ଦେଶରେ ବଢ଼ୁଛି କରୋନା ମୃତ୍ୟୁ : ୧୩ ରାଜ୍ୟକୁ ଆଲର୍ଟ କଲେ ସରକାର

corona outbreak

ଗତ ୯ ଦିନରେ ମୃତ୍ୟୁହାର ୧୨୧% ବଢ଼ିଛି
ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ମାମଲା ହ୍ରାସ ପାଇବା ପରେ ଏବେ ପୁଣିଥରେ ସଂକ୍ରମଣ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ବିଗତ ୯ ଦିନରେ କରୋନା ଜନିତ ମୃତ୍ୟୁ ମାମଲାରେ ୧୨୧% ବୃଦ୍ଧିଘଟିଛି । ୧୫ ନଭେମ୍ବରରେ ଦେଶରେ କରୋନା ଯୋଗୁଁ ୧୯୭ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ନଭେମ୍ବରରେ ଏହି ସଂଖ୍ୟା ୪୩୭ରେ ପହଞ୍ଚିଛି । କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ନେଇ ମଧ୍ୟ ସରକାର ସତର୍କ ରହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ୧୩ ରାଜ୍ୟ ସରକାରଙ୍କୁ ଚିଠିଲେଖି କରୋନା ଟେଷ୍ଟିଂ ହାରରେ ହ୍ରାସ ପ୍ରସଙ୍ଗରେ ଚିନ୍ତାପ୍ରକଟ କରିଛନ୍ତି । ସୂଚନାଯୋଗ୍ୟ ଯେ ଉତ୍ତରାଖଣ୍ଡର ଦେରାଡୁନ୍‌ସ୍ଥିତ ଫରେଷ୍ଟ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ୍ (ଏଫ୍‌ଆର୍‌ଆଇ)ରେ ୧୧ ଜଣ ଆଇଏଫ୍‌ଏସ୍ ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି ।

ଫଳରେ ୪୮ ଜଣ ଅଧିକାରୀଙ୍କୁ ସଙ୍ଗରୋଧରେ ରହିଛନ୍ତି । ଅପରପକ୍ଷରେ କର୍ଣ୍ଣାଟକର ଧାରବାଡ୍‌ସ୍ଥିତ ଏସ୍‌ଡିଏମ୍ ମେଡିକାଲ୍ କଲେଜ୍‌ରେ ୬୬ ଜଣ ଛାତ୍ର ସଂକ୍ରମିତ ହୋଇଛନ୍ତି । ବିଗତ କିଛି ଦିନରେ ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟରେ ପଜିଟିଭିଟି ହାର ବୃଦ୍ଧି ପାଇବାରେ ଲାଗିଛି । କମ୍ ଟେଷ୍ଟିଂ ଯୋଗୁଁ ସଂକ୍ରମଣର ସଠିକ୍ ଆକଳନ କରାଯାଇ ପାରିବନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି । ପଶ୍ଚିମବଙ୍ଗରେ ପଜିଟିଭିଟି ହାର ୨.୧% ରହିଛି । ଯାହା ଚିନ୍ତାଜନକ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପଶ୍ଚିମବଙ୍ଗ ସମେତ ଗୋଆ, ଜମ୍ମୁ-କଶ୍ମୀର, କେରଳ, ଲଦାଖ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ନାଗାଲ୍ୟାଣ୍ଡ, ପଞ୍ଜାବ, ରାଜସ୍ଥାନ ଓ ସିକ୍କିମ ସରକାରଙ୍କୁ କରୋନା ମାମଲା ନେଇ ସତର୍କ ରହିବା ସହିତ ଟେଷ୍ଟିଂ ବୃଦ୍ଧି କରିବାକୁ ଚିଠି ଲେଖିଛନ୍ତି ।

LEAVE A REPLY

Please enter your comment!
Please enter your name here