30.1 C
Bhubaneswar
Wednesday, April 24, 2024
Homeଓଡିଶାରାଜ୍ୟ ବଜେଟ୍ ଜନଗଣଙ୍କ ଆଶା ଆକାଂକ୍ଷା ପୂରଣ କରିପାରିବ ନାହିଁ : ସି.ପି.ଆଇ.(ଏମ୍‌)

ରାଜ୍ୟ ବଜେଟ୍ ଜନଗଣଙ୍କ ଆଶା ଆକାଂକ୍ଷା ପୂରଣ କରିପାରିବ ନାହିଁ : ସି.ପି.ଆଇ.(ଏମ୍‌)

ଭୁବନେଶ୍ୱର : ୨୦୨୧-୨୨ ଆର୍ଥୀକ ବର୍ଷ ପାଇଁ ଓଡିଶାରେ ବିଜେଡି ସରକାର ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି ତାହା ଓଡିଶା ବାସୀଙ୍କ
ଆଶା ଆକାଂକ୍ଷା ପୂରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି ।
୨୦୨୦-୨୧ ଆର୍ଥୀକ ବର୍ଷ ପାଇଁ ବଜେଟ୍ ପରିମାଣ (ବଜେଟ୍ ଅଟକଳ ଓ ସପ୍ଳିମେଣ୍ଟାରୀ ବଜେଟ୍ ଅଟକଳ ମିଶାଇ) ୧
ଲକ୍ଷ ୬୧ ହଜାର କୋଟି ଟଙ୍କାରୁ ଅଧିକ ହୋଇଥିବା ବେଳେ ୨୦୨୧-୨୨ ବର୍ଷ ବଜେଟ୍‌ରେ ତାହା ନାମକୁ ମାତ୍ର ବୃଦ୍ଧି କରି
୧,୭୦,୦୦୦କୋଟି ଟଙ୍କା ରଖାଯାଇଛି । ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟବୃଦ୍ଧିକୁ ହ୍ରାସ କରିବା ପାଇଁ କୌଣସି ପଦକ୍ଷେପ ନାହିଁ ।
ବିଶେଷ କରି ପେଟ୍ରୋଲିୟମଜାତ ଦ୍ରବ୍ୟ ଉପରୁ ରାଜ୍ୟ ଟିକସ ହ୍ରାସ ପାଇଁ କୌଣସି ପ୍ରସ୍ତାବ ନାହିଁ କିମ୍ବା ଏହାକୁ ଜି.ଏସ୍‌.ଟି. ପରିସର
ଭୁକ୍ତ କରିବା ପାଇଁ ରାଜ୍ୟ ସରକାର ଚାହୁଁ ନାହାଁନ୍ତି । ଲୋକ ଦେଖାଣିଆ ଭାବେ ସ୍ୱତନ୍ତ୍ର କୃଷି ବଜେଟ୍ ଉପସ୍ଥାପିତ କରାଯାଇଛି ।
କୋଭିଡ୍ ପରବର୍ତ୍ତୀ ପରିସ୍ଥିତିରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପ୍ରତି ଅଧିକ ବ୍ୟୟବରାଦ ପରିବର୍ତ୍ତେ ଗତ ବର୍ଷର ବଜେଟ୍ ଅଟକଳରୁ
୨,୯୪୦ କୋଟି ଟଙ୍କା ହ୍ରାସ କରାଯାଇଛି । ଚାଷୀମାନଙ୍କ ଋଣ ଛାଡ, ସ୍ୱାମୀନାଥନ କମିଟି ରିପୋର୍ଟ ଅନୁଯାୟୀ ସର୍ବନିମ୍ନ ସହାୟକ
ମୂଲ୍ୟ ପ୍ରଦାନ, ଚାଷୀମାନଙ୍କୁ ବୋନସ ପ୍ରଦାନ କିମ୍ବା ମଣ୍ଡିରୁ ଚାଷୀମାନଙ୍କ ଧାନ ସଂଗ୍ରହ କରିବା କ୍ଷେତ୍ରରେ ଆବଶ୍ୟକୀୟ ପଦକ୍ଷେପ
ନେବା କ୍ଷେତ୍ରରେ ବଜେଟ୍ ନିରବ । ଅଧିକ ୨ ଲକ୍ଷ ୭୪ ହଜାର ଏକର ଜମିରେ ଜଳସେଚନ ବନ୍ଦୋବସ୍ତ କରିବାର ଘୋଷଣା ଏକ
ଫମ୍ପା ଆବାଜ । ଓଡିଶାର ଡ୍ୟାମ ଗୁଡିକର ଜଳ ଧାରଣ କ୍ଷମତା କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି । ନଦୀ ଗୁଡିକ ମଧ୍ୟ ଶୁଷ୍କ । ଯେଉଁ
ଜଳସେଚିତ ଜମି ରହିଛି, ସେଥିରେ ଜଳ ଅଭାବରୁ ଯଥେଷ୍ଟ ଜଳସେଚନ ହୋଇପାରୁନାହିଁ । କୋଭିଡ୍ ମହାମାରୀ ପୁଣି ଭିନ୍ନ ରୂପରେ
