31.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗକରୋନା ଯୋଦ୍ଧାଙ୍କୁ ପ୍ରତାରଣା ଅଭିଯୋଗ, ତିନି ମାସ କହି ମାସକ ପରେ ପ୍ରାପ୍ୟ ନଦେଇ କାର୍ଯ୍ୟରୁ...

କରୋନା ଯୋଦ୍ଧାଙ୍କୁ ପ୍ରତାରଣା ଅଭିଯୋଗ, ତିନି ମାସ କହି ମାସକ ପରେ ପ୍ରାପ୍ୟ ନଦେଇ କାର୍ଯ୍ୟରୁ ବିଦା କଲେ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର କରୋନା ସଂକ୍ରମଣ ରୋକିବା ପରିପ୍ରେକ୍ଷୀରେ କୋଭିଡ୍ କାର୍ଯ୍ୟରେ ଅସ୍ଥାୟୀ ଭାବେ ନିୟୋଜିତ ହୋଇଥିବା ଏଏନ୍‌ଏମ୍‌, ଜିଏନ୍‌ଏମ୍‌, ଷ୍ଟାଫ୍ ନର୍ସ, ପାରା ମେଡିକାଲ କର୍ମଚାରୀମାନେ ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା କୋଭିଡ୍ ପରିଚାଳନା ପାଇଁ ଏଏନ୍‌ଏମ୍‌, ଜିଏନ୍‌ଏମ୍ ଷ୍ଟାଫ୍ ନର୍ସ ଓ ଫାର୍ମାସିଷ୍ଟମାନଙ୍କୁ ନିୟୋଜିତ କରାଯାଇଥିଲା । ଏମାନେ ୩ ମାସ କାର୍ଯ୍ୟ କରିବେ ବୋଲି ଲିଖିତ ସୂଚନା ଦିଆଯାଇଥିଲା । ଏହା ସତ୍ତ୍ୱେ ଏମାନଙ୍କୁ ମାସକ ପରେ କାର୍ଯ୍ୟରୁ ବାହାର କରିଦିଆଯାଇଛି । ଅନ୍ୟପକ୍ଷରେ ଏମାନଙ୍କୁ ମିଳିବାକୁ ପ୍ରାପ୍ୟ ମଧ୍ୟ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ଫାର୍ମାସିଷ୍ଟ ପ୍ରବୀର କୁମାର ଚୌଧୁରୀ, ଦୀପକ କୁମାର ନାହାକ, ରୀତିକାନ୍ତ ତ୍ରିପାଠୀ, ଉଷାରାଣୀ ମହାଙ୍କୁଡ, ସରସ୍ୱତୀ ମହାଙ୍କୁଡଙ୍କ ସମେତ ବହୁ ବ୍ୟକ୍ତି ।
ସୂଚନା ଅନୁଯାୟୀ, ଗତ ଅଗଷ୍ଟ ମାସରେ ୪୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଫାର୍ମାସିଷ୍ଟ, ଏଏନ୍‌ଏମ୍‌, ଜିଏନ୍‌ଏମ୍ ଭାବେ ନିୟୋଜିତ କରାଯାଇଥିଲା । ଏମାନେ ବିଭିନ୍ନ କୋଭିଡ୍ କେନ୍ଦ୍ର ପରିଚାଳନା, ସ୍ୱାବ୍ ସଂଗ୍ରହ, ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମରେ ସାମିଲ ହୋଇ କାର୍ଯ୍ୟ କରିଥିଲେ । ଏହା ବ୍ୟତୀତ ଘରକୁ ଘର ବୁଲି ଲୋକଙ୍କୁ ଔଷଧ ବଣ୍ଟନ ମଧ୍ୟ କରିଥିଲେ । ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବାରେ ଏମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି । ଏହାସତ୍ତ୍ୱେ ଚଳିତ ମାସ ୧୮ ତାରିଖରେ ଏମାନଙ୍କୁ ତାଙ୍କ କାର୍ଯ୍ୟରୁ ବିଦାୟ କରି ଦିଆଯାଇଛି । ସରକାର ଫାର୍ମାସିଷ୍ଟ ଏବଂ ଜିଏନ୍‌ଏମ୍ କର୍ମଚାରୀଙ୍କୁ ଦୈନିକ ୧ ହଜାର ଏବଂ ଏଏନ୍‌ଏମ୍‌ଙ୍କୁ ଦୈନିକ ୮୫୦ ଟଙ୍କା ପ୍ରାପ୍ୟ ଦେବା ନେଇ ଘୋଷଣା କରିଥିଲେ । ଗତ ୧୮ ତାରିଖରୁ କର୍ମଚାରୀଙ୍କୁ କାର୍ଯ୍ୟରୁ ବାହାର କରାଯାଇଥିଲେ ମଧ୍ୟ ଏଯାବତ୍ ତାଙ୍କ ପ୍ରାପ୍ୟ ପ୍ରଦାନ କରାଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି । କରୋନା ମହାମାରୀ ସମୟରେ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଚିକିତ୍ସା ସେବା ସୂଚାରୁରୂପେ ଯୋଗାଇଥିଲେ ମଧ୍ୟ ସରକାର ସେମାନଙ୍କ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ କରିଛନ୍ତି । ତେଣୁ ଏମାନଙ୍କୁ ଦିଆଯାଇଥିବା ପୂର୍ବ ସୂଚନା ଅନୁଯାୟୀ ୩ ମାସ ପର୍ଯ୍ୟନ୍ତ କାର୍ଯ୍ୟ ଯୋଗାଇବା ସହ ସମସ୍ତ ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking