40.1 C
Bhubaneswar
Wednesday, April 24, 2024
Homeଓଡିଶାପୋଲିସର ଦମନ, ଅତ୍ୟାଚାରକୁ ସିପିଆଇର ନିନ୍ଦା

ପୋଲିସର ଦମନ, ଅତ୍ୟାଚାରକୁ ସିପିଆଇର ନିନ୍ଦା

ଭୁବନେଶ୍ୱର –ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଗତକାଲି ଏକ ପ୍ରତିନିଧି ଦଳ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ଓ ଜାତୀୟ ପରିଷଦ ସଭ୍ୟ ଅଭୟ ସାହୁଙ୍କ ନେତୃତ୍ୱରେ ପୁରୀ ଜିଲ୍ଲାର ଗୋପ ଥାନା ଅନ୍ତର୍ଗତ ରେଢ଼ୁଆ ଗ୍ରାମରେ ପୋଲିସର ଦମନ, ମହିଳାମାନଙ୍କ ଉପରେ ନିର୍ମମ ଅତ୍ୟାଚାର ଓ ଅନ୍ୟାୟ ଗିରଫ ସମ୍ପର୍କରେ ଅନୁଧ୍ୟାନ କରି ଫେରିଆସିଛନ୍ତି ।
ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ଯେ, ଗୋଟିଏ ବାଛୁରୀ କୁଣ୍ଡା ଖାଇଯିବା ଏକ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଗ୍ରାମରେ ଦ୍ୱନ୍ଦ୍ୱର ସମାଧାନ ପରିବର୍ତ୍ତେ ଗୋପ ପୋଲିସର ମାତ୍ରାଧିକ କାର୍ଯ୍ୟ ଉକ୍ତ ଗ୍ରାମରେ ଦେଖିବାକୁ ମିଳିଛି । ଗୋପ ପୋଲିସ ଗତ ଅଗଷ୍ଟ ୭ ତାରିଖ ରାତି ୨ଟା ସମୟରେ ଗ୍ରାମରେ ପଶି ଗ୍ରାମର ୪ଜଣ ଲୋକଙ୍କୁ ଗିରଫ କରିବା ଫଳରେ ଲୋକେ ପ୍ରତିବାଦ କରିଥିଲେ ଓ ଗ୍ରାମ ରାସ୍ତା ମଧ୍ୟ ଅବରୋଧ କରିଥିଲେ । ଉକ୍ତଦିନ ନିମାପଡ଼ା ଡିଏସପି ଘଟଣାସ୍ଥଳରେ ପହଞ୍ôଚ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଲାପରେ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ । ମାତ୍ର ଅଗଷ୍ଟ ୯ ତାରିଖ ରାତ୍ରି ୨ଟା ସମୟରେ ଶତାଧିକ ପୋଲିସ ଉକ୍ତ ଗ୍ରାମରେ ପ୍ରବେଶ କରି ଶାନ୍ତିରେ ଶୋଇଥିବା ଲୋକଙ୍କ କବାଟ ଭାଙ୍ଗିି ବୃଦ୍ଧ, ବୃଦ୍ଧା, ମହିଳା ଓ ଶିଶୁମାନଙ୍କୁ ଲାଠି ପ୍ରହାର କରି ଅନ୍ୟାୟ ଭାବରେ ୧୯ଜଣ ମହିଳାଙ୍କ ସମେତ ୩୦ଜଣଙ୍କୁ ଗିରଫ କରିନେଇଛନ୍ତି । ବୃଦ୍ଧା ଓ ମହିଳାମାନଙ୍କୁ ପୁରୁଷ ପୋଲିସ ନିର୍ମମ ଭାବରେ ଲାଠି ପ୍ରହାର କରିଥିବା ଘଟଣା ଦେଖିବାକୁ ମିଳିଥିଲା । ବହୁ ବୃଦ୍ଧାଙ୍କର ପିଠି ଫାଟିଯାଇଥିବା ମଧ୍ୟ ସେମାନେ ଦେଖାଇଥିଲେ । ଅନେକ ଲୋକଙ୍କ ଘର କବାଟ ଭାଙ୍ଗିଦେଇଥିବା ଦେଖିବାକୁ ମଧ୍ୟ ମିଳିଥିଲା । ବର୍ତ୍ତମାନ ପୋଲିସର ଦମନ ବିରୁଦ୍ଧରେ ଉକ୍ତ ଗ୍ରାମ ପୁରୁଷଶୂନ୍ୟ ହୋଇଯାଇଛି । କେତେକ ମହିଳାଙ୍କ ୬ ମାସର ଶିଶୁ କ୍ଷୀର ନ ଖାଇ ଘରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ପୋଲିସ ଜନସାଧାରଣଙ୍କ ବନ୍ଧୁ ବୋଲି ସରକାର ଡିଣ୍ଡିମ ପିଟୁଥିଲାବେଳେ ଗୋପ ପୋଲିସର ଏତାଦୃଶ କାର୍ଯ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସିପିଆଇ ନେତାମାନେ କହିଛନ୍ତି ଓ ଏଥିରେ ଲୋକଙ୍କର ମାନବିକ ଅଧିକାର କ୍ଷୁଣ୍ଣ ହୋଇଛି । ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି ।
ଉକ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା, ଗିରଫ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ନିଃସର୍ତ୍ତରେ ଖଲାସ କରିବା, କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଦେବା, ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏହି ପ୍ରତିନିଧି ଦଳରେ ମନୋଜ ପରିଜା, ପ୍ରଦୀପ ମହାନ୍ତି, ସୁକାନ୍ତ ମହାନ୍ତି, ପ୍ରଶନ୍ନ ଦାସ, ବ୍ରହ୍ମାନନ୍ଦ ଦାସ, ସରପଞ୍ଚ ରାଜଶ୍ରୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ୟାର ସମାଧାନ ନ ହେଲେ ଏହା ଜନ ଆନ୍ଦୋଳନର ରୂପ ନେଇପାରେ ବୋଲି ଚେତାବନୀ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking