39.2 C
Bhubaneswar
Thursday, April 18, 2024
Homeଅପରାଧକ୍ରିକେଟ୍ ବେଟିଂ : ଭାରତ-ଇଂଲଣ୍ଡ ମ୍ୟାଚ୍‌ବେଳେ ଚାଲିଥିଲା, ୪, ୧ ଲକ୍ଷ ୭୫ ହଜାର ଜବତ

କ୍ରିକେଟ୍ ବେଟିଂ : ଭାରତ-ଇଂଲଣ୍ଡ ମ୍ୟାଚ୍‌ବେଳେ ଚାଲିଥିଲା, ୪, ୧ ଲକ୍ଷ ୭୫ ହଜାର ଜବତ

କଟକ: କଟକରେ ଚାଲିଥିଲା କ୍ରିକେଟ୍ ବେଟିଂ । ଭାରତ-ଇଂଲଣ୍ଡ ଏକ ଦିବସୀୟ ମ୍ୟାଚ୍‌ବେଳେ ଲାଲବାଗ ପୁଲିସ ଏଥିରେ ସଂପୃକ୍ତ ଏକ ଗୋଷ୍ଠୀର ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ସ୍ଥାନୀୟ କାଳୀଗଳି ଅଞ୍ଚଳର ସୌମେନ ସାଙ୍ଗମେରିଆ(୨୭), ଗଣେଶଘାଟ ଅଞ୍ଚଳର ରୋହିତ ପଟୱାରୀ (୨୫), ମେହେନ୍ଦିପୁର ଅଞ୍ଚଳର ସୁନୀଲ ଶାହା(୨୮) ଓ କାଜିବଜାର ଅଞ୍ଚଳର ବଣ୍ଟି କମଲିଆ(୩୦) । ସେମାନଙ୍କଠାରୁ ନଗଦ ୧ ଲକ୍ଷ ୭୫ ହଜାର ଟଙ୍କା, ନୋଟ୍‌ବୁକ୍‌, ୩ଟି ଡାଏରୀ, କ୍ଲିପ୍ ବୋର୍ଡ, କାଲକୁଲେଟର୍ ଓ ୮ଟି ଦାମୀ ମୋବାଇଲ୍ ଫୋନ୍ ଜବତ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।

ସୂଚନା ଅନୁଯାୟୀ, ଭାରତ-ଇଂଲଣ୍ଡ ଏକଦିବସୀୟ ମ୍ୟାଚ୍‌ରେ ଦୁଇଗୁଣା ଅର୍ଥର ଲୋଭ ଦେଖାଇ ବେଟିଂ ଚାଲିଥିଲା । ତେବେ କ୍ରିକେଟ୍ ଖେଳବେଳେ ମଇଦାନରେ ଖେଳୁଥିବା ଦୁଇ ଦଳର ହାରଜିତ, ଖେଳାଳି, ସ୍କୋର୍ ତଥା ପ୍ରତି ରନ୍ ପିଛା ଟଙ୍କା ଧାର୍ଯ୍ୟ ହୋଇଥିଲା । ଯିଏ ଯେତେ ଅଧିକ ଟଙ୍କା ଲଗାଇଲା; ତାକୁ ସେତେ ଅଧିକ ଅର୍ଥରାଶି ମିଳିବାର ପ୍ରତିଶ୍ରୁତି ଦିଆଯାଇଥିଲା । ସବୁ କିଛିଥିଲା ଅନ୍‌ଲାଇନରେ କାରବାର । ଗତ ମଙ୍ଗଳବାର ଭାରତ-ଇଂଲଣ୍ଡ ଏକ ଦିବସୀୟ କ୍ରିକେଟ୍ ଆରମ୍ଭହେବା ପରେ ଉକ୍ତ ଗୋଷ୍ଠୀର ମୁଖ୍ୟ ସୌମେନ ବେଟିଂ ଆରମ୍ଭ କରିଥିଲା । ଏଥିପାଇଁ ସେ ଓ ତା’ର ୩ ସହଯୋଗୀ ରୋହିତ, ସୁନୀଲ ଓ ବଣ୍ଟି ସହରର ଅନେକ ପରିଚିତ ଯୁବପିଢ଼ି ଓ ସାଧାରଣ ଲୋକଙ୍କୁ ବୁଝାଇ ଟଙ୍କା ଲଗାଇଥିଲେ । ତେବେ ଏନେଇ ସୂଚନା ମିଳିବା ପରେ ପୁଲିସ ସଜାଗ ହୋଇଯାଇଥିଲା ।

ଗୁରୁବାର ଦିନିକିଆ କ୍ରିକେଟ୍‌ର ଦ୍ୱିତୀୟ ମ୍ୟାଚ୍ ଚାଲିଥିବାବେଳେ ରାତି ପ୍ରାୟ ୯ଟାରେ କାଳୀଗଳିସ୍ଥିତ ଏକ ଭଡ଼ାଘରେ ବେଟିଂ ଚାଲୁଥିବା ନେଇ ପୁଲିସ ସୂଚନା ପାଇଥିଲା । ଏହି ସମୟରେ ପୁଲିସ ଅଚାନକ ସେଠାରେ ଚଢ଼ଉ କରିଥିଲା । ତେବେ ପ୍ରଥମ ବ୍ୟାଟିଂକରି ଇଂଲଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାରୁ ସେହି ସମୟରେ ବେଟିଂରେ ଭାରତ ପ୍ରଥମ ପସନ୍ଦ ଚାଲିଥାଏ । ଟିମ୍ ଇଣ୍ଡିଆର ଦର କମ୍ ଥାଏ ଓ ବହୁ ଲୋକ ତାହା ଉପରେ ଅର୍ଥ ଲଗାଉଥାନ୍ତି । ତେବେ ଚଢ଼ଉ ସମୟରେ ସୌମେନ୍‌ଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ସହ ୫ଟି ମୋବାଇଲ୍ ଫୋନ୍ ଓ ଅନ୍ୟମାନଙ୍କଠାରୁ ୩ଟି ଜବତ ହୋଇଛି । ଏହାସହ ବେଟିଂରେ ଭାଗ ନେଇଥିବା ଲୋକଙ୍କ ବିଷୟରେ ପୁଲିସ ଅଧିକ ସୂଚନା ସଂଗ୍ରହ କରୁଥିବାବେଳେ ଖୁବ୍‌ଶିଘ୍ର ସେମାନଙ୍କୁ ମଧ୍ୟ ଧରାଯିବ ବୋଲି ଲାଲ୍‌ବାଗ ଥାନା ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking