କରୋନା ଚିନ୍ତା : ବିଦେଶରୁ ଫେରି ଲୁଚିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଯେଉଁ ବ୍ୟକ୍ତିମାନେ ବିଦେଶରୁ ଫେରୁଛନ୍ତି ଅଥଚ ସେମାନଙ୍କ ଗସ୍ତ ସଂପର୍କରେ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେଉ ନାହାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ଦରକାର ପଡ଼ିଲେ ଗିରଫ ମଧ୍ୟ କରାଯାଇ ପାରେ। ଏନେଇ ରାଜ୍ୟ ସରକାର ଖୁବଶୀଘ୍ର ୧୮୯୭ ମସିହା ଏପିଡେମିକ୍ ଆଇନ ରାଜ୍ୟରେ କାର୍ଯ୍ୟକାରୀ କରିବା ନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛନ୍ତି । କେରଳ ସରକାର ଏହି ଆଇନକୁ କାର୍ଯ୍ୟକାରୀ କରି ସାରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣକୁ କଡ଼ାକଡ଼ି କରିବା ଲାଗି ରାଜ୍ୟ ସରକାର ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ।
ନିକଟରେ ଇଟାଲିରୁ ଜଣେ ଉଚ୍ଚଶିକ୍ଷିତା ଯୁବତୀ କଟକକୁ ଫେରିଥିବା ବେଳେ ସ୍ବାସ୍ଥ୍ୟ ବିଭାଗକୁ ଚକମା ଦେଖାଇଥିଲେ । ସେହିପରି କିଛିଦିନ ପୂର୍ବରୁ ଆୟର୍ଲାଣ୍ଡର ଜଣେ ବ୍ୟକ୍ତି ଏସସିବି ମେଡିକାଲକୁ ଖସିଯିବାରେ ସକ୍ଷମ ହୋଇଥିଲେ। ତେଣୁ ଏସବୁର ଆଗକୁ ଯେପରି ପୁନରାବୃତ୍ତି ନ ହୁଏ ସେ ଦୃଷ୍ଟିରୁ ରାଜ୍ୟରେ ଏଭଳି ଆଇନକୁ କାର‌୍ୟ୍ୟକାରୀ କରିବା ଲାଗି ସରକାର ଚିନ୍ତା କରୁଛନ୍ତି। ଆଇନ କାର୍ଯ୍ୟକାରୀ ହେଲେ ଡିଏମଇଟି, ଜନସ୍ବାସ୍ଥ୍ୟ ଓ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ରାଜ୍ୟ ସ୍ତରରେ ଓ ଜିଲ୍ଳାପାଳ ଏବଂ ସିଡିଏମଓମାନଙ୍କୁ ଏହାର କ୍ଷମତା ପ୍ରଦାନ କରାଯିବ ବୋଲି ସୂଚନା ମିଳୁଛି ।