ଦେଖା ଦେବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ଯଥେଷ୍ଟ ଅର୍ଥ ବରାଦ ଆବଶ୍ୟକ ଥିବା ବେଳେ ତାହା କରାଯାଇନାହିଁ । ଶିକ୍ଷା କ୍ଷେତ୍ରରେ
ବ୍ୟୟବରାଦ ପୂର୍ବ ବର୍ଷ ତୁଳନାରେ ୨,୧୪୩ କୋଟି ଟଙ୍କା କମ୍ ହୋଇଛି । ସାର୍ବଜନିନ ଶିକ୍ଷା, ଅଧିକ ସ୍ଥାୟୀ ଶିକ୍ଷକ ନିଯୁକ୍ତି, ବିଦ୍ୟାଳୟ
ଓ ମହାବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ଗଠନ ପ୍ରତି ଯଥେଷ୍ଟ ଅର୍ଥ ବରାଦ ହୋଇନାହିଁ । ଖାଲି ପଡିଥିବା ପଦବୀ ପୂରଣ ପାଇଁ ବ୍ୟବସ୍ଥା
ନାହିଁ । ଶିଳ୍ପ କ୍ଷେତ୍ର ସଂକଟ ମଧ୍ୟଦେଇ ଗତି କରୁଥିବା ବେଳେ ବେକାରୀ ସମସ୍ୟା ଉତ୍କଟ ଆକାର ଧାରଣ କରିବ । ଏମ୍‌.ଏନ୍‌. ରେଗା
କାମ ପାଇଁ କେନ୍ଦ୍ର ସରକାର ବ୍ୟୟ ବରାଦ ହ୍ରାସ କରୁଥିବା ବେଳେ ଏହା ଉପରେ ନିର୍ଭରଶୀଳ ପରିବାରକୁ କାମ ଯୋଗାଇବା ପାଇଁ
ରାଜ୍ୟ ବଜେଟ୍‌ରେ ଠୋସ୍ ପଦକ୍ଷେପ ନାହିଁ । ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଘୋଷଣା ସମୁଦ୍ରକୁ ସଙ୍ଖେ । ଜନଗଣଙ୍କର ମୁଣ୍ଡ ପିଛା
ଆୟ ୨୪୧୦ଟଙ୍କା ହ୍ରାସ ଘଟିଥିବା ବେଳେ ସେମାନଙ୍କର କ୍ରୟ ଶକ୍ତି ତଥା ଆୟ ବୃଦ୍ଧି ପାଇଁ ଯୋଜନା ନାହିଁ । ସାର୍ବଜନୀନ ଶିକ୍ଷା ଓ
ସାର୍ବଜନୀନ ପରିବହନ ବ୍ୟବସ୍ଥା ପ୍ରତି ଧ୍ୟାନ ନଦେଇ ଘରୋଇ ଉଦ୍ୟୋଗ ପ୍ରତି ଅନୁକମ୍ପା ପ୍ରଦର୍ଶନ କରାଯାଇଛି । ଧନୀକ ଶ୍ରେଣୀ, ଖଣି
ମାଲିକଙ୍କ ଠାରୁ ବକେୟା ଅର୍ଥକୁ ଆଦାୟ କରିବା ପାଇଁ ପଦକ୍ଷେପ ନାହିଁ । ପର୍ଯ୍ୟଟନ ବ୍ୟୟ ବରାଦ ବୃଦ୍ଧି ପରିବର୍ତ୍ତେ ତାହା ୮୮ କୋଟି
ଟଙ୍କା ହ୍ରାସ କରାଯାଇଛି । ଏ ସବୁର କୁପ୍ରଭାବ ନିଯୁକ୍ତି କ୍ଷେତ୍ର ଉପରେ ପଡିବ । ଫଳରେ ବେକାର ସମସ୍ୟା ଉତ୍କଟ ହେବ । ବିତ୍ତୀୟ
ନିଅଣ୍ଟ ବୃଦ୍ଧି ପାଇଛି ଓ ଋଣ ପରିମାଣ ମୋଟ ରାଜ୍ୟ ଆଭ୍ୟନ୍ତରୀଣ ଉତ୍ପାଦନର ୩.୫%କୁ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି ।
ଏହି ବଜେଟ୍ କେନ୍ଦ୍ରର ମୋଦି ସରକାରଙ୍କ ବଜେଟ୍ ଭଳି ଏକ ପ୍ରହେଳିକା ପୂର୍ଣ୍ଣ ବଜେଟ୍ । ଏହା ଜନଗଣଙ୍କର ଆଶା ଆକାଂକ୍ଷାକୁ
ପୂରଣ କରିବାରେ ସଂପୂର୍ଣ୍ଣ ବିଫଳ ହେବ । ଏହି ଜନ ବିରୋଧୀ ବଜେଟ୍ ବିରୁଦ୍ଧରେ ଜନଗଣ ପ୍ରତିବାଦ କରିବା ପାଇଁ ଆଗେଇ ଆସିବାକୁ
ସି.ପି.ଆଇ.(ଏମ୍‌) ଓଡିଶା ରାଜ୍ୟ କମିଟି ଆହ୍ୱାନ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking