27.1 C
Bhubaneswar
Thursday, April 25, 2024
HomeUncategorizedଶ୍ରମ ମନ୍ତ୍ରୀଙ୍କ ଇସ୍ତଫା ଦାବି,ରାଜ୍ୟ ସରକାରଙ୍କର ଶ୍ରମ ବିଭାଗରେ ୩୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ...

ଶ୍ରମ ମନ୍ତ୍ରୀଙ୍କ ଇସ୍ତଫା ଦାବି,ରାଜ୍ୟ ସରକାରଙ୍କର ଶ୍ରମ ବିଭାଗରେ ୩୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର  : ସଂପ୍ରତି ରାଜ୍ୟରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଥିବା ବେଳେ ସରକାର ଶ୍ରମିକମାନଙ୍କୁ ଶୋଷଣ କରିଚାଲିଛନ୍ତି । ଶ୍ରମିକମାନଙ୍କ ପାଇଁ ସରକାର ଯୋଗାଇ ଦେଉଥିବା ଉପକରଣ କିଣାରେ କୋଟି କୋଟି ଟଙ୍କାର ହେରଫେର ପଦାକୁ ଆସିଛି । ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଉପସ୍ଥାପନ କରିଛନ୍ତି । ବର୍ତମାନ ଓଡ଼ିଶାରେ ୩୦ଟି ଜିଲ୍ଲାରେ ୨୮,୨୨,୬୯୬ ଜଣ ନିର୍ମାଣ ଶ୍ରମିକ ନାମ ପଞ୍ଜିକରଣ କରିଥିବା ସରକାରୀ ସୁତ୍ରରୁ ଜଣାପଡ଼ିଛି । ଏହି ଶ୍ରମିକମାନଙ୍କୁ କାର୍ଯ୍ୟକୁଶଳତା ପାଇଁ ଓ କାର୍ଯ୍ୟରେ ସୁରକ୍ଷା ଦେବାପାଇଁ ସରକାରଙ୍କର ତରଫରୁ ସୁରକ୍ଷା ସାମଗ୍ରୀ ଓ କାମକରିବା ଉପକରଣ ଯୋଗାଇ ଦେବାର ପ୍ରାବଧାନ ରହିଅଛି । ସେଥିପାଇଁ  ଶ୍ରମିକମାନଙ୍କୁ ସୁରକ୍ଷା ସାମଗ୍ରୀ ନିମନ୍ତେ ୧ ହଜାର ଟଙ୍କା ଓ କାର୍ଯ୍ୟଉପକରଣ ନିମନ୍ତେ ୩୯୯୯ ଟଙ୍କା ଏହିଭଳି ମୋଟ ୪୯୯୯ ଟଙ୍କା ପ୍ରଦାନ କରାଯାଇଥାଏ । ଏଥି ନିମନ୍ତେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ବିଭିନ୍ନ ସଂସ୍ଥାକୁ ଏହି ଉପକରଣ ଯୋଗାଇବା ପାଇଁ ଟେଣ୍ଡର ଦେଇଥାନ୍ତି ଓ ଜିଲ୍ଲା ଶ୍ରମ ଅଧିକାରୀ ଏହି କାର୍ଯ୍ୟର ସଠିକତା ସଂପର୍କରେ ତଦାରଖ କରିଥାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ରାଜ୍ୟରେ ୩୦ଟି ଯାକ ଜିଲ୍ଲାରେ ଉପକରଣ ଗୁଡ଼ିକର ପ୍ରକୃତ ଦାମ ଠାରୁ ଯଥେଷ୍ଟ ଅଧିକ ଦାମରେ କିଣାଯାଇ ସରକାରୀ ତହବିଲକୁ ତୋଷରପାତ କରାଯାଇଛି ଏବଂ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାରଙ୍କର କୁମ୍ଭୀର କାନ୍ଦଣା କେବଳ ଭେଳିକିରେ ପରିଣତ ହୋଇଛି । ଏଠାରେ ମାଲକାନଗିରୀ, ଅନୁଗୁଳ ଓ କଟକ ଜିଲ୍ଲାକୁ ଉଦାହରଣ ଭାବେ ନିଆଯାଇପାରେ । ଗୋଟିଏ ବେଲ୍‌ଚାର ଦାମ ୧୭୦ ଟଙ୍କାରେ କିଣାଯାଇଥିବା ବେଳେ ସରକାର ଟେଣ୍ଡର ନେଇଥିବା ସଂସ୍ଥା ଠାରୁ ୩୯୭ ଟଙ୍କାରେ କିଣିଛନ୍ତି । ସେହିଭଳି ସୁରକ୍ଷା ଯୋତା ୧୧୦-୨୮୦ଟଙ୍କା ପ୍ରକୃତ ଦାମ ଥିବା ବେଳେ ସରକାର ୪୧୩ ଟଙ୍କାରେ କିଣିଛନ୍ତି ଓ ମାକ୍ସର ଦାମ ଟ୨.୫୦ରୁ ଟ୧୦.୦୦ ବଜାର ଦର ଥିବାବେଳେ ସରକାର ୮୦ଟଙ୍କାରେ କିଣିଛନ୍ତି । ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଯେ ସୁରକ୍ଷା ସାମଗ୍ରୀ ଭାରତ ଇଣ୍ଡ୍ରଷ୍ଟିଆଲ କର୍ପୋରେସନ, ବମିଖାଲ ଠାରୁ ବିଜୟା ଷ୍ଟିଲ, ଅନୁଗୁଳ ଉଚିତ୍ ଦାମରେ କିଣିଥିଲେ । ପରେ ବିଜୟାଷ୍ଟିଲ ମିରାନିୟା ଏଂଟର ପ୍ରାଇଜେସ୍ ନାମରେ ବିଲ୍‌କରି ସରକାରଙ୍କୁ ଚଢ଼ାଦାମରେ ବିକ୍ରିକଲେ । ସେହିପରି କାମ କରିବା ସଂରଞ୍ଜାମ କଲିକତାର ମା ଦୁର୍ଗା ଏଂଟରପ୍ରାଇଜେସ୍ ଠାରୁ ମିରାନିୟା ଏଂଟର ପ୍ରାଇଜେସ୍ ଉଚିତ୍ ଦାମରେ କିଣିଥିଲେ । ପରେ ସରକାର ମିରାନିୟା ସଂସ୍ଥା ଠାରୁ ତିନି ଚାରି ଗୁଣ ଅଧିକା ଦାମରେ କିଣି ଜନସାଧାରଣଙ୍କ ଟଙ୍କାକୁ ଅତ୍ୟନ୍ତ ବେପାରୁଆ ଭାବରେ ଖର୍ଚ୍ଚ କଲେ । ଏହିଭଳି ଭାବରେ ସମସ୍ତ ୩୦ଟି ଜିଲ୍ଲାରୁ ଏସବୁ ଉପକରଣର ପ୍ରକୃତଦାମ ଠାରୁ ସରକାର ଢ଼େର ଅଧିକ ମୂଲ୍ୟଦେଇ କିଣିବା ଶ୍ରମମନ୍ତ୍ରୀଙ୍କର ସଂପୃକ୍ତିକୁ ସନ୍ଦେହ ଘେରକୁ ଆଣିଛି । କାରଣ ଗରୀବ ଜନସାଧାରଣଙ୍କର ଅର୍ଥକୁ ଏଭଳି କୋଟି ଟଙ୍କା ଲୁଟ କରି ପ୍ରାୟ ୩୦୦ କୋଟି ଟଙ୍କା ଆତ୍ମସାତ କରିବା ଅତ୍ୟନ୍ତ ନିନ୍ଦା ଓ ଶ୍ରମିକମାନଙ୍କ ପେଟକୁ ନାତ ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ଗରିବ ପାଇଁ କାନ୍ଦୁଥିବା ରାଜ୍ୟ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ତଦନ୍ତ କରି ଶ୍ରମ ମନ୍ତ୍ରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଶ୍ରମମନ୍ତ୍ରୀଙ୍କୁ ତାଙ୍କ ପଦବୀରୁ ବରଖାସ୍ତ କରିବାକୁ ଶ୍ରୀ ମାଝୀ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ସ୍ମୃତିରେଖା ପହି, ରଶ୍ମି ମହାପାତ୍ର ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking