33.1 C
Bhubaneswar
Wednesday, April 24, 2024
Homeଓଡିଶାପଥର ଚୋର - ପ୍ରଶାସନର ମଧୁଚନ୍ଦ୍ରିକା : କଂଗ୍ରେସ

ପଥର ଚୋର – ପ୍ରଶାସନର ମଧୁଚନ୍ଦ୍ରିକା : କଂଗ୍ରେସ

ଭୁବନେଶ୍ୱର  – ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ବ୍ଲକର ବିଛାଖଣ୍ଡି ଅଂଚଳର ପ୍ରାୟ ୬୦ଟି ବେଆଇନ୍ ଖଣିରୁ
କଳାପଥର ଜିଲ୍ଲା ପ୍ରଶାସନର ତତ୍ୱାବଧାନରେ ଚୋରି ଚାଲିଛି ବୋଲି ପୂର୍ବତନ ମନ୍ତ୍ରୀ  ପଂଚାନନ କାନୁନ୍‌ଗୋ ଓ ଧର୍ମଶାଳା
କଂଗ୍ରେସ ବିଧାୟିକା ପ୍ରାର୍ଥୀ  ସ୍ମୃତିରେଖା ପହି ଅଭିଯୋଗ କରିବା ସହ ଆଜି ଏ ସଂପର୍କରେ କଂଗ୍ରେସର ଏକ ପ୍ରତିନିଧି ଦଳ
ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ନେତୃତ୍ୱରେ ରାଜ୍ୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଏହାର ପ୍ରତିବାଦରେ ଗତ ୧୪ ତାରିଖରୁ ଅଦ୍ୟାବଧି ଶ୍ରୀମତୀ ପହିଙ୍କ ନେତୃତ୍ୱରେ ବିଛାଖଣ୍ଡି ଠାରେ ଧାରଣା ଚାଲୁ ରହିଛି ।
ଶ୍ରୀ କାନୁନ୍‌ଗୋ ଓ ଶ୍ରୀମତୀ ପହି ଅଭିଯୋଗ କରିଛନ୍ତି ଯେ ୩୦ ବର୍ଷ ତଳେ ଏ ସମସ୍ତ ଜମି ଶାଳ ଜଙ୍ଗଲ କିସମର ଥିଲା ।
କିନ୍ତୁ ୨୦୦୩ ମସିହାରେ ସରକାର କିଛି ଜମିକୁ ଝାଟି ଜଙ୍ଗଲ କିସମକୁ ପରିବର୍ତନ କଲେ । ଏଠାରେ ୬ଟି ଖଣିକୁ ପଥର କାଟିବା
ପାଇଁ ଅନୁମତି ପ୍ରଦାନ କରାଯାଇଛି । ମାତ୍ର ଅତ୍ୟନ୍ତ ଉଦ୍‌ବେଗର ବିଷୟ ଏହିକି ଯେ ବର୍ତମାନ ସେଠାରେ ୬୦ଟି ଖଣି ବେଆଇନ୍‌
ଭାବରେ କାର୍ଯ୍ୟ କରୁଛି । ସେଠାରେ ଥିବା ୧୨୦ଟି କ୍ରସରକୁ ଯେତିକି ପଥର ଯିବା କଥା ତାର ଶହେଗୁଣ ପଥର ଚୋରା ଚାଲାଣ
ହେଉଛି । ସରକାର ସବୁ ଜାଣିଲେ ବି ନୀରବତା ଅବଲମ୍ବନରୁ ସ୍ପଷ୍ଟ ହେଉଛି ଯେ ଏଥିରେ ଖଣି ମାଫିଆ ଓ ସରକାରଙ୍କର
ମଧୁଚନ୍ଦ୍ରିକା ଚାଲିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ସତ୍ୟ ମଲ୍ଲିକ ଡଙ୍କାରୀ ପାହାଡରେ ବେନିୟମ ଖନନ ପାଇଁ ଖଣି
ମାଲିକ ଶ୍ରୀବାସ ଜେନାଙ୍କୁ ୫୪ କୋଟି ଟଙ୍କା ଜରିମାନା କରିଥିଲେ । ମାତ୍ର ଶ୍ରୀ ଜେନା ଏ ସଂପର୍କରେ ହାଇକୋର୍ଟରେ କେସ୍‌
କରିବାରୁ ମାନ୍ୟବର ହାଇକୋର୍ଟ କେଉଁ ଆଧାରରେ ଜରିମାନା କରିଛ ବୋଲି ସରକାରଙ୍କୁ ପ୍ରଶ୍ନ କରିଥିଲେ । ହେଲେ ସରକାର
୬ବର୍ଷ ହେଲା ନୀରବ ରହିବା ଘଟଣାରୁ ଜଣାପଡୁଛି ଯେ ସରକାର, ଶାସକ ଦଳର ନେତା ଏବଂ ଖଣି ମାଫିଆଙ୍କ ମଧ୍ୟରେ ଭିତିରି
ବୁଝାମଣା ହୋଇଛି । ୬ଟି ଖଣିରୁ ବର୍ଷକୁ ୨ କୋଟି ଟଙ୍କା ସରକାରୀ ରାଜସ୍ୱ ମିଳୁଥିବା ବେଳେ ବାକି ବେଆଇନ୍ ୬୦ଟି ଖଣିରୁ
କେତେ ଟଙ୍କା ସରକାର ରାଜସ୍ୱ ହରାଉଛନ୍ତି, ତାହା ବର୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବର୍ତମାନ ବିଛାଖଣ୍ଡିର ୬୦ଟି ବେଆଇନ୍ ଖଣି ସେଠାକାର ଜଣେ ମୁଷ୍ଠିମେୟ ବ୍ୟକ୍ତି ଜ୍ଞାନରଂଜନ ମହାପାତ୍ର (ସିଲୁ)
ସରକାରଙ୍କ ସହାୟତାରେ ନିୟନ୍ତ୍ରଣ କରୁଛନ୍ତି । ଜିଲ୍ଲାପାଳ ନୀରବ । ତହସିଲ୍‌ଦାର ଚୁପ୍ ବସିଛନ୍ତି । ଥାନା ନିଷ୍କ୍ରିୟ । ତେଣୁ ଖଣି
ମାଫିଆ ମାତି ଚାଲିଛନ୍ତି ।
ଅତ୍ୟନ୍ତ ଉଦ୍‌ବେଗର ବିଷୟ ଏହିକି ଯେ ଖଣି ମାଫିଆମାନେ ୪୦/୫୦ ଫୁଟର ଗର୍ତ କରି ତା ଭିତରେ ଡିନାମାଇଟ୍ ଦ୍ୱାରା
ବିସ୍ଫୋରଣ କରିବା ଫଳରେ ଦିନକୁ ଦିନ ଜଳସ୍ତର ନିମ୍ନଗାମୀ ହେଉଛି ଏବଂ ଜଳଉତ୍ସ ପାନୀୟ ଅନୁପଯୋଗୀ ହେଉଛି, ବିସ୍ଫୋରଣ
ଶବ୍ଦରେ ପକ୍କାଗୃହରେ ଫାଟ ସୃଷ୍ଟି ହେବା ସହ ପରିବେଶ ଅତ୍ୟନ୍ତ ଦୂଷିତ ହୋଇପଡିଛି । ପଶୁ ପକ୍ଷୀ ବିଶେଷକରି ଗୃହପାଳିତ
ପଶୁମାନଙ୍କ ପାଇଁ ବଂଚିବା ଦୁର୍ବିସହ ହୋଇପଡିଛି ।
ଦାବି :–
ସରକାର ଖୁବ୍ ଶୀଘ୍ର ବେଆଇନ୍ ଖଣିକୁ ବନ୍ଦ କରନ୍ତୁ । ପରିବେଶ ମଞ୍ଜୁର ନଥାଇ ବେଆଇନ୍ ଭାବେ ଚାଲୁଥିବା ସରକାରୀ
ପ୍ରଦତ ଖଣିକୁ ମଧ୍ୟ ବନ୍ଦ କରାଯାଉ ଏବଂ ସେମାନେ ହଡପ ହୋଇଥିବା ଜାତୀୟ ସଂପତିର ସଠିକ୍ ମୂଲ୍ୟାଙ୍କନ କରି ତାହା ଆଦାୟ
କରିବା ସହ ମାନବାଧିକାର ଉଲ୍ଲଘନ କରିଥିବା କାରଣରୁ ସଂପୃକ୍ତ ଖଣି ମାଫିଆଙ୍କ ବିରୁଦ୍ଧରେ ଫୌଜଦାରୀ ମୋକଦ୍ଦମା ରୁଜୁ
କରାଯାଉ । ଏଥିରେ ସଂପୃକ୍ତ ସରକାରୀ ଅଫିସରମାନଙ୍କୁ ଚିହ୍ନଟ କରାଯାଇ ତାଙ୍କ ବିରୁଦ୍ଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରାଯାଉ ।
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଜ୍ଞାନଦେବ ବେଉରା, ସ୍ମୃତିରେଖା ପହି
ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking