ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କ ଉପରେ ବର୍ଷିଲେ ନିରଂଜନ ହଟାଅ ଅଭିଯାନର ଗୋଷ୍ଠୀ

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ତଥା ପିସିସିର ପୂର୍ବତନ ଉପ-ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କୁ ଘେରିଛନ୍ତି ନିରଂଜନ ହଟାଅ ଅଭିଯାନରେ ସାମିଲ ହୋଇଥିବା ମହିଳା ଓ କଂଗ୍ରେସ ନେତାମାନେ । ଶ୍ରୀ ଜ୍ଞାନେନ୍ଦ୍ରଙ୍କୁ ଅତି କଟୁ ଭାଷାରେ ସମାଲୋଚନା କରିଛନ୍ତି । ଦଳୀୟ ଶୃଙ୍ଖଳା ସମ୍ପର୍କରେ କହିବାର ନୈତିକ ଅଧିକାର ତାଙ୍କର ନାହିଁ ବୋଲି ବିରୋଧୀ ଗୋଷ୍ଠୀ କହିଛନ୍ତି ।
ପିସିସି ସଭାପତି ପଦରୁ ନିରଂଜନ ପଟ୍ଟନାୟକଙ୍କୁ ହଟାଇବା ଓ କଂଗ୍ରେସକୁ ବଂଚାଇବା ଦାବି ନେଇ ଦଳର ଏକ ଗୋଷ୍ଠୀ ପଦାକୁ ବାହାରିଛନ୍ତି । ଏଥିରେ ମହିଳାମାନେ ମଧ୍ୟ ସାମିଲ ହୋଇଛନ୍ତି । ନିକଟରେ ଏମାନେ ଦିଲ୍ଲୀ ଯାଇ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ଅନ୍ୟ ନେତାମାନଙ୍କୁ ସାକ୍ଷାତ କରି ନିରଂଜନଙ୍କୁ ହଟାଇବା ଓ ବିଧାୟକ ମହମ୍ମଦ ମୋକିମଙ୍କୁ ସଭାପତି କରିବା ପାଇଁ ଦାବି କରିଛନ୍ତି । ମହିଳାମାନେ ଦିଲ୍ଲୀ ଯାଇଥିବା ଅବସରରେ ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଫଟୋ ଉଠାଇଥିଲେ । ଏହା ସୋଶାଲ ମିଡ଼ିଆରେ ପ୍ରଦର୍ଶିତ ହୋଇଥିଲା । ଏହାକୁ ନେଇ ଆର୍ଯ୍ୟ ଜ୍ଞାନେନ୍ଦ୍ର ସମାଲୋଚନା କରିବା ସହ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ବିବୃତି ଦେଇଥିଲେ । ଏହା ଉପରେ ପ୍ରତିକ୍ରୀୟା ରଖିବାକୁ ଯାଇ ନିରଂଜନ ହଟାଅ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ମହିଳା ଓ ଦଳୀୟ ନେତାମାନେ ଆଜି ଏକ ସମ୍ବାଦିକ ସମ୍ମିଳନୀ କରି ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି ।
ଏମାନେ କହିଛନ୍ତି ଦଳରେ ବାରମ୍ବାର ବିଶୃଙ୍ଖଳା ସୃଷ୍ଟି କରିଥିବା ତଥା ଦଳର ଖରାପ ସମୟରେ ନିଜ ସ୍ୱାର୍ଥ ପାଇଁ ଦଳ ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ଶ୍ରୀ ଜ୍ଞାନେନ୍ଦ୍ରଙ୍କ ମୁହଁରେ ଦଳୀୟ ଶୃଙ୍ଖଳାର କଥା ସଇତାନର ବେଦପାଠ ଭଳି ପ୍ରତୀୟମାନ ହୋଇଛି । ଉପଯୁକ୍ତ ନେତୃତ୍ୱର ଅଭାବ, ନିର୍ବାଚନ ପରିଚାଳନାରେ ବ୍ୟାପକ ଅନିୟମିତତା, ଟିକେଟ ପ୍ରଦାନରେ ପ୍ରିୟାପ୍ରୀତି ତୋଷଣ କଂଗ୍ରେସ ଦଳକୁ ରାଜ୍ୟରେ ଘୋର ବିପର୍ଯ୍ୟୟ ଆଡକୁ ଠେଲି ଦେଇଥିବା ବେଳେ ଦଳ ତୃତୀୟ ସ୍ଥାନରେ ରହିଛି । ଦୁଇଟି ଉପ-ନିର୍ବାଚନରେ ଦଳ ଯଥାକ୍ରମେ ୨୦୦୦ ଓ ୫୮୩୮ ଖଣ୍ଡ ଭୋଟ ପାଇ ଅମାନତ ହରାଇଥିବା ବେଳେ ୪୨ ଜଣ ମଧ୍ୟ ଅମାନତ ହରାଇଛନ୍ତି । ଦଳ ରସାତଳଗାମୀ ହୋଇଥିବା ବେଳେ କଂଗ୍ରେସ କର୍ମୀମାନେ ହତୋତ୍ସାହିତ ହୋଇପଡ଼ିଛନ୍ତି । ଦଳକୁ ଜଣେ ସମର୍ଥ ଯୁବ ନେତୃତ୍ୱର ଆବଶ୍ୟକତା ରହିଛି । ଦଳର ଗଣତାନ୍ତ୍ରିକ ପ୍ରକ୍ରିୟା ଭିତରେ ଯଦି ଏ ନେଇ ଦଳର ପ୍ରଭାରୀ ଓ ହାଇକମାଣ୍ଡଙ୍କୁ ଦଳର ସାଂଗଠନିକ ସ୍ଥିତି ବିଷୟରେ ଅବଗତ କରାଇବା ଯଦି ବିଶୃଙ୍ଖଳା ବୋଲି କୁହାଯାଏ, ତେବେ ଦଳ ସମ୍ପର୍କରେ ଗୋଟିଏ ହୋଟେଲରେ ଗଣମାଧ୍ୟମ ଆଗରେ ବୟାନ ରଖିବା ଶ୍ରୀ ଜ୍ଞାନେନ୍ଦ୍ରଙ୍କର କେଉଁ ପ୍ରକାର ଶୃଙ୍ଖଳା ଏବଂ ଏହା କାହା ସ୍ୱାର୍ଥରେ? କାହା ପ୍ରରୋଚନାରେ? କେଉଁ ଅଧିକାର ବଳରେ ସେ କହିଛନ୍ତି ଓ କରିଛନ୍ତି ଉତ୍ତର ରଖିବେ କି? ଦଳ ଛାଡ଼ି ପୁଣି ନିକଟରେ ଦଳରେ ମିଶିଥିବା ଜଣେ ପୂର୍ବତନ କର୍ମକର୍ତ୍ତା ଭାବରେ ଯଦି ଯଦି ସେ ନିଜକୁ କଂଗ୍ରେସର ସର୍ବମୟ କର୍ତ୍ତା ବୋଲି ଭାବୁଛନ୍ତି ତେବେ ଭଗବାନ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ । କଂଗ୍ରେସ ଦଳ କହିଲେ ଶ୍ରୀ ଜ୍ଞାନେନ୍ଦ୍ରଙ୍କୁ ବୁଝାଏ ନାହିଁ । ଆମେ ଯେଉଁମାନେ ଦଳର ଏଭଳି ଅବସ୍ଥାରେ ଦଳକୁ ଉପରକୁ ଉଠାଇବା ପାଇଁ କଂଗ୍ରେସ ଦଳର ଅଧ୍ୟକ୍ଷା ଓ ବରିଷ୍ଠ ନେତୃତ୍ୱଙ୍କ ସହ ଆଲୋଚନା କରିଛୁ, ସମସ୍ତେ ରାଜ୍ୟସ୍ତରରେ ଦଳର ସାଙ୍ଗଠନିକ ଦାୟିତ୍ୱରେ ଦକ୍ଷତାର ସହ କାର୍ଯ୍ୟ କରିଛୁ, ଏହା ଶ୍ରୀ ଜ୍ଞାନେନ୍ଦ୍ର ଭୁଲିଯିବା ଉଚିତ ନୁହେଁ । ସର୍ବୋପରି ଆମେ ନିଜ ସ୍ୱାର୍ଥ ପାଇଁ ତାଙ୍କ ଭଳି ଦଳ ତ୍ୟାଗ କରିନାହୁଁ ।
ସେମାନେ କହିଛନ୍ତି, କାହା ସହିତ ଫଟୋ ଉଠାଇଲେ ବା ଦେଖାହୋଇ କଥା ହୋଇଗଲେ କେହି ତାଙ୍କ ଦଳରେ ମିଶି ଯାଏନାହିଁ । ଏ ସମ୍ପର୍କରେ ପ୍ରକାଶିତ ସମ୍ବାଦର ପ୍ରତିବାଦ ଆମେ ସମ୍ପୃକ୍ତ ଖବରକାଗଜର ସମ୍ପାଦକଙ୍କୁ ପଠାଇ ସାରିଛୁ । ଏକ ଉଦ୍ଦେଶ୍ୟ ପ୍ରଣୋଦିତ ଖବର ଯାହା ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ପରିବେଷଣ କରାଯାଇଛି ଶ୍ରୀ ଜ୍ଞାନେନ୍ଦ୍ର ତାହାର ସ୍ତାବକ ସାଜୁଛନ୍ତି କାହିଁକି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଘରକୁ ଆସିଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଗତ ହକି ଖେଳ ସମୟରେ କଂଗ୍ରେସ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ ଏବଂ କଂଗ୍ରେସ ନେତାମାନେ ବିଜେଡି ଓ ବିଜେପି ନେତାଙ୍କ ସହଯାଇ କଥା ହେବା ଓ ମିଶିବାରେ କଣ ସେମାନେ ଦଳ ବଦଳୁ କରୁଛନ୍ତି? ଏଭଳି ଏକ ନିମ୍ନ ମାନସିକତାରୁ ଶ୍ରୀ ଜ୍ଞାନେନ୍ଦ୍ର ମୁକ୍ତ ହୁଅନ୍ତୁ । ଚାଲୁଣି କହୁଛି ଛୁଞ୍ଚିକୁ । ଜ୍ଞାନେନ୍ଦ୍ର ନିଜେ ଆତ୍ମ ସମୀକ୍ଷା କରନ୍ତୁ । ସର୍ବୋପରି ଜଣେ ଅଭ୍ୟାସଗତ ବିଶୃଙ୍ଖଳିତ ବ୍ୟକ୍ତି ହୋଇଥିବାରୁ ଶ୍ରୀ ଜ୍ଞାନେନ୍ଦ୍ରଙ୍କ ପ୍ରତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରାଯିବାକୁ ସେମାନେ ଦୃଢ଼ ଦାବି କରିଛନ୍ତି ।