29.1 C
Bhubaneswar
Friday, April 26, 2024
Homeଅପରାଧନକଲି ଏଜେଣ୍ଟର କଳାକାରନାମା: ପୋଷ୍ଟାଲ ଜମା ନା’ରେ ୧୧.୮୫ଲକ୍ଷ ଠକେଇ

ନକଲି ଏଜେଣ୍ଟର କଳାକାରନାମା: ପୋଷ୍ଟାଲ ଜମା ନା’ରେ ୧୧.୮୫ଲକ୍ଷ ଠକେଇ

ଭୁବନେଶ୍ୱର: ନିଜକୁ ପୋଷ୍ଟାଲ ଏଜେଣ୍ଟ କହି ୧୧ଲକ୍ଷ ୮୫ହଜାର ୮୫୦ଟଙ୍କା ଠକେଇ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ସମ୍ପୃକ୍ତ ନକଲି ଏଜେଣ୍ଟକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ରଥରୋଡ୍ ରାମେଶ୍ୱରପାଟଣା ବାରିକସାହିରେ ରହୁଥିବା ବିଭୂତି ଭୂଷଣ ମହାପାତ୍ର(୫୪) ବୋଲି ଜଣାଯାଇଛି । ଏନେଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରିଥିଲା । ତେବେ ଜାମିନ ଖାରଜ ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ବିଭୂତିର ପୈତୃକ ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଟୋଲରେ । ସେ ଦୀର୍ଘଦିନ ହେବ ରାଜଧାନୀରେ ରହିଆସୁଥିଲା ।

୧୯୯୫ ମସିହାରୁ ନିଜକୁ ଜଣେ ପୋଷ୍ଟାଲ ଏଜେଣ୍ଟ କହି ଲୋକଙ୍କୁ ବିଭିନ୍ନ ସ୍କିମ୍‌(ଆର୍‌ଡି, ଏମ୍‌ଆଇଏସ୍‌,ଟିଡି)ରେ ଟଙ୍କା ନିବେଶ କରିବାକୁ କହୁଥିଲା। ଏହିକ୍ରମରେ ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଟିଆ ଅଞ୍ଚଳର ଖ୍ରିଷ୍ଟୋଫର୍ ଏକ୍କା(୬୧) ନାମକ ଜଣେ ବ୍ୟକ୍ତିଙ୍କୁ ବିଭୂତି ଫସାଇଥିଲା । ପୋଷ୍ଟାଲର ବିଭିନ୍ନ ସ୍କିମ୍‌ରେ ତାଙ୍କ ପରିବାର ଲୋକଙ୍କ ନାଁରେ ଟଙ୍କା ଜମା କରିବାକୁ କହିଥିଲା । ବିଭୂତିଙ୍କ କଥାରେ ପଡ଼ି ଖ୍ରିଷ୍ଟୋଫର ତାଙ୍କ ପୁଅ ମଶିସା ଏକ୍କାଙ୍କ ନାଁରେ ୨ଟି ଏମ୍‌ଆଇଏସ୍‌( ମାସିକ ଆୟ ଯୋଜନା) ଏବଂ ତାଙ୍କ ନାଁରେ ଏକ ଆର୍‌ଡି କରିଦେଇଥିଲେ ।

ଏଥିରେ ସମୁଦାୟ ୧୧ଲକ୍ଷ ୮୫ହଜାର ୮୫୦ଟଙ୍କା ଜମା କରିଥିଲେ । ଏହିସବୁ ସ୍କିମ୍‌ର ଅବଧି ପୁରୁଥିବାରୁ ବିଭୂତି ୨୦୧୬ମସିହା ଡିସେମ୍ବର ମାସରେ ଖ୍ରିଷ୍ଟୋଫରଙ୍କ ଘରକୁ ଯାଇସେଠାରୁ ସମସ୍ତ ପାସ୍‌ବୁକ ନିଜ ସାଙ୍ଗରେ ନେଇଆସିଥିଲା । ଏହି ପାସବୁକ୍‌ର ମ୍ୟାଚୁରିଟି ଟଙ୍କା ପୋଷ୍ଟାଲର ଅନ୍ୟ ସ୍କିମ୍ ଜରିଆରେ ରଖିଦେବାକୁ ସେ କହିଥିଲା । ତେବେ ପାସ୍‌ବୁକ ନେବା ପରେ ବିଭୂତି ଆଉ ଧରାଛୁଆଁ ଦେଇନଥିଲା । ତେଣୁ ବାଧ୍ୟହୋଇ ଖ୍ରିଷ୍ଟୋଫର ଭୁବନେଶ୍ୱର ମୁଖ୍ୟ ଡାକଘରକୁ ଯାଇ ଖାତା ସମ୍ବନ୍ଧରେ ପଚାରି ବୁଝିଥିଲେ । ହେଲେ ସେଠାରେ ତାଙ୍କ ନାମ ଏବଂ ତାଙ୍କ ପୁଅଙ୍କ ନାମରେ କୌଣସି ଖାତା ନଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇ ଖ୍ରିଷ୍ଟୋଫର ୨୦୧୯ ମସିହା ଜୁନ୍ ୫ତାରିଖରେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା । ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୋଗର ୩ବର୍ଷ ପରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking