ପୁରୀ: ଆଜି ରଥ ନିର୍ମାଣର ସପ୍ତଦଶ ଦିବସ ରେ ତିନି ରଥର ନିର୍ମାଣକାରୀ ସେବକ ବୃନ୍ଦ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ସମୟରେ ଉପସ୍ଥିତ ପୂର୍ବକ ଦୈନଦିନ ପ୍ରକାରେ ଉପସ୍ଥାନ ଦେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଗତକାଲି ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖ ର ନିର୍ମାଣ ଅନୁକୂଳ ପୂଜା ପରେ ତିନି ରଥ ନାହାକା ଅଖ ଉଭୟ ପାର୍ଶ୍ୱ ଗୋଲେଇ କାର୍ଯ୍ୟ ଆରମ୍ଭ ପରେ ମାଠେଣୀ କାର୍ଯ୍ୟ ଜାରୀ ଥିଲା । ଆଜି ତିନି ରଥ ନାହାକା ଅଖର ଉଭୟ ପାର୍ଶ୍ୱ ଗୋଲେଇ ସହ ମାଠେଣୀ କାର୍ଯ୍ୟ ଶେଷ ହୋଇଛି । ଏଥିସହ ତିନି ରଥର ମୋଟ ୪୨ ଗୋଟି ଚକ ମଧ୍ୟରୁ ଆଜି ସୁଦ୍ଧା ୧୬ ଗୋଟି ଚକ ନିର୍ମାଣ ଶେଷ ହୋଇଛି ।
ତାଳଧ୍ୱଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୬ ଗୋଟି ଚକ ନିର୍ମାଣ ଆଜି ସୁଦ୍ଧା ଶେଷ ହୋଇଛି । ଏତଦ୍ ବ୍ୟତୀତ ତିନି ରଥର ପ୍ରଥମ ଭୂଇଁ ଓରା ନିର୍ମାଣ ଶେଷ ହୋଇ ସେଥିରେ ଉଭୟ ପାର୍ଶ୍ୱ ବିନ୍ଧ କାର୍ଯ୍ୟ ଚାଲୁ ରହିଛି ।
ଆଜି ତିନି ରଥର ଆଉ ତିନୋଟି ଲେଖାଏଁ ତୁମ୍ବରେ ଭୋଇ ସେବକଙ୍କ ଦ୍ୱାର ସିଙ୍ଗଡ଼ା ୍ୱାଡ଼ିଆ ଶେଷ ହେବା ପରେ ତୁମ୍ବରେ ଅଖ ବିନ୍ଧ ପାଇଁ ଭୋଇ ସେବକ ମାନେ ରଥ ଚାଳିକୁ ଯୋଗାଇ ଦେଇଥିଲେ । ତେବେ ତୁମ୍ବ ଗୁଡିକରେ ଅଖ ବିନ୍ଧ ବା ଅଗର ବିନ୍ଧ ହେବା ପରେ ତିନି ରଥର ମହାରଣା ସେବକ ମାନେ ଅର ସାଲ କାର୍ଯ୍ୟ ଜାରୀ ରଖିଛନ୍ତି ।
ଏଥି ସହ ଆଜି ତିନି ରଥର ଗୋଟିଏ ଗୋଟିଏ ସିଂହାସନର ଚଉପଟ କାର୍ଯ୍ୟ ତିନି ରଥର ମହାରଣା ସେବକ ମାନେ ଚଉପଟ କାର୍ଯ୍ୟ ଜାରୀ ରଖିଛନ୍ତି । ତଥା ତିନି ରଥର ଛଅ ଟି ଲେଖାଏଁ କୁଡୁକା ଚଉପଟ କାର୍ଯ୍ୟ ଜାରୀ ରଖିଛନ୍ତି । ସେହିପରି ରୂପକାର ସେବକ ମାନେ ତିନି ରଥର ଏଗାରଟି ଲେଖାଏଁ ସାଲ ରେ ନୃସିଂହ ରୂପ ଖୋଦେଇ ଜାରୀ ରଖିଛନ୍ତି ।
ଅନ୍ୟପଟେ ଦୋଳବେଦୀ ସ୍ଥିତ ଅସ୍ଥାଇ କମାର ଶାଳରେ ତିନି ରଥର ଓଝା ସେବକ ମାନେ ଆଜି ସୁଦ୍ଧା ତିନି ରଥ ର ୧୦ ଟି ଲେଖାଏଁ ଚକ ପାଇଁ ଆବଶ୍ୟକ ଆର କଣ୍ଟା ନିର୍ମାଣ ଶେଷ କରିବା ସହ ଆଜି ସୁଦ୍ଧା ତିନି ରଥର ମୋଟ ୮୪ ଗୋଟି ପନ୍ଦାରି ନିର୍ମାଣ ଶେଷ କରି ତିନି ରଥର ପନ୍ଦାରି ଚାବି ଏବଂ ତୁମ୍ବ ବାହ୍ୟ ବଳା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚିଛି ।
ଆଜି ରଥ ନିର୍ମାଣ ର ସପ୍ତଦଶ ଦିବସ ରେ ୭୭ ଜଣ ମହାରଣା, ୬୯ ଜଣ ଭୋଇ, ୪ ଜଣ କରତିଆ, ୨ ଜଣ ତୁମ୍ବ ବିନ୍ଧ କାରିଗର, ୧୯ ଜଣ ରୂପକାର ସେବକ, ୨୧ ଜଣ ରୂପକାର ସେବକ, ୨ ଜଣ ପହୀ ମହାରଣା ସେବକ ଏବଂ ୧୭ ଜଣ କମାର ସେବକ ଓ ଜଣେ ରଥ ଖଳା ସହାୟକ କାର୍ଯ୍ୟ ରେ ଲାଗିଥିଲେ ।