34.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା ଛଡ଼େଇ ନେଇଛି ଡଙ୍ଗରିଆଙ୍କ ଜୀବନ ଜୀବିକା

କରୋନା ଛଡ଼େଇ ନେଇଛି ଡଙ୍ଗରିଆଙ୍କ ଜୀବନ ଜୀବିକା

ମୁନିଗୁଡ଼ା : କରୋନା ଛଡ଼େଇ ନେଇଛି ଡଙ୍ଗରିଆଙ୍କ ଜୀବନ ଜୀବିକା । ରାୟଗଡ଼ା ଜିଲ୍ଲା ପାହାଡ଼ ପର୍ବତ ଘେରା ମୁନିଗୁଡ଼ା, ବିଶମକଟକ, କଲ୍ୟାଣସିଙ୍ଗପୁର ବ୍ଲକର ଆଦିମ ସଭ୍ୟତାର ଏନ୍ତୁଡ଼ିଶାଳ ନିୟମଗିରି । ଏଥିପ୍ରତି ବିଳମ୍ବରେ ସରକାରୀ ଦୃଷ୍ଟି ପଡ଼ିଲା । ସରକାର ବିକାଶର ଯୋଜନା ଆରମ୍ଭ କଲେ । ୧୯୭୮ ମସିହାରେ ଡଙ୍ଗରିଆ ଉନ୍ନୟନ ସଂସ୍ଥା ନାଁ ରେ ଏକ ସରକାରୀ ସଂସ୍ଥା ଏ ଅଞ୍ଚଳର ଚାଟିକଣା ଓ ପାର୍ପାଲି ଠାରେ ଡଙ୍ଗରିଆଙ୍କ ସମସ୍ତ ଉନ୍ନୟନର ଦାୟିତ୍ୱ ନେଲା । ଏ ଅଞ୍ଚଳରେ ଥିବା ୧୦୪ଟି ଗ୍ରାମର ୨୦୭୫ ପରିବାର ୧୦୩୩୪ଲୋକଙ୍କ ବିକାଶ ପାଇଁ ସେସମୟରେ ଯୋଜନାମାନ ଆରମ୍ଭ ହେଲା । ଏଠିକାର ଆଦିମ ଅଧିବାସୀ ଡଙ୍ଗରିଆ କନ୍ଧ ବହୁତ ସରଳ, ସ୍ୱାଭିମାନୀ ଆଉ ବିଶ୍ୱାସୀ । ଜୀବନରେ କାହାକୁ ହାତ ପତେଇ ଭିକ ମାଗିବା କି ପର ଘରେ ମୂଲ ଲାଗିବା ଶିଖିନି ଏ ଜାତି । ନିଜ ମାଟିରେ ପରିଶ୍ରମ କରି ନିଜ ତେଲ ଲୁଣ ସଂସାରକୁ ସେ ଚଳାଏ । ଆଧୁନିକତାର ଅପସଂସ୍କୃତି ନିୟମଗିରିରେ ଅନୁପ୍ରବେଶ କରିପାରିନି । ପାଖ ମୁନିଖୋଲ, ହାଟ ମୁନିଗୁଡ଼ା, ଦହିଖାଲ, ଅମ୍ବାଦଳା, ବିଶମକଟକ, କଲ୍ୟାଣସିଙ୍ଗପୁର ସାପ୍ତାହିକ ହାଟରେ ନିଜ ଉପାର୍ଜିତ ପନିପରିବା, ମାଣ୍ଡିଆ, ବାଜରା, ମକା, କାଙ୍ଗୁ, କାନ୍ଦୁଲ, ସୁଆଁ, ଅଦା, ଅଳସୀ, ହଳଦୀ ଓ ପାହାଡ଼ରୁ ମିଳୁଥିବା କନ୍ଦା, ଜଙ୍ଗଲର ଆମ୍ବ, ପଣସ, ସପୁରୀ, କମଳା, ତେନ୍ତୁଳି, ଖଲିପତ୍ର, ବାଉଁଶ, ଦଉଡ଼ି, ଜାଳେଣି କାଠ, ମହୁ, ଝୁଣା, ଔଷଧୀୟ ଚେରମୁଳି, ଜଡ଼ିବୁଟି, ବିଭିନ୍ନ ପ୍ରକାର ଦୁର୍ଲଭ ଛତୁ, କରଡ଼ି(ବାଉଁଶ ଗଜା) ଓ ଫୁଲ ଝାଡୁ ସବୁ ବିକି ପରିବାର ପୋଷିଥାନ୍ତି । ହେଲେ ଆଜି କରୋନା ଡଙ୍ଗରିଆଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ସବୁ ବଜାର ହାଟ ବନ୍ଦ । ପଣସ ସିଜିନ ବେଳେ, କେହି କିଣିବାକୁ ନାହିଁ, ଗୋରୁଗାଈ ଚରିଗଲେ । ସପୁରୀ ଗଦାଗଦା ପଚିଗଲା, ଜାଚିକି ଦେଲେବି କେହି ନେଲେନି । କାଳେ କରୋନା ଜୀବାଣୁ ଚାଲି ଆସିଥିବ । କଞ୍ଚା ପରିବା କଦଳୀ ପୂର୍ବେ ଡର୍ଜନ ୪୦/୫୦ ଟଙ୍କା ଥିବା ବେଳେ ଡଙ୍ଗରିଆ ମହିଳାଙ୍କୁ ଘରଘର ବୁଲି ୧୦ ଟଙ୍କାରେ ଦେବାକୁ ପଡ଼ିଲା । ଏବେ ଏ ଅଞ୍ଚଳର ସଭିଙ୍କ ଅତି ପ୍ରିୟ ସୁସ୍ୱାଦୁ କରଡ଼ି, କେହି ନେଉନାହାନ୍ତି, କରୋନା ଭୟ ଘାରିଛି ଖାଉଟିକୁ ଆଉ ପେଟ ପାଇଁ ମରୁଛି ଡଙ୍ଗରିଆ । କରଡ଼ି ବିଡ଼ା ୧୦ଟଙ୍କା ପରିବର୍ତ୍ତେ ୩ବିଡ଼ାକୁ ୧୦ଟଙ୍କାରେ ଘରଘର ବୁଲି ଡଙ୍ଗରିଆ ମହିଳା ବିକୁଛନ୍ତି । ବଳକା ଫିଙ୍ଗୁଛି ଖତ ଗଦାରେ । କରୋନା ଛଡ଼େଇ ନେଇଛି ସେମାନଙ୍କ ଜୀବନ ଆଉ ଜୀବିକା । ଏବେ କରୋନାକୁ ହରାଇବା ନିଶାରେ ନେତା, ଗୋତା, ସ୍ୱାସ୍ଥ୍ୟସେବୀ, ଅଭିନେତା ସବୁ ଲାଗି ପଡ଼ିଛନ୍ତି । କାହାକୁ ତର ନାହିଁ ଏ ଅଭାବୀ ମଣିଷଙ୍କ ଅଭାବ ବୁଝିବାକୁ । ତଥାକଥିତ ସଭ୍ୟ ବୋଲାଉଥିବା ମଣିଷଙ୍କ ଭଳି ପେଟ ପାଇଁ ମାଗିବାର ବା ଅଭିଯୋଗ କରିବାର ଇତିହାସ ଏମାନଙ୍କର ନାହିଁ । ନିୟମ ରାଜାଙ୍କ ଉପରେ ଅଖଣ୍ଡ ବିଶ୍ୱାସ ଅଛି, ଯାହା ମାଗିବେ ଗୁହାରି କରିବେ ତାଙ୍କୁହି କେବଳ । ଏ ଆଦିମ ସଭ୍ୟତାର ଧରୋହର ଡଙ୍ଗରିଆ ସମାଜର ଆର୍ôଥକ ବ୍ୟବସ୍ଥା ସୁଧାରି ସେମାନଙ୍କୁ ସ୍ୱାବଲମ୍ବୀ ଓ ସମୃଦ୍ଧ କରିବା ସରକାରଙ୍କ ଦାୟିତ୍ୱ ହେବାସହ ବର୍ତ୍ତମାନ ସେମାନଙ୍କ ତେଲଲୁଣ ସଂସାର ବିଷୟ ବୁଝିବା ଦରକାର ହୋଇପଡ଼ିଛି । ନଚେତ୍ କରୋନା ସହିତ ଯୁଦ୍ଧ କରୁକରୁ ଆମକୁ ଆହୁରି ଅନେକ କିଛି ହରାଇ ବସିବାକୁ ପଡ଼ିବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking