27.1 C
Bhubaneswar
Thursday, April 25, 2024
Homeଓଡିଶାକୁଜଙ୍ଗରେ ବସୁନ୍ଧରା ଯୋଜନା ଘୋଟାଲା : ଭଡାଟିଆଙ୍କୁ ପକାଘର, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

କୁଜଙ୍ଗରେ ବସୁନ୍ଧରା ଯୋଜନା ଘୋଟାଲା : ଭଡାଟିଆଙ୍କୁ ପକାଘର, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

ଜଗତସିଂହପୁର :(ପ୍ରତାପ କୁମାର ସିଂହ ) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ଅନ୍ତର୍ଗତ ପାରାଦୀପଗଡ଼ ପଂଚାୟତରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସି ଭଡ଼ାରେ ରହୁଥିବା ଜନୈକା ମହିଳାଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରାଯାଇଛି । ବେଆଇନ ଭାବରେ ମହିଳାଙ୍କୁ ଘରଡ଼ିହ ଏବଂ ବିଜୁ ପକାଘର ପ୍ରଦାନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ଭିଜିଲାନ୍ସ ତଦନ୍ତ କରିବା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମାନ ଘଟଣାକୁ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରାଯାଇଥିଲା । ମାତ୍ର ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଜନୈକ ସ୍ଥାନୀୟ ବ୍ୟକ୍ତି ହାଇକୋର୍ଟରେ ଅଭିଯୋଗ କରିଥିଲେ । ମାମଲାର ବିଚାର କରି ହାଇକୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ତହସିଲ ଅନ୍ତର୍ଗତ ଯଦୁପୁର ଗ୍ରାମର ସ୍ନେହଲତା ପ୍ରଧାନ ନାମକ ଜନୈକା ମହିଳା ତାଙ୍କ ପରିବାର ସହିତ ପାରାଦୀପର ବିଭିନ୍ନ ଶିଳ୍ପାଞ୍ଚଳରେ ଜିବୀକା ନିର୍ବାହ କରନ୍ତି । ନିମିଢ୍ରି ଗ୍ରାମରେ ସେ ଭଡାଘରରେ ଅବସ୍ଥାନ କରନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ତାଙ୍କର ବାପା ଏବଂ ଶଶୁରଙ୍କ ନାମରେ ରେକର୍ଡ଼ଭୁକ୍ତ ଜମି ରହିଛି । ଏହା ସତ୍ତ୍ବେ ସେ ଭୂମିହୀନଭାବେ ବସୁନ୍ଧରା ଯୋଜନାରେ ଘରଡ଼ିହ ପାଇଁ ଆବେଦନ କରିଥିଲେ । ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ମଧ୍ୟ ଅନୁକୂଳ ରିପୋର୍ଟ ପ୍ରଦାନ କରିଥିଲେ । ଫଳରେ ତାଙ୍କୁ ନିହାରୁଣୀ କନ୍ଧା ଅଂଚଳରେ ସ୍ଥାନୀୟ ତହସିଲ ପକ୍ଷରୁ ଖାତା ନମ୍ବର ୮୨/୧୩୭ରେ ୨୦୧୭ ମସିହାରେ ବସୁନ୍ଧରା ଯୋଜନାରେ ୪ ଡ଼ିସିମିଲ ଘରଡ଼ିହ ପ୍ରଦାନ କାଯାଇଥିଲା ।

ଏହାପରେ ସମ୍ପୃକ୍ତ ମହିଳା ବ୍ଳକ ପ୍ରଶାସନକୁ ହାତକରି ଏକ ବିଜୁ ପକ୍କାଘର ନିଜ ନାମରେ କରାଇ ନେଇଥିଲେ ଏବଂ ସେଠାରେ ନିଜର ଭବ୍ୟ ବାସଭବନ ନିର୍ମାଣ କରିଥିଲେ । ସମ୍ପୃକ୍ତ ମହିଳା ନିଜର ପ୍ରଭାବ ବିସ୍ତାର କରି ପାରାଦୀପଗଡ଼ ପଂଚାୟତର ବିଜୁ ଯୁବ ବାହିନୀର ସଭାନେତ୍ରୀ ପଦକୁ ହାତେଇଛନ୍ତି । ଏହି ଘଟଣାରେ ସ୍ଥାନୀୟ ନିମିଢି ଗ୍ରାମର ବାବୁଲି ନାୟକ ପ୍ରଥମେ ଗତ ୨୦୧୯ ନଭେମ୍ବର ମାସ ୧୫ ତାରିଖରେ କଟକ ଭିଜିଲାନ୍ସ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ଭିଜିଲାନ୍ସ ବିଭାଗର ସ୍ଥାଣୁତା କାରଣରୁ ସେ ମାନ୍ୟବର ହାଇ କୋର୍ଟରେ ଗୃହ ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀ, ଏସପି ଭିଜିଲାନ୍ସ କଟକ, ଡ଼ିଏସପି ଭିଜିଲାନ୍ସ ଜଗତସିଂହପୁରଙ୍କ ପକ୍ଷକରି ସିଆଏଲଏମପି ୧୮୦୮/୨୦୧୯ରେ ମାମଲା ରୁଜୁ କରିଥିଲେ । ମାନ୍ୟବର ହାଇକୋର୍ଟ ମାମାଲାର ବିଚାରକରି ଭିଜିଲାନ୍ସ ଏସପି କଟକକୁ ଅଭିଯୋଗକାରୀଙ୍କ ଅଭିଯୋଗକୁ ଗ୍ରହ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking