34.1 C
Bhubaneswar
Friday, March 29, 2024
Homeଓଡିଶା*୧୫ ରେ ରାଜଭବନ ଘେରାଉ କରିବ ରାଜ୍ୟ କଂଗ୍ରେସ*

*୧୫ ରେ ରାଜଭବନ ଘେରାଉ କରିବ ରାଜ୍ୟ କଂଗ୍ରେସ*

ଭୁବନେଶ୍ୱର : କେନ୍ଦ୍ର ମୋଦି ସରକାର ପ୍ରଣୟନ କରିଥିବା ୩ ଗୋଟି କଳା କୃଷି ଆଇନ୍ ଯୋଗୁଁ ଦେଶର ୬୨ କୋଟି କୃଷକ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି । ଏହି କଳା ଆଇନ୍‌ର ପ୍ରତ୍ୟାହାର ଦାବିରେ ଲକ୍ଷ ଲକ୍ଷ କୃଷକ ଦିଲ୍ଲୀ ସୀମାରେ ୫୦ ଦିନ ଧରି ଧାରଣା ଓ ବିକ୍ଷୋଭ ଜାରି ରଖିଛନ୍ତି । ପ୍ରବଳ ଥଣ୍ଡା, ଅଦିନିଆ ବର୍ଷା ଓ କୁଆପଥର ବୃଷ୍ଟି ଯୋଗୁଁ ପାଖାପାଖି ୬୦ ଜଣ କୃଷକ ମୃତ୍ୟୁବରଣ କଲେଣି । ତା ସତ୍ୱେ ନିଜ ଜିଦ୍‌ରେ ଅଟଳ କେନ୍ଦ୍ର ସରକାର ଭାରତର ଅନ୍ନଦାତାମାନଙ୍କର ଦୁର୍ଦ୍ଦଶା ପ୍ରତି କର୍ଣ୍ଣପାତ କରୁନାହାନ୍ତି । ଏ ମଧ୍ୟରେ ୮ ଥର ବିଭାଗୀୟ ମନ୍ତ୍ରୀମାନଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଅନ୍ନଦାତାଙ୍କ ଦାବି ପ୍ରତି ସରକାର ତିଳେମାତ୍ର ଉଦାର ମନୋଭାବ ପୋଷଣ କରିନାହାନ୍ତି । ଏଭଳି ମୁହୁର୍ତରେ ସେହି ଅନ୍ନଦାତାମାନଙ୍କ ପଛରେ ଦୃଢ଼ ଭାବରେ ଛିଡା ହେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ନିଷ୍ପତି ନେଇଛନ୍ତି ଏବଂ ପ୍ରତ୍ୟେକ କଂଗ୍ରେସ କର୍ମୀ ଓ ନାଗରିକମାନଙ୍କର ଏହା ନୈତିକ କର୍ତବ୍ୟ ବୋଲି କହିଛନ୍ତି । ଏକ ପକ୍ଷରେ ଏହି କଳା ଆଇନ୍‌କୁ ପ୍ରତ୍ୟାହାର ଦାବିରେ ଅନ୍ନଦାତାମାନେ ଲଢ଼େଇ ଜାରି ରଖିଥିବା ବେଳେ ଗତକାଲି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପ୍ରମୁଖ ଚାଷୀ ସଂଗଠନ ଗୁଡ଼ିକ ପ୍ରତ୍ୟାଖାନ କରିଛନ୍ତି ।
କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କରି ଏବେ ସର୍ବକାଳୀନ ବୃଦ୍ଧିରେ ପହଂଚିଛନ୍ତି । ଯାହାକି ୭୩ ବର୍ଷ ଇତିହାସରେ ପ୍ରଥମ । ବିଗତ ୬ ବର୍ଷ ମଧ୍ୟରେ ମୋଦି ସରକାର ପେଟ୍ରୋଲ ଉପରେ ଶୁଳ୍କ ଲିଟର ପ୍ରତି ଟ.୯.୨୦ ପଇସା (ମଇ ୨୦୧୪) ରୁ ବୃଦ୍ଧି କରି ବର୍ତମାନ ଟ. ୩୨.୯୮ ପଇସାରେ ପହଂଚାଇଛନ୍ତି । ଯାହାକି ୨୫୮ ପ୍ରତିଶତ ଅଧିକ । ସେହିଭଳି ଡିଜେଲ ଉପରେ ଶୁଳ୍କ ଲିଟର ପ୍ରତି ଟ.୩.୪୬ ପଇସା (ମଇ ୨୦୧୪) ରୁ ବୃଦ୍ଧି କରି ବର୍ତମାନ ଟ. ୩୧.୮୩ ପଇସାରେ ପହଂଚାଇଛନ୍ତି । ଯାହାକି ୮୨୦ ପ୍ରତିଶତ ଅଧିକ ଅଟେ । ଯେତେବେଳେ ଅଶୋଧିତ ତୈଳର ଦର ବ୍ୟାରେଲ୍ ପିଛା ୧୧୦ ଡଲାର କମି ୫୦ ଡଲାର ରେ ପହଂଚିଅଛି ସେତେବେଳେ ଉପରୋକ୍ତ ଦର ବୃଦ୍ଧି ଯୋଗୁଁ ମୋଦି ସରକାର ୧୯ ଲକ୍ଷ କୋଟି ଟଙ୍କା ପେଟ୍ରୋଲ ଓ ଡିଜେଲରୁ ଆଦାୟ କରିଛନ୍ତି । ଯାହାକି କୃଷକ ଓ ସାଧାରଣ ଜନତାଙ୍କ ଉପରେ ପ୍ରତ୍ୟକ୍ଷ ଭାବରେ ପ୍ରଭାବ ପକାଇଛି ।
ଏହି ପରିପ୍ରେକ୍ଷୀରେ କଂଗ୍ରେସ ଦଳ ପକ୍ଷରୁ କୃଷକମାନଙ୍କୁ ଦୃଢ଼ ସମର୍ଥନ ଜଣାଇ ସୁପ୍ରିମକୋର୍ଟ ରାୟରେ ସ୍ଥଗିତ ଥିବା ତିନିଗୋଟି କଳା କୃଷି ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଏବଂ ଡିଜେଲ ଓ ପେଟ୍ରୋଲର ଦର ବୃଦ୍ଧିକୁ ଉଠାଇବା ନିମନ୍ତେ ଆଗାମୀ ୧୫ ତାରିଖ ଶୁକ୍ରବାର ଦିନ “କିଷାନ ଅଧିକାର ଦିବସ” ଭାବେ ପାଳନ କରାଯିବା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ନିଷ୍ପତି ଅନୁସାରେ ରାଜ ଭବନ ଘେରାଉ କାର୍ଯ୍ୟକ୍ରମ ସ୍ଥିର ହୋଇଅଛି ।
ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଗାମୀ ତା ୧୫.୦୧.୨୦୨୧ ଶୁକ୍ରବାର ଦିନ ଦିବା ୧୧ ଘଟିକା ସମୟରେ ଭୁବନେଶ୍ୱରରେ ରାଜଭବନ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ପାୱାର ହାଉସ୍ ଛକଠାରୁ ଏକ ବିରାଟ ଶୋଭାଯାତ୍ରା ରାଜଭବନ ଅଭିମୁଖେ ବାହାରିବ । ଏହି କାର୍ଯ୍ୟକ୍ରମରେ ସମସ୍ତ ବିଧାୟକ, ସାଂସଦ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ଲୋକ ସଭା ଓ ବିଧାନ ସଭା ପ୍ରାର୍ଥୀ, କଂଗ୍ରେସ କର୍ମକର୍ତା, ଏଆଇସିସି ଓ ପିସିସି ସଭ୍ୟ, ସାମୁଖ୍ୟ, ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟ ଓ କର୍ମକର୍ତା, ପିସିସି ପର୍ଯ୍ୟବେକ୍ଷକଗଣ ଜିଲ୍ଲା/ବ୍ଲକ/ନଗର କଂଗ୍ରେସ ସଭାପତି, କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking