34.1 C
Bhubaneswar
Friday, March 29, 2024
Homeଓଡିଶାମଶାଣିରୁ ଲଭୁନି ନିଆଁ, ବୌଦ୍ଧରେ ମୃତ୍ୟୁ ସଂଖ୍ୟା ୩୪

ମଶାଣିରୁ ଲଭୁନି ନିଆଁ, ବୌଦ୍ଧରେ ମୃତ୍ୟୁ ସଂଖ୍ୟା ୩୪

ବୌଦ୍ଧ : ବୌଦ୍ଧରେ କୋଭିଡ୍ ସଂକ୍ରମଣ ଯେଉଁଭଳି ଭାବରେ ବଢ଼ିଚାଲିଛି ସେହିପରି ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କରୋନା ପ୍ରଥମ ଲହରୀରେ ବୌଦ୍ଧ ଜିଲ୍ଲାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟରେ ପ୍ରକାଶ ପାଇଥିବାବେଳେ ଦ୍ୱିତୀୟ ଲହର ଏହାର ଦୁଇ ଗୁଣକୁ ଅତିକ୍ରମ କରି ୨୩ ଓ ସମୁଦାୟ ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି । କୋଭିଡ ମୃତ୍ୟୁକୁ ନେଇ ଜନସଂଖ୍ୟା ଦୃଷ୍ଟିରୁ ଅନ୍ୟ ଜିଲ୍ଲା ତୁଳନାରେ ବୌଦ୍ଧଜିଲ୍ଲାରେ ମୃତ୍ୟୁ ହାର ଖୁବ ଅଧିକ ଥିବା ଜଣାଯାଇଛି ।
ସୂଚନା ମୁତାବକ ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୫୭ ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇସାରିଥିବାବେଳେ ପଶ୍ଚିମ ଓଡ଼ିଶାର ସର୍ବାଧିକ କୋଭିଡ୍ ମୃତ୍ୟୁ ସୁନ୍ଦରଗଡ଼ ଜିଲ୍ଲାରେ ୨୫୫ ଜଣ, ବରଗଡ଼ରେ ୪୮ ଜଣ, ବଲାଙ୍ଗିରରେ ୬୦ ଜଣ, କଳାହାଣ୍ଡିରେ ୯୯ ଜଣ, ସମ୍ବଲପୁରରେ ୮୮ ଜଣ, ନୂଆପଡ଼ାରେ ୫୫ ଜଣ, ସୁବର୍ଣ୍ଣପୁରରେ ୨୭ ଜଣ, ଦେବଗଡରେ ୧୧ ଜଣ ଓ ପଡ଼ୋଶୀ କନ୍ଧମାଳ ଜିଲ୍ଲାରେ ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି । ତେବେ ବେସରକାରୀ ଭାବରେ କୋଭିଡ୍ ମୃତ୍ୟୁ ସଂଖ୍ୟା ଢେର ବେଶି । କେବଳ ବୌଦ୍ଧ ଜିଲ୍ଲାରେ କୋଭିଡ୍ ମୃତ୍ୟୁ ସଂଖ୍ୟା ଶତକ ପାର କରିସାରିଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ସଚେତନତା ଅଭାବ ଏବଂ ଲକ୍ଷଣକୁ ଅପେକ୍ଷା କରି ଅନେକ ଲୋକ ଠିକ୍ ସମୟରେ କୋଭିଡ୍ ପରୀକ୍ଷା ନକରି ମୃତ୍ୟୁ ମୁଖରେ ପଡୁଛନ୍ତି । ଗ୍ରାମାଞ୍ଚଳରେ ଅନେକ ଲୋକ ଥଣ୍ଡା କାଶ ଭଳି ଲକ୍ଷଣ ଥାଇ ମଧ୍ୟ ଭୟରେ ଚିକିତ୍ସାଳୟ ନଯାଇ ଔଷଧ ଦୋକାନ ଓ କ୍ୱାକ୍‌ମାନଙ୍କ ଉପରେ ଭରସା କରି ଔଷଧ ସେବନ କରୁଛନ୍ତି । ଫଳରେ ଗ୍ରାମରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ମଶାଣିରେ ପ୍ରତ୍ୟେକ ଦିନ ଶବ ପୋଡ଼ାଯାଉଥିବା ଦୃଶ୍ୟ ନଜରକୁ ଆସିବା ସହ ସାଧାରଣ ଲୋକଙ୍କୁ ବିଚଳିତ କରୁଛି । ତେବେ କୋଭିଡ୍ ମୃତ୍ୟୁ ବୃଦ୍ଧି ପାଇବା ପରେ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରେଡକ୍ରସର ଏକ ଦଳ ସଂକ୍ରମିତ ଗ୍ରାମଗୁଡିକ ପରିଦର୍ଶନ କରି ଲୋକଙ୍କୁ କରୋନା ନେଇ ବିଚଳିତ ନହେବାକୁ ପରାମର୍ଶ ଦେବା ସହିତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସାର ମାର୍ଗଦର୍ଶିକା, ମାସ୍କ୍ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରୁଛନ୍ତି । ଏହାବ୍ୟତୀତ ସଂକ୍ରମିତ ଲୋକ ଘରେ ସଙ୍ଗରୋଧରେ ରହିବା ସହ କୋଭିଡ୍ ନିୟମ ପାଳନ କରିବାକୁ ସଚେତନ କରାଯାଉଛି । କିନ୍ତୁ ସମସ୍ତ ଉଦ୍ୟମ ସତ୍ତ୍ୱେ ଜିଲ୍ଲାରେ କୋଭିଡ ମୃତ୍ୟୁ କମ ହେଉନଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking