୍କ ମଧ୍ୟରୁ ଦୁଇଜଣ (୫୦%)ଙ୍କ ନାମରେ ଅପରାଧିକ ମାମଲା ଥିବା ସେମାନଙ୍କ ଦ୍ୱାରା ପ୍ରଦତ୍ତ ଆଫିଡେଭିଟ୍ରୁ ଜଣାପଡ଼ିଛି । ସେହିପରି ବିଜେପିର ୯ ଜଣ (୧୧%), କଂଗ୍ରେସର ୮ଜଣ (୨୬%), ଟିଏମ୍ସିର ଜଣେ (୮%), ଆର୍ଜେଡିର ତିନିଜଣ (୫୦%), ସିପିଏମ୍ର ଦୁଇଜଣ (୪୦%), ଆପ୍ର ଜଣେ (୧୦%), ୱାଇଏସ୍ଆର୍ସିପିର ତିନିଜଣ (୩୩%) ଏବଂ ଏନ୍ସିପିର ଜଣେ (୨୫%) ସାଂସଦଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ଥିବା ସେମାନେ ଘୋଷଣାପତ୍ରରେ ଦର୍ଶାଇଛନ୍ତି । ସେହିପରି ରାଜ୍ୟ ହିସାବରେ ଦେଖିବାକୁ ଗଲେ ଉତ୍ତର ପ୍ରଦେଶର ୩୧ ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ସାତଜଣ (୨୩%), ମହାରାଷ୍ଟ୍ରରୁ ୧୯ ଜଣଙ୍କ ମଧ୍ୟରୁ ୧୨ ଜଣ (୬୩%), ତାମିଲନାଡ଼ୁର ୧୮ ମଧ୍ୟରୁ ଛଅଜଣ (୩୩%), ପଶ୍ଚିମବଙ୍ଗର ୧୬ରୁ ତିନିଜଣ (୧୯%), କେରଳର ୯ରୁ ୬ ଜଣ (୬୭%) ଏବଂ ବିହାରର ମୋଟ ୧୬ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୧୦ ଜଣ (୬୩%)ଙ୍କ ନାମରେ ଅପରାଧିକ ମାମଲା ଥିବା ସେମାନଙ୍କ ଆଫିଡେଭିଟ୍ରୁ ଜଣାଯାଇଛି ।